ପୁରୀ,୧୬/୦୬: ରଥର କଳସ ତିଆରି  ଆରମ୍ଭ ହୋଇଛି । ରଥ ଅଗ୍ରଭାଗର ମୁଖ୍ୟ ଅଂଶ  ‘କଳସ’ । ଆଗେ କଳସର ପିଣ୍ଡି କାମ ସରିଲା । ଏବେ ପାଖୁଡ଼ା କାର୍ଯ୍ୟ ହେଲା । ପ୍ରତି କଳସରେ  ୩୨ଟି ପାଖୁଡ଼ା ଲାଗୁଛି । ଏଥିସହ ଖଳାରେ ପୋଟଳ କାର୍ଯ୍ୟ ଜାରି ରହିଛି । ରବିବାର ବର୍ଷା ଯୋଗୁ ରଥ କାମ ବାଧାପ୍ରାପ୍ତ ହୋଇଛି । ବର୍ଷା ଲାଗି  ରହିବାରେ ନିର୍ମାଣକାରୀ କଲବଲ ହୋଇଥିଲେ ।  ଅପରାହ୍ନରେ ମୁଖ୍ୟ ଶାସନ ସଚିବ ମନୋଜ  ଆହୁଜା ନିର୍ମାଣସ୍ଥଳୀରେ ପହଞ୍ଚି ରଥ କାର୍ଯ୍ୟର  ଅଗ୍ରଗତି ଜାଣି ସନ୍ତୋଷ ବ୍ୟକ୍ତ କରିଥିଲେ । ମୁଖ୍ୟ ଶାସନ  ସଚିବଙ୍କ ସହ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର  ସାହୁ ଉପସ୍ଥିତ ଥିଲେ ।   

ରବିବାର ରଥର ତିନି ପଟେ ତାଗ ବାଡ଼ିଆ ଶେଷ ହୋଇଥିବା କହିଛନ୍ତି ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର  ମହାପାତ୍ର । ନନ୍ଦିଘୋଷ ରଥ ନାହାକାରେ କଇଁଚି ଲାଗିଛି ।  ରଥଖଳାରେ ପାରାଭାଡ଼ି ତିଆରିଛନ୍ତି ବିଶ୍ୱକର୍ମା । ୬ ଓ  ୭ନମ୍ବର ପୋଟଳ ମଝିରେ ପଟା ଲାଗି ‘ପାରାଭାଡ଼ି’  ତିଆରି ହୋଇଛି । ପୋଟଳ ନିର୍ମାଣ  ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପାରାଭାଡ଼ିରେ  ଚିତ୍ରକରମାନେ ପାରା ଚିତ୍ର ଅଙ୍କନ କରିଥାନ୍ତି ।  ଶନିବାର ରଥରେ ବଡ଼ ପୋଟଳ ବସିଥିଲା ।  ୧୩ ପରସ୍ତ ପୋଟଳ ରଥରେ ଲାଗେ । ରଥରେ  ପାରାଭାଡ଼ି ସ୍ଥାପନ ହୋଇ ବାକି ପରସ୍ତ ପୋଟଳ ଲାଗିଲେ ଖପୁରୀ ବସିବ । 

କଳସ କାମ ମୁଖ୍ୟତଃ ହାଲୁକା କାଠରେ ତିଆରି  କରାଯାଏ । ରଥ କଳସ ନିର୍ମାଣର ସ୍ୱତନ୍ତ୍ରତା  ରହିଛି । ଦୁଇ ଭାଗ ହୋଇ ତିଆରି ହୁଏ କଳସ ।  ନିମ୍ନ ତୁମ୍ୱରେ ୧୬ଟି ବିନ୍ଧ କରାଯାଏ । ସେଥିରେ  ୧୬ଟି ପାଖୁଡ଼ା ବସିବ । ତା’ଉପରେ ଚକା ଲାଗି  ପୁନର୍ବାର ଷୋହଳଟି ପାଖୁଡା ଲାଗିବ । ଏହା  ଉପରେ ତୁମ୍ୱ ରହିବ । ସେଥିରେ ଲାଗିବ ତୁମ୍ୱ  ଡାଙ୍ଗିଆ । ସୋମବାର କଳସରେ ଆଲୁମିନିୟମ୍‌  ଚାଦର ବୁଲିବ । ଏହାପରେ ଚିତ୍ରକର ସେବକ  କଳସରେ ରଙ୍ଗ ସାରିବେ । କଳସ ରଥରେ ସ୍ଥାପନ  ହେଲେ ଅଂଳାଶ୍ରୀ ଲାଗି ପିତ୍ତଳ କଳସ ଲାଗିବ । ରଥ  କାର୍ଯ୍ୟରେ କରତି, ଭୋଇ ସେବକ, ରୂପକାର, ଚିତ୍ରକର,  ଦରଜୀ ଓ ଓଝା ସେବକ ନିୟୋଜିତ ରହିଛନ୍ତି ।