ମୁମ୍ବାଇ,୧୭\୭ : ଭୋଜପୁରୀ ଫିଲ୍ମ ସୁପରଷ୍ଟାର ରବି କିଶାନ ଏବେ ସାରା ଦେଶର ଲୋକପ୍ରିୟ ଚେହେରା । ସେ ବଲିଉଡ ଫିଲ୍ମରେ ଦମଦାର ଚରିତ୍ରରେ ନଜର ଆସନ୍ତି । ଖାଲି ଫିଲ୍ମ ନୁହେଁ OTT ପ୍ଲାଟଫର୍ମରେ ବି ରହିଛି ତାଙ୍କର ଦବଦବା । ଏହି ଅଭିନେତା ଫିଲ୍ମ ଶିଳ୍ପରେ ବହୁତ ବଡ଼ ଯାତ୍ରା କରିଛନ୍ତି ।  କେବଳ ଅଭିନେତା ନୁହଁନ୍ତି ସେ ଜଣେ ଦକ୍ଷ ରାଜନେତା ମଧ୍ୟ । ସେ ପାର୍ଲାମେଣ୍ଟର ସଦସ୍ୟ ଅଛନ୍ତି । ୨୦୧୯ ଠାରୁ ଗୋରଖପୁରରୁ ଲୋକସଭାର ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ରବି ସଂସଦ ରତ୍ନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ।  ୧୭ ଜୁଲାଇ,ବା ଆଜିର ଦିନରେ ସେ ତାଙ୍କର ୫୬ ତମ ଜନ୍ମଦିନ ପାଳନ କରିବେ। 

ନିକଟରେ ଜଣା ପଡ଼ିଥିଲା ଯେ ରବି ତାଙ୍କ ସ୍ତ୍ରୀଙ୍କୁ ପ୍ରଣାମ କରନ୍ତି । ଯେତେବେଳେ ତାଙ୍କ ସ୍ତ୍ରୀ ରାତିରେ ଶୋଇପଡ଼ନ୍ତି, ସେ ଗୁପ୍ତରେ ତାଙ୍କ ପାଦ ସ୍ପର୍ଶ କରନ୍ତି। ସ୍ତ୍ରୀଙ୍କ ପ୍ରତି ତାଙ୍କର ଏହି ସମ୍ମାନ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ। ଆସନ୍ତୁ ଜାଣିବା ରବି କିଶାନଙ୍କ ସ୍ତ୍ରୀ କିଏ ଏବଂ ସେମାନଙ୍କ ପ୍ରେମ କାହାଣୀ କେମିତି ଆରମ୍ଭ ହୋଇଥିଲା। 

ରିପୋର୍ଟ ଅନୁସାରେ, ରବି କିଶାନଙ୍କ ସ୍ତ୍ରୀଙ୍କ ନାମ ପ୍ରୀତି  । ରବି କିଶାନ ଏବଂ  ପ୍ରୀତି ଶୁକ୍ଳାଙ୍କ ପ୍ରେମ ପିଲାଦିନର ।  ସେମାନେ ପରସ୍ପରକୁ ପିଲାଦିନରୁ ହିଁ ଜାଣନ୍ତି । ଉଭୟଙ୍କ ପ୍ରେମ ଏକାଦଶ ଶ୍ରେଣୀରେ ଆରମ୍ଭ ହୋଇଥିଲା । ସେମାନେ ଡିସେମ୍ବର ୧୦,୧୯୯୩ ରେ ବିବାହ କରିଥିଲେ। ଏହି ବିବାହରୁ ଦମ୍ପତିଙ୍କର ଚାରିଟି ସନ୍ତାନ ଅଛନ୍ତି ,ଗୋଟିଏ ପୁଅ ଏବଂ ତିନୋଟି ଝିଅ। 

ରବି କିଶାନ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ପ୍ରକାଶ କରନ୍ତି ନାହିଁ ଏବଂ ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ସେ ତାଙ୍କ ପତ୍ନୀ ପ୍ରୀତିଙ୍କୁ ନିଜ 'ଲକି ଚାର୍ମ' ବୋଲି ମାନନ୍ତି ଏବଂ ତାଙ୍କୁ ବହୁତ ସମ୍ମାନ କରନ୍ତି ।

ରବି କିଶାନଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ, ଅଭିନେତା ଅନେକ ଉଲ୍ଲେଖନୀୟ ଭୂମିକାରେ ଅଭିନୟ କରିଛନ୍ତି । ସେ 'ଧମାଲ ୪', 'ମା- ବେହେନ', 'ସନ ଅଫ୍ ସରଦାର -୨', 'ଲାପତା ଲେଡିଜ୍' ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ସେ ଭୋଜପୁରୀ ଫିଲ୍ମ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ସକ୍ରିୟ ଅଛନ୍ତି ।