ପୁରୀ ୨୪/୦୪: ରଥ ଖଳାରେ ଦେଖିବାକୁ ମିଳୁଛି ହାତ କାଠିର କମାଲ୍ । ମୁଖ୍ୟ ବିଶ୍ୱକର୍ମାଙ୍କ ହାତରେ ରହି ହୁକୁମ୍ ଦେଉଛି ହାତ କାଠି । ଏଥିରେ ଲୁଚିଛି ରଥ ନିର୍ମାଣର ପୂରା ମାପ । ସେ କାଳ ମଣିଷର ହାତ । ଆଜିକାର ମଣିଷ ଠାରୁ ବେଶ୍ ଲମ୍ବା । କାଠିରେ ରହିଛି ଅଙ୍ଗୁଳ ଚିହ୍ନ । ଅଙ୍ଗୁଳ ଗୁଡ଼ା ପାଞ୍ଚ ପା ଦେଢ଼ ଇଞ୍ଚ ଭଳି । ସେଥିରେ ଅଛି ଟିପ ଓ ନଖ ଚିହ୍ନ । ଏହି ହାତ କାଠିର ଯାଦୁକରୀ ଶକ୍ତିରେ ଚକ ଠାରୁ ରଥର କଳସ ତିଆରି । ମାତ୍ର ୨୦ ଇଞ୍ଚର ହାତ କାଠି । ସେଥିରେ ଠିଆ ହେଉଛି ୪୫ଫୁଟର ବିଶାଳ ତାଳଧ୍ୱଜ ରଥ । ସେହି କାଠି ଖଣ୍ଡିକରେ ମାପଚୁପ ହୋଇ ଆକାଶଚୁମ୍ବି ମନ୍ଦିରାକୃତି ରଥ ଠିଆ ହେଉଥିବା କୁହନ୍ତି ବଡ଼ଠାକୁରଙ୍କ ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର । ତିନି ରଥର ହାତ କାଠି ୩ଟି । ସବୁ ହାତ କାଠି ସମାନ । ପୂର୍ବ ମାପ ଅନୁସାରେ ରଥ ଏଭଳି ତିଆରି ହେଉଛି ଚନ୍ଦନ ଯାତ୍ରାରେ ଯେପରି ମଣିବିମାନ ଝୁଲି ଝୁଲି ଯାଏ ସେହିପରି ରଥ ମଧ୍ୟ ଅଣ୍ଟା ହଲାଇ ଗଡ଼େ ।
ଅଧିକ ପଢ଼ନ୍ତୁ :-ରଥ ଖଳାରେ ମହାପ୍ରଭୁଙ୍କ ଚମତ୍କାର... ମାଟି ନାହିଁ କି ମୂଳ ନାହଁ, କଟା କାଠ ଗଡ଼ରେ କଅଁଳୁଛି ଗଛ
ଅକ୍ଷୟ ତୃତୀୟାରେ ହାତ କାଠିର ପୂଜାର୍ଚ୍ଚନା ପରେ ରଥ ଖଳାରେ କରାମତି ଦେଖାଏ । ହାତ କାଠିକୁ ସବୁବେଳେ ଜଗି ଥାନ୍ତି ମୁଖିଆ । ୧୨ ବର୍ଷରୁ ବାପାଙ୍କ ସଙ୍ଗେ ଆସି ରଥ କାମରେ ଯୋଗଦେଇ ଏବେ ହେଲା ୭୭ ବର୍ଷ । ଆଗେ ମାପ ଚୁପ ଲେଖୁଥିଲେ । ଅଭ୍ୟାସ ହେବାରେ ରଥର ମାପଚୁପ ସବୁ କମ୍ପ୍ୟୁଟର ଭଳି ମୁଣ୍ଡରେ ଅଛି । ମହାପ୍ରଭୁଙ୍କ ରଥ ନିର୍ମାଣ ଶୈଳୀ ଆମକୁ ଆଶ୍ଚର୍ଯ୍ୟ କରେ । ପୂର୍ବପୁରୁଷଙ୍କଠାରୁ ଦେଖି ବୁଝି ଅଭ୍ୟାସ କରି ଆମେ କରୁଛୁ । ପ୍ରଥମ ରଥ ଯେଉଁମାନେ ଗଢ଼ିଥିଲେ ସେମାନେ ନିଶ୍ଚିତ ସିଦ୍ଧପୁରୁଷ ଥିଲେ। ପ୍ରଭୁଙ୍କୁ ସୁମରଣା କରି ଆମେ ରଥ ଗଢ଼ୁ । କୌଣସି ଭୁଲକୁ ମହାପ୍ରଭୁ ହିଁ ସୁଧାରି ନେଉଥିବା କୁହନ୍ତି ଶ୍ରୀ ମହାପାତ୍ର ।