ପୁରୀ,୦୯/୦୫ ଶ୍ରୀନଅର ସମ୍ମୁଖ ଖଳାରେ ଆଗେଇ ଚାଲିଛି ରଥତ୍ରୟର ୪୨ ଚକ ପ୍ରସ୍ତୁତି । ଖଳାରେ ବ୍ୟସ୍ତ ବିଶ୍ୱକର୍ମା, କରତି ଓ ଭୋଇ ସେବକ । ଦୋଳବେଦି ଶାଳରେ ନିୟୋଜିତ ହୋଇଛନ୍ତି ଓଝା ସେବକ । ଗୁରୁବାର ରଥର ପ୍ରଥମ ଦୁଇ ନାହାକା ଚକର ପନ୍ଦାରି  ନିର୍ମାଣ ଶେଷ ହୋଇଛି । ତୁମ୍ବଗୁଡ଼ିକର ଭିତର ପାଶ୍ୱର୍ରେ ଲାଗିବ ପନ୍ଦାରି । ତାହାକୁ ମଜଭୁତ  କରିବାକୁ ଚାବି ତିଆରି ହୋଇ ପନ୍ଦାରିରେ ପଡ଼ିବ । ଘୁ ଘୁ ଶବ୍ଦ କରି ରଥ ଗଡ଼ିଯାଉଥିବା ବେଳେ ପନ୍ଦାରିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପନ୍ଦାରି ଯୋଗୁ ଘର୍ଷଣ ନିୟନ୍ତ୍ରଣରେ ରହିବା ସହ  ଅଖ ଓ ଚକର ସୁରକ୍ଷା ହୋଇଥାଏ ।  

ରଥଖଳାରେ ତୁମ୍ବରେ ବିନ୍ଧ ଖୋଦେଇ ଶେଷ ହେବା ଉପରେ । ଗୁରୁବାରଠୁ  ଅଗର ବିନ୍ଧ ଖୋଦେଇ ଆରମ୍ଭ ହୋଇଛି । ସିଙ୍ଗଡ଼ା ବାଡ଼ିଆ ଅବସରରେ ସେଥିରେ ଅରକଣ୍ଟା ଲାଗିବ କୁହନ୍ତି  ଭୋଇ ସର୍ଦ୍ଦାର ରବି ଭୋଇ । ତୁମ୍ବରେ ଅର  ପାଇଁ ଯେପରି ୧୬ ଯୋଡ଼ା ବିନ୍ଧ ହେଉଛି ଠିକ୍‌  ସେହି ସଂଖ୍ୟକ ଅଗର ବିନ୍ଧ ଖୋଦେଇ ହୁଏ ।  ଅର ବିନ୍ଧ ତୁଳନାରେ ଅଗର ବିନ୍ଧ ଛୋଟ । ତିନି  ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ରଥ  ନିର୍ମାଣ ଆଗେଇ ଚାଲିଛି । 

ରଥ ଖଳାକୁ ୧୨  ଫୁଟିଆ ଅରମୁଣ୍ଡି କାଠ ଯୋଗାଯାଇଛି । ରଥରେ  ଗୁଜ ନିର୍ମାଣ ପାଇଁ ଅରମୁଣ୍ଡି କାଠ ଲାଗିବ ।  ଖଳାରେ ଚାଲିଥିବା ଚକ କାମକୁ ତାଳ ଦେଇ  ଶାଳରେ ତିଆରି ହେଉଛି ଲୁହା ସାମଗ୍ରୀ । ପ୍ରଥମ  ପର୍ଯ୍ୟାୟରେ ତୁମ୍ବ ପାଇଁ ଅରକଣ୍ଟା, ପନ୍ଦାରି ଓ  ବଳା ନିର୍ମାଣ ଚାଲିଥିବା ନନ୍ଦିଘୋଷର ମୁଖ୍ୟ  କମାର ସେବକ ଦାଶରଥି ମହାରଣା କହିଛନ୍ତି ।