ପୁରୀ,୨୭/୦୫: ରଥ ନିର୍ମାଣ ଅବସରରେ ସୋମବାର ଥିଲା ଏକ ବ୍ୟସ୍ତବହୁଳ ଦିନ । ଖଳାରେ ୪୦ ଫୁଟିଆ କାଠ ପହଞ୍ଚିଲା ପରେ ରଥର ଅଖ ଓ ଦଣ୍ଡା  କାମ ଆଗଉଛି । ରଥର ଆଗପଛ ବ୍ରେକ୍‌ ଅଖ ତିଆରି  ଆରମ୍ଭ କରିଛନ୍ତି ବିଶ୍ୱକର୍ମା । ରଥ ନିର୍ମାଣରେ ଏହି ଅଖକୁ ସାନ ଉଛୁଳା ଅଖ କୁହାଯାଏ । ସେହିଭଳି ସୋମବାର ରଥ  ଖଳାରେ ଗରଗରା କାଠ ପଡ଼ିଛି ।  ଇତିମଧ୍ୟରେ ଚାରିନାହାକା କାର୍ଯ୍ୟ ଆରମ୍ଭ ହୋଇଛି । ଚଉଦନାହାକା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚକରେ ପନ୍ଦାରି ଚାବି ଲଗାଇ ଶେଷ ହେଉଛି ଚକ ନିର୍ମାଣ । ଏଥିସହ ଦଣ୍ଡା କାଠ ମଧ୍ୟ ବିଶ୍ୱକର୍ମାଙ୍କୁ ଯୋଗାଯାଇଛି । 

ସୋମବାର ଅପରାହ୍ଣରେ କାଠ ଶଗଡ଼ିରେ ବୋହି ଭୋଇ ସେବକମାନେ ଗରଗରା କାଠ ଆଣି ରଥଖଳାରେ ଥୋଇଛନ୍ତି । ତିନି ରଥ ପାଇଁ ୨ଟି ଲେଖାଏଁ  ୬ଟି ଗରଗରା କାଠ ରଥଖଳାରେ ପ୍ରସ୍ତୁତ ହେବ ।  ରଥର ମୂଳଦୁଆ ତିଆରିରେ ଲାଗିଛନ୍ତି ନିର୍ମାଣକାରୀ । ଖୁବ୍‌ଶୀଘ୍ର ରଥର ଚକ କାର୍ଯ୍ୟ ଶେଷ ହେବ । ଦଣ୍ଡା କାଠ ମିଳିବା ପରେ ୫ ଦଣ୍ଡା ନିର୍ମାଣ ମଧ୍ୟ ଆରମ୍ଭ ହୋଇଯିବ । ଅଖ ନିର୍ମାଣ ସରିଲେ ଚକ ଓ ଅଖ ସଂଯୁକ୍ତ ହୋଇ ରଥର ମୂଳଦୁଆ ପ୍ରସ୍ତୁତ ହେବ । ଅଖ ଉପରେ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ। ଗରଗରା  ଉପରେ ଚାରି ନାହାକା ଉଠିବ । ଏହା ରଥ ଉପରି  ଭାଗ କାମ । ୪ ନାହାକା ଉପରେ ଭୂଇଁ ଟୁଙ୍ଗୁରା ହେବ ।  ପ୍ରଥମ ଭୂଇଁ ଉପରେ ୪ଟି ଖମ୍ବୀ ଓ ଦ୍ୱିତୀୟ ଭୂଇଁ ଉପରେ ୪ଟି ଖମ୍ବୀ ଲାଗିବ । ତା’ ଉପରେ ପୋଟଳ  ଖମ୍ବୀ ଲାଗି ତୃତୀୟ ଭୂଇଁ ରହିବ । ରଥତ୍ରୟର ୨୧  ଅଖ ଓ ୪୨ ଚକ ନିର୍ମାଣ ସାରିବା ବିଶ୍ୱକର୍ମାଙ୍କ ପ୍ରଥମ  ଟାର୍ଗେଟ ରହିଛି । ଏପଟେ ରୂପକାର, କରତି, କମାର  ସେବକ ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ।