ନୂଆଦିଲ୍ଲୀ,୨୬/୧୦: ଟାଟା ଗ୍ରୁପ୍‌ର ପୂର୍ବତନ ମଙ୍ଗୁଆଳ ତଥା ଦେଶର ମହାନ ଉଦ୍ୟୋଗପତି ସ୍ୱର୍ଗତ ରତନ ଟାଟା ମୃତ୍ୟୁ ବାଦ୍‌ ପ୍ରାୟ ୧୦,୦୦୦ କୋଟି ଟଙ୍କାର ସମ୍ପତ୍ତି ଛାଡ଼ିଯାଇଛନ୍ତି । ତାଙ୍କ ୱିଲ୍‌ ବା ଇଚ୍ଛାପତ୍ରରେ  ସେ ଅନେକ ଲୋକଙ୍କ ନାଁ ସାମିଲ କରିଛନ୍ତି । ଏହି ତାଲିକାରେ ଅଛନ୍ତି ସାନ୍ତନୁ ନାଇଡୁ, ଯିଏକି ରତନ  ଟାଟାଙ୍କ ଅତି ଘନିଷ୍ଠ ଭାବେ ଜଣା । ଟାଟା ଜୀବିତ ଥିବା  ସମୟରେ ତାଙ୍କ ପାଖେ ପାଖେ ରହୁଥିଲେ ଶାନ୍ତନୁ । ଦୁଇ ଜଣଙ୍କ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ଥିଲା । ଉଭୟ ଥିଲେ କୁକୁରପ୍ରେମୀ । ଏହା ହିଁ ଦୁହିଁଙ୍କୁ ପରସ୍ପରର ନିକଟତର କରିଥିଲା । ଶାନ୍ତନୁଙ୍କ ଷ୍ଟାର୍ଟଅପ୍‌ରେ  ନିବେଶ କରିଥିଲେ ରତନ ଟାଟା, ଯେଉଁ ଷ୍ଟାର୍ଟଅପ୍‌  କୁକୁରମାନଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିଲା ।  ଟାଟା ଏବଂ ନାଇଡୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ  ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ।  ଟାଟାଙ୍କ ଅନ୍ତିମ ସଂସ୍କାର ବେଳେ ଗଣମାଧ୍ୟମର ଦୃଷ୍ଟି  ଆକର୍ଷଣ କରିଥିଲେ ନାଇଡୁ । 

ରତନ ଟାଟାଙ୍କ ଏକ୍‌ଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ ଶାନ୍ତନୁ ନାଇଡୁଙ୍କ ନାଁ ୱିଲ୍‌ରେ ସାମିଲ ଅଛି । ନାଇଡୁଙ୍କ କମ୍ପାନି ଗୁଡ୍‌ଫେଲୋରେ ଟାଟା ନିଜ ଅଂଶଧନ ଛାଡ଼ି ଦେଇଛନ୍ତି । ଏହାସହିତ ସେ ନାଇଡୁଙ୍କ ଦ୍ୱାରା ବିଦେଶରେ ଶିକ୍ଷା ପାଇଁ ନିଆଯାଇଥିବା ବ୍ୟକ୍ତିଗତ ଋଣକୁ ବି କ୍ଷମା କରିଦେଇଛନ୍ତି । 

କୁକୁରମାନଙ୍କ ପ୍ରତି ଉଭୟଙ୍କ ଚିନ୍ତା ସେମାନଙ୍କୁ ପରସ୍ପର ଆଡ଼କୁ ଟାଣିଥିଲା । ପରେ ପୁଣେଭିତ୍ତିକ ଏହି  ଯୁବ ଉଦ୍ୟୋଗୀ ଟାଟା ଗ୍ରୁପ୍‌ କମ୍ପାନିରେ କାର୍ଯ୍ୟ କଲେ ।  ନାଇଡୁ ଏହା ପରେ ଆମେରିକାକୁ ନିଜ ମାଷ୍ଟର ଡିଗ୍ରୀ  କରିବାକୁ ଯାଇଥିଲେ ଏବଂ ଫେରିବା ପରେ ଟାଟା ସନ୍ସର  ସେବାନିବୃତ ଅଧ୍ୟକ୍ଷ ରତନ ଟାଟାଙ୍କ ଘରୋଇ ଅଫିସ୍‌ରେ  ଯୋଗ ଦେଇଥିଲେ । ବିଭିନ୍ନ ପ୍ରକାର ନିଷ୍ପତ୍ତି ନେବାରେ  ନାଇଡୁ ଟାଟାଙ୍କୁ ସହଯୋଗ କରୁଥିଲେ । ନାଇଡୁଙ୍କଠାରୁ  ଗୁରୁତ୍ୱପୂର୍ଣ୍ଣ ଆଇଡିଆ ଗ୍ରହଣ କରୁଥିଲେ ଟାଟା । 

ନିଜ ଜର୍ମାନ ଶେଫର୍ଡ କୁକୁର ଟିଟୋର ଦେଖାରେଖା  କରିବା ପାଇଁ ବି ରତନ ଟାଟା ୱିଲ୍‌ରେ ପ୍ରବନ୍ଧନ  କରିଛନ୍ତି । ଭାରତରେ ଏହା ପ୍ରଥମ ଯେଉଁଠି ଜଣେ ଉଦ୍ୟୋଗପତି ନିଜ ୱିଲ୍‌ରେ ଏଭଳି ବ୍ୟବସ୍ଥା କରିଛନ୍ତି ।  ପାଶ୍ଚାତ୍ୟ ଦେଶଗୁଡ଼ିକରେ ପୋଷା ଜନ୍ତୁମାନଙ୍କ ପାଇଁ  ସମ୍ପତ୍ତି ଛାଡ଼ିବା ଅସାମାନ୍ୟ ନୁହେଁ କିନ୍ତୁ ଭାରତରେ ଏହା ଦୁର୍ଲଭ । ଟିଟୋକୁ ରତନ ଟାଟା ୬ ବର୍ଷ ତଳେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । 

ରତନ ଟାଟା ନିଜ ଫାଉଣ୍ଡେଶନ୍‌, ଭାଇ ଜିମି  ଟାଟା, ସାବତ ଭଉଣୀ ଶିରିନ୍‌ ଏବଂ ଡିଏନା ଜିଜିଭୟ,  ହାଉସ୍‌ ଷ୍ଟାଫ ଏବଂ ଅନ୍ୟ ଲୋକମାନଙ୍କୁ ନିଜ ସମ୍ପତ୍ତିର  ଅଂଶୀଦାର ବନାଇଛନ୍ତି । ଟାଟାଙ୍କ ସମ୍ପତ୍ତିରେ ଅଲିବାଗରେ  ୨୦୦୦ ବର୍ଗଫୁଟ୍‌ ବଙ୍ଗଳା, ମୁମ୍ବାଇର ଜୁହୁରେ ଦୁଇ  ମହଲା କୋଠା, ୩୫୦ କୋଟିର ଏଫ୍‌ଡି ଏବଂ ଟାଟା  ଗ୍ରୁପ୍‌ର ହୋଲ୍‌ଡିଂ କମ୍ପାନି ଟାଟା ସନ୍ସରେ ୦.୮୩%  ଅଂଶଧନ ସାମିଲ ଅଛି ।