କଟକ, ୧୪/୦୪ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷା ଏବଂ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ଭାବେ ପ୍ରତିଷ୍ଠା କରାଯାଇଥିବା ରେଭେନ୍ସା ରେଡିଓ ୧୬ ବର୍ଷରେ ପାଦ ଥାପିଛି। ଶିକ୍ଷାନୁଷ୍ଠାନରେ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ଭାବେ ୨୦୧୧ ମସିହା ଏପ୍ରିଲ ୧୪ ତାରିଖରେ ରେଭେନ୍ସାର ତତ୍କାଳୀନ କୁଳପତି ଦେବଦାସ ଛୋଟରାୟଙ୍କ ଉଦ୍ୟମରେ ରେଭେନ୍ସା ରେଡିଓ ପ୍ରସାରଣ ଆରମ୍ଭ କରିଥିଲା । ଏହା ମଧ୍ୟରେ ଦୀର୍ଘ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ଅନେକ ସମୟରେ ଏହା ବିଭିନ୍ନ କାରଣରୁ ଠିକ୍ ଭାବେ କାମ କରୁନାହିଁ । ଏଇ କିଛି ମାସ ହେବ ଟ୍ରାନ୍ସମିଟରରେ ସମସ୍ୟା ପାଇଁ ରେଭେନ୍ସା ରେଡିଓର ସିଧା ପ୍ରସାରଣ ବନ୍ଦ ରହିଥିବା ଜଣାପଡିଛି । ଏହାର ମରାମତି କେବଳ କୋଲକାତାରେ ହେଉଥିବା ଦର୍ଶାଇ ଏହାର ମରାମତି କରାଯାଇନାହିଁ । ଏପରି ସ୍ଥିତିରେ ଆସନ୍ତା ୧୬ ତାରିଖରେ ରେଡିଓର ୧୫ ବର୍ଷ ପୂର୍ତ୍ତି ଉତ୍ସବ କରାଯିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ଜଣାପଡିଛି ।
ଓଡିଶାରେ ଥିବା ୪୫ଟି ଗୋଷ୍ଠୀ ବେତାର କେନ୍ଦ୍ର ମଧ୍ୟରୁ ରେଭେନ୍ସା ରେଡିଓ ଅନ୍ୟତମ । ୟୁନେସ୍କୋ ଦ୍ୱାରା ପଞ୍ଜୀକୃତ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏହି କେନ୍ଦ୍ରରେ ସରକାର ଏବଂ ୟୁନିସେଫ୍ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଥିଲା । ୨୫ କିଲୋମିଟର ପରିଧି ମଧ୍ୟରେ ପ୍ରସାରଣ ହେଉଥିବା ଏହି ରେଡିଓ ୫୦ ୱାଟ୍ ବିଶିଷ୍ଟ ରହିଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଏବଂ ସ୍ଥାନୀୟ ଅଞ୍ଚଳରେ ପ୍ରାସଙ୍ଗିକ ଥିବା ବିଷୟବସ୍ତୁ, ବିଶେଷକରି ଶିକ୍ଷାଭିତ୍ତିକ ଏବଂ ଛାତ୍ର ଗୋଷ୍ଠୀଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ କାର୍ଯ୍ୟକ୍ରମ ପ୍ରସାରଣ କରିବା ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା କରାଯାଇଥିଲା । ଏହି କେନ୍ଦ୍ରରେ ରେଡିଓ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା । ଏଠାରେ ଅତ୍ୟାଧୁନିକ ଷ୍ଟୁଡିଓ, ପ୍ରଡକସନ୍, ପୋଷ୍ଟ ପ୍ରଡକସନ୍ ଏବଂ ପ୍ରି ପ୍ରଡକସନ୍ ବା ରେକଡିଂ ଷ୍ଟୁଡିଓ ରହିଛି । ଏହା ଛଡା ମଲ୍ଟି ଚ୍ୟାନେଲ ରେକର୍ଡିଂ, ଡିଜିଟାଲ ରେକର୍ଡିଂ ଏବଂ ଆଉଟଡୋର୍ ରେକର୍ଡିଂ ସୁବିଧା ରହିଛି । କିନ୍ତୁ ଟ୍ରାନ୍ସମିଟରରେ ସମସ୍ୟା ପାଇଁ ସିଧା ପ୍ରସାରଣ ବନ୍ଦ ଥିବାରୁ କେନ୍ଦ୍ରରେ ଥିବା ସମସ୍ତ ବ୍ୟବସ୍ଥା କାମରେ ନଲାଗି ପଡ଼ିରହିଛି ।
ରେଭେନ୍ସା ରେଡିଓକୁ ୧୫ ବର୍ଷ ପୂରୁଥିବାବେଳେ ଏହାକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ରେଭେନ୍ସା ଛାତ୍ରଛାତ୍ରୀମାନେ ଅଣ୍ଟା ଭିଡିବା ସହ ଏକ ସୋସିଆଲ୍ ମିଡିଆ ଟିମ୍ ଗଠନ କରିଛନ୍ତି । ୨୦ ଜଣ ଛାତ୍ରଛାତ୍ରୀ କଣ୍ଟେଣ୍ଟ୍ ଟିମ୍, ପ୍ରଡକସନ୍ ଟିମରେ ୧୦ରୁ ୧୫ ଜଣ ଏବଂ ସୋସିଆଲ୍ ମିଡିଆ ଟିମରେ ୩୦ ଜଣ ଛାତ୍ରଛାତ୍ରୀ ରହି ରେଭେନ୍ସା ରେଡିଓର ଇନଷ୍ଟାଗ୍ରାମରେ ବିଭିନ୍ନ ପ୍ରସଙ୍ଗରେ ଛୋଟ ଭିଡିଓ କରି ପୋଷ୍ଟ କରୁଛନ୍ତି । ଏହା ସହ ନୂଆ ଫର୍ମାଟରେ ବିଭିନ୍ନ ଅତିଥିଙ୍କୁ ଡାକି ପୋଡକାଷ୍ଟ୍ ଭଳି କାର୍ଯ୍ୟକ୍ରମ କରିବା ପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେଉଛନ୍ତି । ଏହି ପୋଡକାଷ୍ଟକୁ ରେଡିଓର ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିବାକୁ ଯୋଜନା କରୁଛନ୍ତି । ସେହିପରି ଆସନ୍ତା ୧୬ ତାରିଖରେ ରେଡିଓର ୧୫ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ଜଣାପଡିଛି।
ଆହୁରି ପଢନ୍ତୁ- ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀରେ ଚଳଚଞ୍ଚଳ ପୁରପଲ୍ଲୀ, ଘରେ ଘରେ ଜମିବ ପଣାର ଆସର