ପୁରୀ,୧୨/୦୩: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ବୁଧବାର  ହାଇକୋର୍ଟରେ ଶୁଣାଣି ହେବ । ଚାବି ହଜିବା ନେଇ ହୋଇଥିବା ରଘୁବୀର ଦାସ  ତଦନ୍ତ କମିଶନ ରିପୋର୍ଟ ଉପରେ ସରକାର ନିରବ ରହିଥିବାରୁ ହାଇକୋର୍ଟରେ  ଏନେଇ ଶୁଣାରି ସମୟରେ ଅଧିକ ସରଗରମ ହେବ । ଏହି ରିପୋର୍ଟ ଉପଯୁକ୍ତ  ସମୟରେ ବିଧାନସଭାରେ ଉପସ୍ଥାପିତ ନହେବାରୁ ଆଇନଜୀବୀ ଦିଲ୍ଲୀପ ବରାଳ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

୨୦୨୩ ଏପ୍ରିଲ ୨୫ରେ କୋର୍ଟ ଆବେଦନକୁ  ଗ୍ରହଣ କରି ସରକାରଙ୍କୁ ପକ୍ଷ ରଖିବାକୁ ନୋଟିସ୍‌ କରିଥିଲେ । ସରକାର ଗତବର୍ଷ  ଏପ୍ରିଲ ୫ ତାରିଖରେ ହାଇକୋର୍ଟରେ ସତ୍ୟପାଠ ଦେଇଥିଲେ । ଏଥିସହ  ହାଇକୋର୍ଟରେ ପରବର୍ତ୍ତୀ ଜବାବ ରଖିବା ପାଇଁ ୪ ମାସ ସମୟ ନେଇଥିଲେ । ମାତ୍ର ଏହା ଭିତରେ ନୂଆ ସରକାର ଗଠନକୁ ୯ ମାସ ଓ ହାଇକୋର୍ଟରୁ ନେଇଥିବା  ସମୟ ୫ ମାସ ଗଡ଼ିଗଲାଣି । ଏହି ସମୟ ଭିତରେ ଏକାଧିକ କ୍ୟାବିନେଟ୍‌ ବୈଠକ ବସିଛି । ହେଲେ କ୍ୟାବିନେଟ୍‌ରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇନାହିଁ ।