ପୁରୀ,୧୩/୦୬: ତିନି ରଥରେ ଚଉଦ  ନାହାକା ବୁଲି ପ୍ରଥମ ଭୂଇଁ ଉଠାଯାଇଛି । ଚାରିନାହାକାର  ଚତୁଃପାଶ୍ୱର୍ରେ ବୁଲିଲା ଚଉଦନାହାକା । ପ୍ରଥମେ ତିନି  ରଥର ଦଣ୍ଡା ଉପରେ ଖଦିଓରା କାଠ(ନଡ଼ିଆ କାଠର  ଗଡ) ଖଞ୍ଜାଗଲା । ଖଦିଓରାରେ ହୋଇଥିବା ବିନ୍ଧରେ  ଚଉଦନାହାକା ରଖି ରଥ ଚତୁଃପାଶ୍ୱର୍ରେ ବୁଲାଗଲା ।  ପରେ ସାଇତା ଯାଇଥିବା ପ୍ରଥମ ଭୂଇଁକୁ ରଥରେ ଉଠାଗଲା । ଏପଟେ ଖଳାରେ ଦ୍ୱିତୀୟ  ଭୂଇଁର ଫ୍ରେମ୍‌ ପଡ଼ିଯାଇଛି । ଶୁକ୍ରବାର ଦ୍ୱିତୀୟ ଭୂଇଁ ରଥକୁ ଉଠାଯିବ ବୋଲି  ନିର୍ମାଣକାରୀ କହିଛନ୍ତି । 

ଚାରିନାହାକା ଓ  ଛଅ କାଠକୁ ଦୃଷ୍ଟିଦେଇ ଚଉଦନାହାକା ବୁଲିଥିଲା। ଚଉଦନାହାକାର ସାଲ ସବୁକୁ  ଖଦିଓରାର ବିନ୍ଧରେ ଭୁଞ୍ଜାଗଲା । ଖଦି ଓରା ହେଉଛି  ନଡ଼ିଆ କାଠର ଗଡ଼ । ଗୋଟିଏ ଖଦି ଓରାରେ ଦୁଇଟି  ବିନ୍ଧ ହୋଇଥିଲା । ଚଉଦନାହାକା ବୁଲିବା ପରେ ପ୍ରଥମ  ଭୂଇଁ କାଠ ଖଞ୍ଜାହେଲା । ପ୍ରଥମ ଭୂଇଁ ଛଅ କାଠ ଚାରି  ପାଶ୍ୱର୍ରେ ପାଖୁଡା ଏବଂ ଛିଆଣ ଲାଗି ଏହି ପାଖୁଡ଼ା  ଗୁଡ଼ିକୁ ଧରି ରଖିବା ପାଇଁ ଭୂଇଁ ଖମ୍ବୀ ସଂଯୋଗ ହେଲା । 

ସେହିପରି ୨ୟ ଭୂଇଁ ଫ୍ରେମ୍‌ ପଡ଼ି ଖୋଲାଯିବା ପରେ ରଥରେ ସଂଯୋଗ ହେବ । ଶୁକ୍ରବାର ରଥର ଦ୍ୱିତୀୟ  ଭୂଇଁ ଉଠାଯିବ । ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା  ବିଜୟ କୁମାର ମହାପାତ୍ର, ତାଳଧ୍ୱଜ ରଥର ମୁଖ୍ୟ  ବିଶ୍ୱକର୍ମା ନରସିଂହ ମହାପାତ୍ର ଓ ଦେବୀ ରଥର ମୁଖ୍ୟ  ବିଶ୍ୱକର୍ମା ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ ଅନୁଯାଇ  ଭୋଇସେବକମାନେ କାଠ ସବୁକୁ ଖଞ୍ଜିଥିଲେ ।  ଏଥିସହ ତାଳଧ୍ୱଜ ରଥରେ କତରା କାଠ ଲଗାଯାଇଛି । ରୁପକାରମାନେ ବିଭିନ୍ନ ରଥାଂଶରେ ଖୋଦେଇ  କାର୍ଯ୍ୟରେ ଲିପ୍ତ । ବିଶ୍ୱକର୍ମାଙ୍କ କାମକୁ ତାଳ ଦେଇ ଓଝା ସେବକମାନେ ଲୁହା ସାମଗ୍ରୀ ତିଆରୁଛନ୍ତି । ଶୁକ୍ରବାର  ରଥ ପ୍ରସ୍ତୁତିରେ ଦରଜୀ ସେବକମାନେ ଯୋଗ ଦେବେ  ବୋଲି ସୂଚନା ରହିଛି ।