ପୁରୀ, ୨୨/୯ : ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର। ମଙ୍ଗଳବାର ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ। ମୁଖ୍ୟ ଦେଉଳ ଭକ୍ତଙ୍କ ପ୍ରବେଶ ବାରଣ। ଶୋଧ ହେବ ନାଟମଣ୍ଡପ ଓ ଜଗମୋହନ। ରତ୍ନ ସ୍ଥାନାନ୍ତର ପରେ କଟକଣା ହଟିବ। ସେବାୟତମାନଙ୍କ ପାଇଁ କୌଣସି କଟକଣା ନାହିଁ। ରତ୍ନ ଅଳଙ୍କାର ସ୍ଥାନାନ୍ତର ସମୟରେ ଗଜପତିଙ୍କ ପ୍ରତିନିଧି, ମନ୍ଦିର ପ୍ରଶାସନ ଅଧିକାରୀ, ଭଣ୍ଡାର ମେକାପ ଉପସ୍ଥିତ ରହିବେ।
ସୂଚନାନୁଯାୟୀ, ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜିଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଆସନ୍ତା ୨୩ ସେପ୍ଟେମ୍ବର ଦିନ ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ମଙ୍ଗଳବାର ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ। ତେବେ ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ। ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ ହେବ । ମହାପ୍ରଭୁଙ୍କ ସେବାରେ କରାଯାଉଥିବା ଏହି ଦର୍ଶନ କଟକଣା ପାଇଁ ଭକ୍ତମାନେ ସହଯୋଗ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।
ରତ୍ନ ଅଳଙ୍କାର ସ୍ଥାନାନ୍ତର ନେଇ ଆସନ୍ତାକାଲି ସକାଳ ୮ ଟାରୁ ପୁଲିସ ପକ୍ଷରୁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ କରୁଥିବା ଭକ୍ତଙ୍କୁ କଡ଼ା ଚେକିଂ କରାଯିବ। ଭିତର ବେଢା଼ରେ କଟକଣାକୁ କଡାକଡି କାର୍ଯ୍ୟକାରୀ କରାଯିବ। ପାଳିଆ ସେବାୟତ ଓ ଅଧିକୃତ ସେବାୟତଙ୍କ ପାଇଁ ଦୁଇ ପ୍ରକାରର ପାସ୍ ବ୍ୟବସ୍ଥା କରାଯାଇଛି। ପ୍ରକ୍ରିୟା ଆରମ୍ଭ ସମୟରେ କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ଛଡ଼ା ଯିବ ନାହିଁ। ଭକ୍ତମାନେ ଶ୍ରୀମନ୍ଦିର ଉତ୍ତର ଦ୍ବାର ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ ପାଇ ପାରିବେ। ଭିତର ବେଢ଼ାରେ ଦର୍ଶନ କଟକଣା ରହିବ। ସୁରକ୍ଷା ଦାୟିତ୍ବରେ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏନେଇ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।