ଭୁବନେଶ୍ୱର,୨୩/୦୯: ନିଯୁକ୍ତି ପରୀକ୍ଷା ବିଭ୍ରାଟ ରୋକିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ଆଗକୁ ଯେପରି କୌଣସି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ନହୁଏ ସେଥିଲାଗି ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ରୋକିବାଠୁ ଆରମ୍ଭ କରି ପରୀକ୍ଷା ହଲ୍ରେ ସୁରକ୍ଷା ଯାଏ ସମସ୍ତ ପ୍ରକାର ପରିଚାଳନା ବ୍ୟବସ୍ଥା କଡ଼ାକଡ଼ି ହେବ । ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରକୁ ଆଣିବା ଯାଏ ବରିଷ୍ଠ ଅଧିକାରୀମାନେ ଦାୟିତ୍ୱରେ ରହିବେ । ପୁଲିସ ସୁରକ୍ଷା ବଳୟରେ ଏସବୁ କରାଯିବ । ଏପରିକି ପରୀକ୍ଷା କେନ୍ଦ୍ରରେ କୃତ୍ରିମ ବୁଦ୍ଧିମତା(ଏଆଇ)ଟୁଲ୍ର ବ୍ୟବହାର କରାଯିବ । ପରୀକ୍ଷା କେନ୍ଦ୍ରର ସିସିଟିଭି ଲାଇଭ ଷ୍ଟ୍ରିମ୍ କଣ୍ଟ୍ରୋଲ୍ ଓକାକ୍ କିମ୍ବା ଏନ୍ଆଇସି ପାଖରେ ରଖିବେ ସରକାର ।
ଏତିକି ନୁହେଁ ଆଗାମୀ ଦିନରେ ସମସ୍ତ ନିଯୁକ୍ତି ପରୀକ୍ଷାକୁ ସରକାରୀ କଲେଜ, ବିଶ୍ୱବିଦ୍ୟାଳୟରେ କରାଯିବ । ପରୀକ୍ଷା ପରିଚାଳନା ସଂସ୍ଥାମାନେ ଆଉ ଅନ୍ୟ କେଉଁଠି ପ୍ରଶ୍ନପତ୍ର ଛପାଇ ପାରିବେ ନାହିଁ । ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଛପାଇବା ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ ସ୍ଥାପନ କରିବେ । ସରକାରୀ ପ୍ରିଣ୍ଟିଂ ପ୍ରେସ୍କୁ ଅଧିକ ଅତ୍ୟାଧୁନିକ କରିବେ । ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ। ଏପରିକି ଆଗାମୀ ଦିନରେ ପରୀକ୍ଷା ପରିଚାଳନା ଦାୟିତ୍ୱକୁ କୌଣସି ଏଜେନ୍ସି କିମ୍ବା ଆଉଟସୋର୍ସିଂ ଦ୍ୱାରା ନହୁଏ ସେଥିପ୍ରତି କଡ଼ା ଆଭିମୁଖ୍ୟ ଆପଣାଇବେ । ଇଣ୍ଟିଗ୍ରେଡେଟ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ବ୍ୟବସ୍ଥା କରାଯିବ ।
ସରକାର ନିଯୁକ୍ତି ପରୀକ୍ଷାରେ ଶୂନ୍ୟ ସହନଶୀଳତା ନୀତିକୁ ଆପଣାଇଛନ୍ତି । ଉଭୟ ଅନ୍ଲାଇନ ଓ ଅଫଲାଇନ ମୋଡ୍ରେ ହେଉଥିବା ପରୀକ୍ଷାକୁ ସୁରକ୍ଷିତ ପରିବେଶ, ସ୍ୱଚ୍ଛତାର ସହ କରାଯିବ । ପ୍ରଶ୍ନପତ୍ରର ଉଭୟ ପଟେ ସିଲ୍ କରାଯିବ । ଫାଇନାଲ ପ୍ରଶ୍ନପତ୍ର ପ୍ରସ୍ତୁତଠାରୁ ପରୀକ୍ଷା ହଲ୍କୁ ଆସିବା ଯାଏ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ, ବରିଷ୍ଠ ପୁଲିସ ଅଧିକାରୀ ଓ ଅନ୍ୟ ବିଭାଗର ଅଧିକାରୀ ରହିବେ । ପୁଲିସ ବିଭାଗ ପକ୍ଷରୁ ହେଉଥିବା ପରୀକ୍ଷାରେ ଜଣେ ଆଇଜି ର୍ୟାଙ୍କ୍ର ଅଧିକାରୀ ରହିବେ । ପ୍ରଶ୍ନପତ୍ର ଖୋଲିବା ସମୟରେ ଭିଡିଓଗ୍ରାଫି କରାଯିବ । ସେହିପରି ଅନ୍ଲାଇନ ପରୀକ୍ଷା ପାଇଁ ମଲ୍ଟି ଫାକ୍ଟର ଅଥେଣ୍ଟିକେସନ୍(ଏମ୍ଏଫ୍ଏ)କୁ ପରୀକ୍ଷା ପୂର୍ବରୁ ଯାଞ୍ଚ କରାଯିବ । ବାୟୋମେଟ୍ରିକ ସ୍କାନ୍ଠୁ ଆରମ୍ଭ କରି ଏସ୍ଏମ୍ଏସ୍ ଯାଏ ସମସ୍ତ ଯାଞ୍ଚ ହେବ । ଅନ୍ଲାଇନ ପରୀକ୍ଷା ଗୃହରେ କୌଣସି ବାହ୍ୟ ବସ୍ତୁ ରହିବ ନାହିଁ । ୱେବ୍କ୍ୟାମ, ଇଣ୍ଟରନେଟ୍ ଆଦି ଟେକ୍ନିକାଲ ଉପକରଣକୁ ବି ଯାଞ୍ଚ କରାଯିବ । ଏଆଇ ଟୁଲ୍ର ବ୍ୟବହାର ହେବ ।