ନୂଆଦିଲ୍ଲୀ, ୧୮/୧୨ : ଭାରତୀୟ କ୍ରିକେଟ ଦଳର ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଗାବାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର- ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ପରେ ଅଶ୍ବିନ ଏହି ଘୋଷଣା କରିଛନ୍ତି । ଏବେ ବିସିସିଆଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛି , ଯେଉଁଥିରେ ଅଶ୍ବିନ ଡ୍ରେସିଂ ରୁମରେ ନିଜ ଫାଇନାଲ ଭାଷଣ ଦେଉଛନ୍ତି । ଏହି ଭାଷଣ ସମୟରେ ବିରାଟଙ୍କ ଆଖି ଛଳଛଳ ହୋଇଥିବା ଦେଖା ଦେଉଛି ।

ଭିଡ଼ିଓରେ ଦେଖାଯାଉଛି କି ଅଶ୍ବିନ ଡ୍ରେସିଂ ରୁମ୍ ପଟକୁ ଯିବା ସମୟରେ ସେଠାରେ ଥିବା ଖେଳାଳୀଙ୍କୁ ଭେଟୁଛନ୍ତି । ଏହି ସମୟରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଏବଂ ଷ୍ଟାର ସ୍ପିନର ନାଥନ ଲିୟୋନ ବି ଅଶ୍ବିନଙ୍କୁ ଭେଟିବାକୁ ଆସୁଥିବା ଦେଖାଯାଉଛି । କମିନ୍ସ ଭାରତୀୟ ସ୍ପିନରଙ୍କୁ ସାଇନ ହୋଇଥିବା ଅଷ୍ଟ୍ରେଲିଆର ଜର୍ସି ଗିଫ୍ଟ କରୁଛନ୍ତି । ପରେ ଧିରେ ଧିରେ ଖେଳାଳୀଙ୍କୁ ଭେଟି ଅଶ୍ବିନ ଡ୍ରେସିଂ ରୁମରେ ପହଞ୍ଚୁଛନ୍ତି ।

ଡ୍ରେସିଂ ରୁମରେ ପହଞ୍ଚିବା ପରେ ଅଶ୍ବିନ ନିଜ ଶେଷ ଭାଷଣ ଦେଉଛନ୍ତି । ଭାଷଣ ଯେମିତି ଆଗକୁ ବଢିଥିଲା କୋହଲୀଙ୍କ ଆଡ଼କୁ କ୍ୟାମେରା ଯାଇଥିଲା, ଯେଉଁଠାରେ ସେ ବହୁ ଭାବବିହ୍ବଳ ହୋଇଥିବା ଦେଖା ଦେଉଛନ୍ତି । ଅଶ୍ବିନ ଭାଷଣ ଆରମ୍ଭ କରି କହିଥିଲେ କି, ‘ଟିମ୍ ଗହଣରେ କହିବା ବହୁତ ସହଜ ହୋଇଥାଏ । ଏହା ମୋ ଲାଗି ବହୁତ ଭାବପ୍ରବଣ ମୂହୁର୍ତ୍ତ । ଏଭଳି ଲାଗୁଛି କି ୨୦୧୧-୧୨ରେ ଆସିଛି । ମୋର ପ୍ରଥମ ଅଷ୍ଟ୍ରେଲିଆ ଗସ୍ତ । ମୁଁ ପରିବର୍ତ୍ତନ ଦେଖିଛି । ରାହୁଲ ଭାଇ ଗଲେ, ସଚିନ ପାଜି ଗଲେ, କିନ୍ତୁ ମୋତ ବିଶ୍ୱାସ କର ସମସ୍ତଙ୍କ ସମୟ ଆସେ ଏବଂ ଆଜି ମୋର ସମୟ ଥିଲା। "ଏହି ସମୟରେ କୋହଲୀ ଭାବବିହ୍ବଳ ଦେଖାଯାଉଥିବା ନଜର ଆସିଥିଲେ।