ନୂଆଦିଲ୍ଲୀ,୨୧/୧୦: ନିବେଶର ବିଭିନ୍ନ  ବିକଳ୍ପ ମଧ୍ୟରୁ ଭାରତୀୟମାନେ ରିୟଲ ଇଷ୍ଟେଟକୁ ସବୁଠୁ ବେଶି ପସନ୍ଦ କରୁଛନ୍ତି । ଚଳିତ ବର୍ଷ ପ୍ରଥମ  ୬ ମାସରେ ପ୍ରାୟ ୫୯% ଲୋକଙ୍କ ଏ କ୍ଷେତ୍ରରେ  ନିବେଶକୁ ପ୍ରାଥମିକତା ଦେଇଛନ୍ତି । ଏବେ ସହର  ଗୁଡିକରେ ଭଡା ଜନୀତ ଆୟ ବୃଦ୍ଧି ହେଉଛି ।  ଏଭଳି ସ୍ଥିତିରେ ଭଡା ଜନୀତ ଆୟ ଲାଗି ପ୍ରିମିୟମ  ପ୍ରପର୍ଟି କିଣାକୁ ବେଶି ପ୍ରାଥମିକତା ଦେଉଛନ୍ତି  ଗ୍ରାହକ । ୫୭% ନିବେଶକ ଏ ନେଇ ଆଗ୍ରହ  ଦେଖାଉଥିବା ଶିଳ୍ପ ସଂଘ ଫିକି ଏବଂ ଆନାରକ  ପ୍ରପର୍ଟି କନସଲଟାଣ୍ଟ ରିପୋର୍ଟରୁ ଜଣାପଡିଛି । 

ରିପୋର୍ଟ ମୁତାବକ, ୫୧% ଲୋକ ୩  ବିଏଚ୍‌କେ କିଣିବାକୁ ଗୁରୁତ୍ୱ ଦେଉଛନ୍ତି । ବଡ  ଘର ଚାହିଦା ରହୁଥିବା ଏଥିରୁ ଜଣାପଡେ ।  ୬୭% ଲୋକ ଘରକୁ ନିଜସ୍ୱ ବ୍ୟବହାର  ଏବଂ ୩୩% ନିବେଶ ଉଦ୍ଦେଶ୍ୟରେ ଘର  କିଣୁଛନ୍ତି । ଏହି ରିପୋର୍ଟରେ ଦେଶର ରିୟଲ  ଇଷ୍ଟେଟ ବଜାରର ପରିବର୍ତ୍ତିତ ସ୍ଥିତି ଏବଂ  ଘରକ୍ରେତାଙ୍କ ମନୋଭାବ ଭଳି ବିଭିନ୍ନ  ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଛି । 

ସେବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ  ରାଓ କହିଛନ୍ତି, କୌଣସି ଶିଳ୍ପର ଦୀର୍ଘମିଆଦି  ସଫଳତା ଲାଗି ନିବେଶକଙ୍କ ଆତ୍ମବିଶ୍ୱାସ ଏକ  ଜରୁରୀ ପ୍ରସଙ୍ଗ । ସ୍ୱଚ୍ଛତା ଏବଂ ଗଭର୍ଣ୍ଣାସ ଦ୍ୱାରା  ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରାଯାଇପାରେ ।  ଅନୁପାଳନରେ ଦୃଢ଼ତା ଏବଂ ଉନ୍ନତ ଡିସକ୍ଲୋଜର  ସଂସ୍ଥାଗତ ନିବେଶକଙ୍କ ମନୋଭାବକୁ ଦୃଢ଼ କରେ । 

ଫିକିର ପୂର୍ବତନ ସଭାପତି ସନ୍ଦୀପ ସୋମାନି  କହିଛନ୍ତି ଯେ, ଏବେ ଗ୍ରାହକଙ୍କ ଫୋକସ ରେଡି ଟୁ  ମୁଭ୍‌ ହୋମ ପ୍ରପର୍ଟି ତୁଳନାରେ ନିର୍ମାଣାଧିନ ପ୍ରପର୍ଟି  ଆଡକୁ ଅଧିକ ରହିଛି । ଡେଭଲପରଙ୍କ ପ୍ରତି  ଆତ୍ମବିଶ୍ୱାସ ଏବଂ ନିୟାମକ ପରିବେଶରେ ଉନ୍ନତି  ହୋଇଥିବା ଏହା ଦର୍ଶାଉଛି । ପ୍ରସ୍ତୁତ ହୋଇ ରହିଥିବା  ଘର ଗୁଡିକର ଚାହିଦା କମିଛି । ରେଡି ଟୁ ମୁଭ ଏବଂ  ନୂଆ ଲଞ୍ଚ ପ୍ରପର୍ଟି ଅନୁପାତ ୨୦:୨୫ ରହିଛି ।  ୨୦୨୦ର ପ୍ରଥମ ୬ ମାସରେ ୪୬:୧୮ ରହିଥିଲା ।  

୪୫ ଲକ୍ଷ ଟଙ୍କାରୁ ୯୦ ଲକ୍ଷ ଟଙ୍କାର ପ୍ରପର୍ଟି  ସବୁଠାରୁ ଲୋକପ୍ରିୟ ରହିଛି । ତେବେ ଲୋକେ  ଏବେ ପ୍ରିମିୟମ ପ୍ରପର୍ଟି ଆଡକୁ ମୁହାଁଉଛନ୍ତି । ୨୮%  ଲୋକ ୯୦ ଲକ୍ଷ ଟଙ୍କାରୁ ୧.୫ କୋଟି ଟଙ୍କାର ଘର  କିଣିବାକୁ ପସନ୍ଦ କରୁଛନ୍ତି । ଆପାର୍ଟମେଣ୍ଟ ସବୁଠାରୁ  ପସନ୍ଦଯୋଗ୍ୟ ପ୍ରପର୍ଟି ପାଲଟିଛି । ଏ କ୍ଷେତ୍ରରେ  ୫୮% ଲୋକ ନିଜର ପସନ୍ଦ ଦେଖାଉଛନ୍ତି । 

ଏହବାଦ ବାସଗୃହ ପ୍ଲଟଗୁଡିକ ମଧ୍ୟ  ଲୋକପ୍ରିୟତା ହାସଲ କରୁଛି । ଦକ୍ଷିଣ ଭାଗରେ  ଏହି ଧାରା ବେଶ ଉନ୍ନତ ରହିଥିବା ଏହି ରିପୋର୍ଟରେ  କୁହାଯାଇଛି । ୯୮% ଘରକ୍ରେତା ପ୍ରକଳ୍ପ ଠିକ୍‌  ସମୟରେ ଶେଷ ହେଉବୋଲି ଚାହାନ୍ତି । ସେହିଭଳି  ୯୩% ନିର୍ମାଣ ବେଳେ ଗୁଣବତ୍ତା, ୭୨% ଉତ୍ତମ  ବାୟୁଚଳାଚଳ କରୁଥିବା ଘର ଆବଶ୍ୟକ କରୁଛନ୍ତି । 

୫୩% ଘରକ୍ରେତା ବର୍ତ୍ତମାନର ସୁଲଭ  ହାଉସିଂ ବିକଳ୍ପ ପ୍ରତି ଅସନ୍ତୋଷ ପ୍ରକଟ  କରିଛନ୍ତି । ପ୍ରକଳ୍ପର ସ୍ଥାନ, ନିର୍ମାଣ ଗୁଣବତ୍ତା  ଏବଂ ଘରର ଆକାର ଭଳି ଦିଗ ଗୁଡିକ ନେଇ  ସେମାନଙ୍କର ସମସ୍ୟା ରହୁଥିବା କହିଛନ୍ତି  ଗ୍ରାହକ । ଆନାରକ ପ୍ରପର୍ଟି କନସଲଣ୍ଟାଣ୍ଟର  ଅଧ୍ୟକ୍ଷ ଅନୁଜ ପୁରୀ କହିଛନ୍ତି, ଗ୍ରାହକଙ୍କ ପ୍ରପର୍ଟି  କ୍ରୟ ମନୋଭାବ ସମ୍ପର୍କରେ ଶିଳ୍ପ ଅଂଶୀଦାରଙ୍କ  ଜଣାଇବା ଲାଗି ଏହି ରିପୋର୍ଟ ଉଦ୍ଦିଷ୍ଟ ହେବ।