ମୁମ୍ବାଇ ୩୧/୧୦: ଧନ୍‌ତେରାସ୍‌ରେ ବ୍ରିଟେନ୍‌ରୁ ଆଉ ୧୦୨  ଟନ୍‌ ବା ୧୦୨୦୦୦ କିଲୋ ସୁନା ଦେଶକୁ  ଫେରାଇ ଆଣିଛି ଭାରତୀୟ ରିଜର୍ଭ  ବ୍ୟାଙ୍କ(ଆର୍‌ବିଆଇ) । ବ୍ୟାଙ୍କ ଅଫ୍‌  ଇଂଲଣ୍ଡର ଭୋଲ୍‌ଟରୁ ଆସିଥିବା ଏହି  ସୁନାକୁ ଦେଶ ମଧ୍ୟରେ ସୁରକ୍ଷିତ ସ୍ଥାନକୁ  ପଠାଇ ଦିଆଯାଇଥିବା ଆର୍‌ବିଆଇ ସୂଚନା  ଦେଇଛି ।   

ବିଦେଶୀ ମୁଦ୍ରା ଭଣ୍ଡାର ପରିଚାଳନା  ଉପରେ ଜାରି ନୂଆ ରିପୋର୍ଟରୁ ଜଣାପଡ଼ିଛି  ଯେ, ସେପ୍ଟେମ୍ବର ଶେଷଭାଗରେ  ଆର୍‌ବିଆଇ ପାଖରେ ଥିବା ୮୫୫ ଟନ୍‌  ସୁନା ମଧ୍ୟରୁ ୫୧୦.୫ ଟନ୍‌କୁ ଦେଶର ସୁରକ୍ଷିତ ସ୍ଥାନରେ ରଖାଯାଇଛି । ୨୦୨୨ ସେପ୍ଟେମ୍ବର ପରଠାରୁ  ୨୧୪ ଟନ୍‌ ସୁନା ବ୍ରିଟେନ୍‌ରୁ ଭାରତକୁ  ଅଣାଯାଇଛି । ବିଶ୍ୱବ୍ୟାପୀ ବଢୁଥିବା ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ସରକାର  ସୁନାକୁ ସୁରକ୍ଷିତ ରଖିବାକୁ ଚାହାନ୍ତି ।  

ପ୍ରକାଶଯୋଗ୍ୟ, ୧୯୯୧ରେ  ବୈଦେଶିକ ମୁଦ୍ରା ସଂକଟ ବେଳେ  ବ୍ରିଟେନ୍‌ରେ ବନ୍ଧା ପଡ଼ିଥିବା ଲକ୍ଷେ  କିଲୋ ବା ୧୦୦ ଟନ୍‌ ସୁନାକୁ ଗତ ମେ’  ମାସରେ ଭାରତକୁ ଫେରାଇ ଆଣିଥିଲା  ଆର୍‌ବିଆଇ । ପ୍ରଥମ ଥର ଏତେ ମାତ୍ରାରେ  ସୁନା ଦେଶକୁ ଫେରିଥିଲା । ୧୯୯୧ରେ ଦେଶରେ ଦେଖାଦେଇଥିବା ବୈଦେଶିକ  ମୁଦ୍ରା ସଂକଟ ବେଳେ ଚନ୍ଦ୍ରଶେଖର  ସରକାର ସ୍ଥିତିକୁ ସମ୍ଭାଳିବା ପାଇଁ ଏହି  ସୁନାକୁ ବିଦେଶରେ ବନ୍ଧକ ରଖିବାକୁ  ବାଧ୍ୟ ହୋଇଥିଲେ । 

ଉକ୍ତବର୍ଷ ଜୁଲାଇ  ୪ରୁ ୧୮ ମଧ୍ୟରେ ୪୦ କୋଟି ଡଲାର  ଯୋଗାଡ଼ କରିବା ଲାଗି ଆର୍‌ବିଆଇ ବ୍ୟାଙ୍କ  ଅଫ୍‌ ଇଂଲଣ୍ଡ ଏବଂ ବ୍ୟାଙ୍କ ଅଫ୍‌ ଜାପାନ  ନିକଟରେ ବୃହତ୍‌ ମାତ୍ରାରେ ସୁନା ବନ୍ଧକ  ରଖିଥିଲା । ବର୍ତ୍ତମାନ ଏସବୁ ସୁନା ଭାରତ  ଫେରିବା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥା ମଜଭୁତ ହେବ । ବ୍ରିଟେନ୍‌ରୁ ଭାରତ  ସୁନା ଫେରାଇ ଆଣିବା ଦ୍ୱାରା ଭାରତୀୟ  ରିଜର୍ଭ ବ୍ୟାଙ୍କର ଭଣ୍ଡାରଣ ଖର୍ଚ୍ଚ କମିବ,  ଯାହାକୁ ବ୍ୟାଙ୍କ ଅଫ୍‌ ଇଂଲଣ୍ଡକୁ ପ୍ରଦାନ  କରାଯାଇଥାଏ ।  

ପୂର୍ବଥର ଭଳି ଏଥର ମଧ୍ୟ ଆର୍‌ବିଆଇ  ଏବଂ ସରକାର ସୁନାକୁ ଦେଶକୁ ଫେରାଇ  ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ଏବଂ ସୁରକ୍ଷା  ବ୍ୟବସ୍ଥା ସହ ଏକ ସିକ୍ରେଟ୍‌ ମିଶନ୍‌  ଚଳାଇଥିଲେ । କୌଣସି ପ୍ରକାର ସୂଚନା  ଯେପରି ଲିକ୍‌ ନ ହୁଏ ସେଥିପ୍ରତି  ଯଥେଷ୍ଟ ଧ୍ୟାନ ଦିଆଯାଇଥିଲା । ଆର୍‌ବିଆଇ କେବଳ ଭାରତ  ନୁହେଁ ବରଂ ବିଦେଶରେ ବି ସୁନା  ରଖିଥାଏ । ସମସ୍ତ ଦେଶର କେନ୍ଦ୍ରୀୟ  ବ୍ୟାଙ୍କ ସୁନାକୁ ଭିନ୍ନ ଭିନ୍ନ ଜାଗାରେ ରଖିବାକୁ ଚାହାନ୍ତି, ଯଦ୍ଦ୍ୱାରା ରିସ୍କ  କମ୍‌ ହୋଇପାରିବ ।  

ଯଦି ଭାରତରେ ଆପଦ କିମ୍ବା  ରାଜନୈତିକ ଅସ୍ଥିରତାରୁ ଆର୍ଥିକ  ସ୍ଥିତି ଖରାପ ହୁଏ ତେବେ ଏହାର  ସାମ୍ନା କରିବା ପାଇଁ ବିଦେଶରେ ରଖାଯାଇଥିବା ସୁନା କାର୍ଯ୍ୟରେ  ଆସିଥାଏ । ପ୍ରାକୃତିକ ଦୁର୍ବିପାକରୁ  ମଧ୍ୟ ସୁନା ଭଣ୍ଡାର ଉପରେ କ୍ଷତି  ପହଞ୍ଚିପାରେ । ଭିନ୍ନ ଭିନ୍ନ ସ୍ଥାନରେ ସୁନା ରଖିବା ଦ୍ୱାରା ରିସ୍କ କମିଥାଏ ।  

ପାରମ୍ପରିକ ଭାବେ ବ୍ରିଟେନ୍‌ର  ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଅନେକ  କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପାଇଁ  ଭଣ୍ଡାରଗୃହ ରହିଆସିଛି । ଏବେ  ୩୨୪ ଟନ୍‌ ସୁନା ବ୍ୟାଙ୍କ ଅଫ୍‌ ଇଂଲଣ୍ଡ  ଏବଂ ବ୍ୟାଙ୍କ୍‌ ଫର୍‌ ଇଣ୍ଟର୍‌ନ୍ୟାସ୍‌ନାଲ  ସେଟେଲ୍‌ମେଣ୍ଟ୍‌ସର ସେଫ୍‌ କଷ୍ଟଡିରେ  ରହିଛି । ବ୍ୟାଙ୍କ୍‌ ଅଫ୍‌ ଇଂଲଣ୍ଡରେ ଅନେକ  ଦେଶ ନିଜର ସୁନା ରଖିଥାନ୍ତି । ନ୍ୟୁୟର୍କ  ଫେଡେରାଲ ରିଜର୍ଭ ପରେ ଏହା ଦ୍ୱିତୀୟ  ବୃହତ୍‌ ଗୋଲ୍‌ଡ କଷ୍ଟଡିଆନ୍‌ ।