ମୁମ୍ବାଇ: ଶିଳ୍ପ ଜଗତର ରତ୍ନ ରତନ ଟାଟାଙ୍କ ବିୟୋଗରେ ସାରା ଦେଶରେ ଶୋକ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ରତନ ଟାଟାଙ୍କ ନିଧନରେ ସ୍ତବ୍ଧ ହୋଇଯାଇଛନ୍ତି । ଟାଟାଙ୍କ ମୃତ୍ୟୁକୁ ଏବେ ବି ଅନେକ ବିଶ୍ବାସ କରିପାରୁ ନାହାନ୍ତି । ବୁଧବାର ବିଳମ୍ବିତ ରାତିରେ ରତନ ଟାଟାଙ୍କ ପରଲୋକ ଘଟିଛି । ତାଙ୍କର ମରଶରୀର ମୁମ୍ବାଇର ଏନସିପିଏ(ନ୍ୟାସନାଲ୍ ସେଣ୍ଟର ଫର ପର୍ଫର୍ମିଙ୍ଗ୍ ଆର୍ଟ୍ସ) ଲନରେ ରହିଛି । ଶିଳ୍ପପତି ରତନ ଟାଟାଙ୍କ ପାର୍ଥୀବ ଶରୀରକୁ ତ୍ରିରଙ୍ଗାରେ ଢଙ୍କା ହୋଇଛି । ଶିଳ୍ପ ଜଗତର ଅମୂଲ୍ୟ ରତ୍ନ ରତନ ଟାଟାଙ୍କ ମରଶରୀରକୁ ମୁମ୍ବାଇର ନରିମନ୍ ପଏଣ୍ଟ ସ୍ଥିତ ଏନସିପିଏ ଗ୍ରାଉଣ୍ଡକୁ ଅଣାଯାଇଛି । ଏଠାରେ ତାଙ୍କ ଅନ୍ତିମ ଦର୍ଶନ ଚାଳିଛି ।
ସାଧାରଣ ଲୋକମାନେ ଯେପରି ତାଙ୍କ ଅନ୍ତିମ ଦର୍ଶନ କରିପାରିବେ ଏଥିପାଇଁ ତାଙ୍କ ପ୍ରାର୍ଥୀବ ଶରୀରକୁ ଏଠାରେ ରଖାଯାଇଛି। ଏଠାରେ ଅପରାହ୍ଣ ସାଢ଼େ ୩ଟା ଯାଏଁ ତାଙ୍କର ଶେଷ ଦର୍ଶନ ଚାଲିବ। ଏହାପରେ ୪ଟାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ରତନ ଟାଟାଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ ଜମିଛି । ବହୁ ବଡ଼ ବଡ଼ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ବଲିଉଡର ଷ୍ଟାର୍ମାନେ ମଧ୍ୟ ରତନ ଟାଟାଙ୍କ ଶେଷ ଦର୍ଶନ କରିଛନ୍ତି।
ମୁମ୍ବାଇର ୱର୍ଲିରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଯିବ। ଏହି ସମୟରେ ଶିଳ୍ପ ଏବଂ ରାଜନୀତି ସହିତ ଜଡିତ ବହୁ ବଡ଼ ବଡ଼ ବ୍ୟକ୍ତିବିଶେଷ ସେଠାରେ ଉପସ୍ଥିତ ରହିବେ। ରତନ ଟାଟାଙ୍କ ଅନ୍ତିମ ସଂସ୍କାରରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ହେବେ । ଏଥିପାଇଁ ସେ ମୁମ୍ବାଇ ଅଭିମୁଖେ ବହାରିଛନ୍ତି । ସେ ଭାରତ ସରକାରଙ୍କ ତରଫରୁ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆନ-ଭାରତ ଏବଂ ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବା ପାଇଁ ଲାଓସକୁ ଯାତ୍ରା କରିଛନ୍ତି । ତେଣୁ ସେ ଭେଟେରାନ ବ୍ୟବସାୟୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିବେ ନାହିଁ । ତେଣୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରତନ ଟାଟାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।