ଭୁବନେଶ୍ୱର,୨୦/୦୨ ରାସନ କାର୍ଡ  ହିତାଧିକାରୀଙ୍କୁ ମିଳିବ ଗହମ । ପୂର୍ବଭଳି  ସାଧାରଣ ବଣ୍ଟନ କେନ୍ଦ୍ରରୁ ନିଜ ପସନ୍ଦରେ  ଖାଉଟି ଚାଉଳ ସହ ଗହମ ବି ଉଠାଣ କରିପାରିବେ । ନୂଆ ସରକାର ଆସିବା ପରେ  ବିଭାଗୀୟ ମନ୍ତ୍ରୀ ଏମିତି ଆଶା ଦେଖାଇଥିଲେ ।  ନିଜ କଥାକୁ ବାରମ୍ବାର ଦୋହରାଇଲେ ।  ଲାଗୁଥିଲା, ନୂଆବର୍ଷରୁ ନିଶ୍ଚିତ ଗହମ ମିଳିବ । ମାତ୍ର ଏଯାଏ ଗହମ ମିଳିଲାନି କିମ୍ବା ମିଳିବାର  ନାଁ ଗନ୍ଧ ଉଠୁନି। 

ଯୋଗାଣ ବିଭାଗର ତାଜା ସୂଚନା  କହୁଛି, ନିକଟରେ ଖାଉଟିଙ୍କୁ ଗହମ ମିଳିବାର ସମ୍ଭାବନା ନାହିଁ । କେନ୍ଦ୍ର ସରକାର ମାର୍ଚ୍ଚ ମାସରୁ ଖାଉଟିଙ୍କୁ କେବଳ ଚାଉଳ ଯୋଗାଣ ପାଇଁ  ଆବଣ୍ଟନପତ୍ର ଜାରି କରିଛନ୍ତି । ରାଜ୍ୟ ସରକାର  ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଠାରୁ ଗହମ ଉଠାଣ ପାଇଁ ପରିବହନ ବ୍ୟବସ୍ଥା ସ୍ଥିର କରିନାହାନ୍ତି । ଏମିତିରେ ଖାଉଟି ଗହମ ପାଇବା ଆଶା ନାହିଁ । 

୨୦୨୦-୨୧ରୁ ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଗହମ ଯୋଗାଣ ବନ୍ଦ ରହିଛି ।  ହିତାଧିକାରୀଙ୍କୁ କେବଳ ଚାଉଳ ମିଳୁଛି । ନୂଆ  ସରକାର ପୁଣି ଥରେ ଗହମ ବଣ୍ଟନ ଆରମ୍ଭ  କରିବାକୁ ନିଷ୍ପତ୍ତି ନେଇଥିଲେ । ଖୋଦ୍‌ ଖାଦ୍ୟ  ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ବିଧାନସଭାରେ ଏ ନେଇ ପ୍ରଥମେ ସ୍ପଷ୍ଟ କରିଥିଲେ ।  ପରେ ଗଣମାଧ୍ୟମ ସମ୍ମୁଖରେ ବି ପୁଣି ଗହମ  ମିଳିବ ବୋଲି ଘୋଷଣା କରିଥିଲେ । ଏ ନେଇ  କେନ୍ଦ୍ରକୁ ଚିଠି କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ସହ  ମନ୍ତ୍ରୀ ନିଜେ ଆଲୋଚନା କରିଥିବା କହିଥିଲେ ।  ନୂଆ ବ୍ୟବସ୍ଥାରେ ଓଡ଼ିଶାକୁ ୩ ଲକ୍ଷ ୩୩  ହଜାର ୪୯୧ ମେଟ୍ରିକ ଟନ ଚାଉଳ ଓ ୩୯  ହଜାର ୮୧୨ ମେଟ୍ରିକ ଟନ ଗହମ ମିଳିବ ବୋଲି  ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ମନ୍ତ୍ରୀ ଘୋଷଣା କଲେ, ଅକ୍ଟୋବରରୁ  ଚାଉଳ ସହ ଗହମ ବି ପାଇବେ ରାସନ  କାର୍ଡ ହିତାଧିକାରୀ । ମଧୁମେହ ରୋଗୀ ଓ  ରୁଟି ପ୍ରିୟ ଖାଉଟିଙ୍କ ମନ ଖୁସି ଥିଲା ଏ  ଘୋଷଣାରେ । ହେଲେ ଅକ୍ଟୋବର ଯାଇ ଫେବ୍ରୁଆରୀ  ସରିବାକୁ ବସିଲାଣି, ତଥାପି ମିଳିଲାନି ଗହମ । 

ବିଧାନସଭାରେ ମନ୍ତ୍ରୀ ରଖିଥିବା ସୂଚନା  ଅନୁସାରେ, ଗହମ ଉଠାଣ ପାଇଁ ସମସ୍ତ  ଜିଲ୍ଲାରେ ଆବଶ୍ୟକ ପରିବହନ ବ୍ୟବସ୍ଥା  ସ୍ଥିରୀକୃତ ହେବା ପରେ ରାଜ୍ୟ ସରକାର  କେନ୍ଦ୍ରକୁ ଅବଗତ କରାଇବେ । ତା’ପରେ କେନ୍ଦ୍ର  ସରକରଙ୍କଠାରୁ ପରିବର୍ତ୍ତିତ ଆବଣ୍ଟନପତ୍ର ପ୍ରକାରେ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ । ଅର୍ଥାତ୍‌ ଗହମ ମିଳିବା ନେଇ ଏବେ କିଛି  କହି ହେବନି । ଏଫ୍‌ସିଆଇରୁ ଯୋଗାଣ ବିଭାଗ ଗୋଦାମକୁ ଗହମ ପରିବହନ ପାଇଁ ଟେଣ୍ଡର  ଚୂଡ଼ାନ୍ତ ହୋଇପାରିନି । 

ପୂର୍ବରୁ ମନ୍ତ୍ରୀ କହିଥିଲେ,  ଗହମ ଆସି ଗଚ୍ଛିତ ରହିଛି । ମାତ୍ର କେଉଁ ଜିଲ୍ଲା  ପାଇଁ କେତେ ଗହମ ଆବଶ୍ୟକ, ତା’ର ହିସାବ  ହୋଇପାରିନି । ଏଥିପାଇଁ ଆଉ କିଛି ସମୟ  ଲାଗିବ । ଜିଲ୍ଲାସ୍ତରରୁ ଚାହିଦା ରିପୋର୍ଟ ଆସିବା  ପରେ ଗହମ ବଣ୍ଟନ ପ୍ରକ୍ରିୟା ଆଗେଇ ପାରିବ ।  ଏବେ ପ୍ରଶ୍ନ ଉଠୁଛି, ଗଚ୍ଛିତ ଗହମ ଖାଉଟିଙ୍କୁ  ମିଳିବ ନା ନାହିଁ? ଗହମ ପାଇବାକୁ ରାଜ୍ୟର  ଖାଉଟିଙ୍କୁ ଆଉ କେତେ ମାସ ଅପେକ୍ଷା କରିବାକୁ  ପଡ଼ିବ ତାହା ଯୋଗାଣ ବିଭାଗ ବି ସ୍ପଷ୍ଟ କରୁନି ।