ଲଣ୍ଡନ,୨୭।୫: ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ଜନଜୀବନ। ଲାଗୁଛି ଇଟା ଭାଟି ପାଲଟିଛି ଭାରତ। ତେବେ ଏହି  ପ୍ରଚଣ୍ଡ ଗରମ କେବଳ ଭାରତର ଲୋକଙ୍କୁ କଲବଲ କରୁନାହିଁ। ୟୁରୋପୀୟ ଦେଶର ଲୋକେ  ଛଟପଟ। ସାଧାରଣତଃ ମଇ ମାସରେ ସୁଖଦ ପାଗର ଆନନ୍ଦ ନେଉଥିବା ୟୁରୋପୀୟ ଦେଶର ଲୋକେ ଏଥର ଭୀଷଣ ଲୁ ଓ ହିଟ୍‌ଓ୍ବେଭରେ ହେଉଛନ୍ତି କଲବଲ। ବ୍ରିଟେନ୍ ଫ୍ରାନ୍ସ, ସ୍ପେସ୍‌, ଇଟାଲୀ ଓ ଜର୍ମାନରୀ ଭଳି ଦେଶକୁ ଥଣ୍ଡା ଥଣ୍ଡା କୁଲ୍ କୁଲ୍ କୁହାଯାଏ। ଏବେ ଏହି ଦେଶ ଗୁଡିକ ତାତିରେ ଜଳୁଛି। ସ୍ଥିତି ଏଭଳି ଯେ, ଯେଉଁଭଳି ତାପମାତ୍ରା ଜୁଲାଇ କିମ୍ବା ଅଗଷ୍ଟରେ ଦେଖାଯାଏ ଏବେ ତାହା ମଇ ଶେଷ ସପ୍ତାହରେ ରେକର୍ଡ କରାଯାଇଛି। ପାଣିପାଗ ବିଜ୍ଞାନୀ ଏହାକୁ ଅସାଧାରଣ ଓ ଚିନ୍ତାଜନକ ବୋଲି ଘୋଷଣା କରିଛନ୍ତି।

ଲଣ୍ଡନର ପ୍ରସିଦ୍ଧ କ୍ୟୁ ଗାର୍ଡେନରେ ତାପମାତ୍ରା ୩୫.୧ ଡିଗ୍ରୀ ସେଲସିୟସ୍  ପର୍ଯ୍ୟନ୍ତ ପହଁଞ୍ଚିଛି। ଯାହାକି ବ୍ରିଟେନ୍ ଇତିହାସରେ ମଇ ମାସର ସବୁ ରେକର୍ଡ ଭାଙ୍ଗି ଦେଇଛି। ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଂଶରେ ପାରା ୩୬ ଡିଗ୍ରୀ ସେଲସିୟସ୍‌ରୁ ୩୭.୧ ଡିଗ୍ରୀ ପାର କରିସାରିଛି। ସେଭଳି ସ୍ପେନ୍‌ର ବହୁ ଭାଗରେ ଏହି ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ପର୍ଯ୍ୟନ୍ତ ପହଁଞ୍ଚିବାର ​‌ଚେତାବନୀ ଜାରି ହୋଇଛି। ଏହି ଭୀଷଣ ଗରମ କାରଣରୁ ଫ୍ରାନ୍ସ ଓ ବ୍ରିଟେନ୍‌ରେ ବହୁ ଲୋକଙ୍କ ମୃତ୍ୟୁ ଖବର ସାମନାକୁ ଆସିଛି।

ୟୁରୋପରେ ଏତେ ଭୀଷଣ ଗରମ କାହିଁକି ?

ତେବେ ମଇ ମାସରେ ପୁରା ୟୁରୋପରେ ଏତେ ଭୀଷଣ ଗରମ କାହିଁକି ? ଏହା ପଛର ମୁଖ୍ୟ ବୈଜ୍ଞାନିକ ଓ ଭୌଗାଳିକ କାରଣ କ’ଣ। ଏଥିରେ ସବୁଠାରୁ ବଡ଼ ଫାକ୍ଟର ହେଉଛି ‘ହିଟ୍‌ ଡୋମ୍’ ତିଆରି ହେବା। ଏଥର ୟୁରୋପରେ ଆସିଥିବା ସମୟ ପୂର୍ବରୁ ହିଟ୍‌ଓ୍ବେଭ୍‌ ସବୁଠାରୁ ବଡ ‘ହିଟ୍‌ ଡୋମ୍‌’, ଯାହାକି ଏକ ଏକ ବାୟୁମଣ୍ଡଳୀୟ ଅବସ୍ଥା। ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ସମୟ ଏବଂ ସ୍ଥାନରେ ପାଣିପାଗର ଅବସ୍ଥାକୁ ‘ବାୟୁମଣ୍ଡଳୀୟ ଅବସ୍ଥା’ ବୁଝାଏ । ଏହା ବାୟୁର ତାପମାତ୍ରା, ଆଦ୍ରତା, ବାୟୁ ଚାପ, ଏବଂ ପବନର ବେଗ ଉପରେ ନିର୍ଭର କରିଥାଏ। 

ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ଯେ ୟୁରୋପରେ ଏହି  ତୀବ୍ର ଗ୍ରୀଷ୍ମପ୍ରବାହର କାରଣ ହେଉଛି ଏକ ବଡ଼ ହାଇ ପ୍ରେସର ସିଷ୍ଟମ, ଯାହା ଉତ୍ତର ଆଫ୍ରିକାରୁ ଆସୁଥିବା ଉଷ୍ମ ପବନକୁ ଅବରୋଧ କରୁଛି। ଏହି ପ୍ରଣାଳୀ ପଶ୍ଚିମ ୟୁରୋପ ଉପରେ ଏକ ଆବରଣ ପରି କାର୍ଯ୍ୟ କରୁଛି, ଥଣ୍ଡା ପବନର ପ୍ରବାହକୁ ଅବରୋଧ କରୁଛି ଏବଂ ସମଗ୍ର ଅଞ୍ଚଳରେ ତାପମାତ୍ରା ସ୍ଥିର ଭାବରେ ବୃଦ୍ଧି ପାଉଛି। ଏହି ଗ୍ରୀଷ୍ମପ୍ରବାହ ପାଗରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମଧ୍ୟ ଦେଉଛି। ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ଯେ ଆଗାମୀ ବର୍ଷଗୁଡ଼ିକରେ ଗ୍ରୀଷ୍ମ ଋତୁରେ ଲଣ୍ଡନରେ ୪୦ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ସାଧାରଣ ହୋଇଯିବ।

ବୈଜ୍ଞାନିକ ଦେଲେ ଚେତାବନୀ

ୟୁଏସ୍‌ଏ ନ୍ୟାୟସନାଲ ଓଶନିକ୍ ଆଣ୍ଡ ଆଟମୋସ୍ପୋରିକ୍ ଆଡମିନଷ୍ଟେ୍ରସନ୍‌ର ଡାଟା ଅନୁସାରେ,୧୯୯୦ ପରଠାରୁ ୟୁରୋପ ସବୁଠାରୁ  ଅଧିକ ଗରମ ହେଉଥିବା ମହାଦେଶ ପାଲଟିଛି। ଏସିଆ ବି ତାଠାରୁ ଅଧିକ ପଛରେ ନାହିଁ। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ବୃଦ୍ଧି ପାଉଥିବା ହାରାହାରି ତାପମାତ୍ରା ଏବେ ପୂର୍ବରୁ ଡିଜାଇନ୍ ହୋଇଥିବା ଭିତ୍ତିଭୂମି ଏବଂ ସହରାଞ୍ଚଳ ଯୋଜନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ବିଶେଷଜ୍ଞମାନେ କହିଛନ୍ତି ଯେ ଉତ୍ତର ୟୁରୋପର ଅନେକ ଅଂଶ ଏବେ ଭୂମଧ୍ୟସାଗର ପରି ଉତ୍ତପ୍ତ ତାପମାତ୍ରା ଅନୁଭବ କରୁଛି। ସେଠାର ଘର, ଅଫିସ ଓ ସରକାରୀ ବିଲ୍ଡିଂକୁ ଅଧିକ ସମୟ ପର୍ଯ୍ୟନ୍ତ ଗରମ ସହିବାର ଯୋଜନାରେ ତିଆରି କରାଯାଇ ନାହିଁ।