ନୂଆଦିଲ୍ଲୀ,୧୮/୧୨:  ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଟିମର ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଚାଲିଥିବା ବେଳେ ଗାବା ଟେଷ୍ଟ ପରେ ପରେ ସେ ଅବସର ଘୋଷଣା କରିଛନ୍ତି।  ଏପରିକି ସେ ଚତୁର୍ଥ ଟେଷ୍ଟ ମଧ୍ୟ ଖେଳିବେ ନାହିଁ । ତେବେ ୩୮ ବର୍ଷୀୟ ଅଶ୍ୱିନ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ ହାସଲକାରୀ ସଫଳ ବୋଲର । ସେ ଟେଷ୍ଟରେ ମୋଟ ୫୩୭ଟି ୱିକେଟ ନେଇଛନ୍ତି । ଏଥିସହ ସେ ସର୍ବାଧିକ ଥର ପ୍ଲେୟାର ଅଫ ଦି ସିରିଜ ଆୱାର୍ଡ ନିଜ ନାମରେ କରିଛନ୍ତି। 

ତେବେ ତୃତୀୟ ଟେଷ୍ଟ ପରେ ସେ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଅବସର ଘୋଷଣା କରିଛନ୍ତି। ଆଡିଲେଡ ପରେ ସେ ଗାବା ଟେଷ୍ଟରୁ ବାଦ ପଡିଥିଲେ  । ଗାବା ଟେଷ୍ଟ ସମୟରେ ଅଶ୍ୱିନ୍ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା । ସେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ। ଅଶ୍ୱିନ୍ ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀରଙ୍କ ସହ ଦୀର୍ଘ ସମୟ କଥା ହୋଇଥିଲେ । ଆଉ ଏହା ପରେ ସାମ୍ବାଦିକ ସମ୍ମିଳନୀକୁ ଆସି ଅବସର ଘୋଷଣା କରିଥିଲେ ଅଶ୍ବିନ । ତେବେ  ପ୍ରାୟ ୧୩ ବର୍ଷ ଧରି ସେ ଭାରତୀୟ କ୍ରିକେଟର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ଉଭୟ ଦେଶ ଓ ବିଦେଶରେ ଟିମ୍ ଇଣ୍ଡିଆର ଅନେକ ସ୍ମରଣୀୟ ବିଜୟର ସେ ଅନ୍ୟତମ ବିନ୍ଧାଣୀ। କ୍ରିକେଟରେ ତାଙ୍କୁ ଇଣ୍ଟିଲିଜେଣ୍ଟ ବୋଲର ଭାବେ ବିବେଚନା କରାଯାଏ।  ଟେଷ୍ଟରେ ସେ ୩ ହଜାର ୫୦୩ ରନ କରିଛନ୍ତି । ସେହିପରି ୱାନ ଡେ’ରେ ୧୧୬ଟି ମ୍ୟାଚ ଖେଳି ୧୫୬ଟି ୱିକେଟ ନେଇଛନ୍ତି।