ଧର୍ମଶାଳା, : ମଙ୍ଗଳବାର ଆଇପିଏଲ ୨୦୨୬ର ପ୍ରଥମ କ୍ୱାଲିଫାୟର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳା ଯାଉଛି। GT (ଗୁଜରାଟ ଟାଇଟନ୍ସ) ଧର୍ମଶାଳା ମୈଦାନରେ ଟସ୍ ଜିତି ଆରସିବିକୁ ବ୍ୟାଟ୍ ନିୟନ୍ତ୍ରଣ ଦେଇଥିଲା। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୫୫ରନର ଏକ ଐତିହାସିକ ଟାର୍ଗେଟ୍ ଦେଇଛି। ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୫୪ ରନ କରିଛି। ଏହି ଆଇପିଏଲ ପ୍ଲେଅଫ୍ ଇତିହାସର ସବୁଠୁ ବଡ଼ ସ୍କୋର। ଅଧିନାୟକ ରଜତ ପାଟିଦାର ଅପରାଜେୟ ୯୩ ରନର ଏକ ଧମାକାଦାର ଇନିଂସ ଖେଳିଛନ୍ତି। ସେ ୩୩ ଟି ବଲରେ ପାଞ୍ଚଟି ଚୌକା ଓ ୯ଟି ଛକା ମାରିଛନ୍ତି। ଆରସିବିର ପ୍ରାରମ୍ଭିକ ବ୍ୟାଟିଂ ଭଲ ନଥିଲା। ଭେଙ୍କଟେଶ ଆୟର କିଛି ଭଲ ସଟ୍ ଖେଳିଥିଲେ ମଧ୍ୟ ବଡ଼ ଇନିଂସ ଖେଳି ପାରି ନଥିଲେ। ସେ ୭ଟି ବଲରୁ ୧୯ ରନ୍ କରି ଥିଲେ, ଯେଉଁଥିରେ ତିନୋଟି ଚୌକା ଏବଂ ଗୋଟିଏ ଛକା ଥିଲା। ଦ୍ୱିତୀୟ ଓଭରରେ କାଗିସୋ ରବାଡା ତାଙ୍କୁ ଆଉଟ୍ କରିଥିଲେ। ଭେଙ୍କଟେଶ ବିରାଟ କୋହଲିଙ୍କ ସହ ୨୧ ରନ୍ ର ପାର୍ଟନରସିପ୍ କରିଥିଲେ।

ଏହାପରେ, ଦେବଦତ୍ତ ପାଡିକ୍କଲଙ୍କ ସହ ମିଶି କୋହଲି ଦାୟିତ୍ୱ ସମ୍ଭାଳିଲେ। ଏହି ଯୋଡ଼ି ଦ୍ୱିତୀୟ ୱିକେଟ ପାଇଁ ୭୨ ରନର ପାର୍ଟନରସିପ୍ କରି ଥିଲେ। ଜାସନ ହୋଲ୍ଡର ନବମ ଓଭରରେ କୋହଲି ଏବଂ ପାଡିକ୍କଲଙ୍କ ଉଭୟଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। କୋହଲି ୨୫ଟି ବଲରୁ ୪୩ ରନ ଯୋଡ଼ିଥିଲେ। ଯେଉଁଥିରେ ପାଞ୍ଚଟି ଚୌକା ଏବଂ ଗୋଟିଏ ଛକା ଥିଲା, ଅନ୍ୟପଟେ ପାଡିକ୍କଲ ୧୯ଟି ବଲରୁ ୩୦ ରନ ସଂଗ୍ରହ କରି ଥିଲେ। ତାଙ୍କ ବ୍ୟାଟରୁ ପାଞ୍ଚଟି ଚୌକା ଆସିଥିଲା। ଅଧିନାୟକ ରଜତ ପଟିଦାର ଏବଂ କୃଣାଲ ପାଣ୍ଡ୍ୟା ଚତୁର୍ଥ ୱିକେଟ ପାଇଁ ୯୫ ରନର ପାର୍ଟନରସିପ୍ କରିଥିଲେ, ଯାହା RCBକୁ ଏକ ମଜବୁତ ସ୍ଥିତିକୁ ନେଇଥିଲା। ରବାଡା ୧୭ ତମ ଓଭରରେ କୃଣାଲଙ୍କୁ ନିଜ ଜାଲରେ ଫସାଇ ଥିଲେ। ସେ ୨୮ ବଲରୁ ୨୩ ରନର ଇନିଂସ ଖେଳି ଥିଲେ , ଯେଉଁଥିରେ ପାଞ୍ଚଟି ଚୌକା ଏବଂ ଦୁଇଟି ଛକା ଥିଲା। ପ୍ରସିଦ୍ଧ କୃଷ୍ଣା ୧୮ତମ ଓଭରରେ ଟିମ୍ ଡେଭିଡ୍( ୫ଟି ବଲରୁ ୪ ରନ)ଙ୍କ ୱିକେଟ୍ ନେଇ ଥିଲେ। ପାଟିଦାର ଜିତେଶ ଶର୍ମାଙ୍କ ସହ ଷଷ୍ଠ ୱିକେଟ ପାଇଁ ୪୦ ରନର ପାର୍ଟନରସିପ୍ କରି ଥିଲେ। ଜିତେଶ ୫ଟି ବଲରୁ ଅପରାଜିତ ୧୫ ରନ କରିଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେଇଂ ୧୧ : ବିରାଟ କୋହଲି, ଭେଙ୍କଟେଶ ଆୟର, ଦେବଦତ୍ତ ପାଡ଼ିକଲ, ରଜତ ପାଟିଦାର (ଅଧିନାୟକ), ଜିତେଶ ଶର୍ମା ( ୱିକେଟ କିପର), ଟିମ ଡେଭିଡ୍, କୃନାଲ୍ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜାକବ ଡଫି, ଜୋସ ହାଜେଲଉଡ୍, ରସିକ ସଲାମ ଦାର ।

ଗୁଜରାଟ ଟାଇଟନ୍ସ ପ୍ଲେଇଂ ୧୧ :: ଶୁଭମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର(ୱିକେଟକିପର), ୱାସିଂଟନ ସୁନ୍ଦର, ନିଶାନ୍ତ ସିନ୍ଧୁ, ଜାସନ ହୋଲ୍ଡର, ରସିଦ ଖାନ, କୁଲୱନ୍ତ ଖେଜରୋଲିଆ, କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

ଆହୁରି ମଧ୍ୟ ପଢନ୍ତୁ - ଭୁଲରେ ବି ଯଦି ଏମିତି ହୁଏ, ତାହେଲେ ମ୍ୟାଚ ନଖେଳି ବାଦ୍ ପଡ଼ିବ ରାଜସ୍ଥାନ