ନୂଆଦିଲ୍ଲୀ,୩୧/୦୮: ବେଙ୍ଗାଲୁରୁ ଠାରେ ଆଇପିଏଲ୍ ବିଜୟ ଉତ୍ସବ ବେଳେ ଦଳାଚକଟା ଘଟି ପ୍ରାଣ ହରାଇଥିବା ୧୧ ଜଣଙ୍କ ପରିବାରକୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୨୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବ । ଆରସିବି ପକ୍ଷରୁ ଶନିବାର ସୋସିଆଲ ମିଡିଆରେ ଏହି ସୂଚନା ଦିଆଯାଇଛି ।
ଆରସିବି କହିଛି କି, କଠିନ ସମୟରେ ଆରସିବି ପୀଡିତ ପରିବାରଙ୍କ ସହ ରହିଛି । ଏହି ସହାୟତା ପୀଡିତ ପରିବାରକୁ କିଛି ସମ୍ବଳ ଦେଇପାରିବ । ଆରସିବି ଚଳିତବର୍ଷ ଆଇପିଏଲ୍ ଚାମ୍ପିଅନ ହୋଇଥିଲା । ଜୁନ ୪ ତାରିଖରେ ବେଙ୍ଗାଲୁରୁରେ ଏଥିପାଇଁ ବିଜୟ ଉତ୍ସବ ପାଳନ କରାଯାଇଥିଲା । ତେବେ ପ୍ରବଳ ଭିଡ ଯୋଗୁ ବିଜୟ ଉତ୍ସବରେ ଦଳାଚକଟା ଘଟିଥିଲା । ଏଥିରେ ୧୧ ଜଣ ପ୍ରାଣ ହରାଇବା ସହ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । କର୍ଣ୍ଣାଟକ ସରକାର ଏହି ଘଟଣା ପାଇଁ ଆରସିବିକୁ ଦାୟୀ କରିଥିଲେ । କହିଥିଲେ ଆରସିବି ବିଜୟ ଉତ୍ସବ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲା । କିନ୍ତୁ ପୁଲିସ ଠାରୁ କୌଣସି ଅନୁମତି ନେଇନଥିଲା । ତେଣୁ ଦଳାଚକଟା ପାଇଁ ଆରସିବି ସମ୍ପୂର୍ଣ୍ଣ ଦାୟୀ ।
ଜୁନ୍ ୪ ତାରିଖରେ କ’ଣ ଘଟିଥିଲା ? ଜୁନ୍ ୩ ତାରିଖରେ ଅହମ୍ମଦାବାଦରେ ପଞ୍ଜାବ କିଙ୍ଗସ୍କୁ ପରାସ୍ତ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆରସିବି ୧୭ ବର୍ଷ ପରେ ଆଇପିଏଲ୍ ଟାଇଟଲ୍ ଜିତିଥିଲା । ଏହାର ପରଦିନ ଅର୍ଥାତ୍ ଜୁନ୍ ୪ ତାରିଖରେ ଆରସିବି ଟିମ୍ ସେମାନଙ୍କ ଘର ବେଙ୍ଗାଲୁରୁକୁ ଫେରିଥିଲା । ହୋମ୍ ଗ୍ରାଉଣ୍ଡ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ବିଜୟ ପରେଡ୍ ଆୟୋଜନ କରାଯାଇଥିଲା। ଏହି ସମୟରେ, ଷ୍ଟାଡିୟମ ବାହାରେ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା । ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ୫୦ ଜଣ ଆହତ ହୋଇଥିଲେ । ଏହି ମାମଲାରେ କର୍ଣ୍ଣାଟକ ସରକାର ଜୁଲାଇରେ ଆରସିବି ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଥିଲେ । ପ୍ରଥମେ ପ୍ରତ୍ୟେକ ମୃତକଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଦେଇଥିଲା ବେଙ୍ଗାଲୁରୁ । ଏବେ ଏହି ରାଶିକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି ।