ନୂଆଦିଲ୍ଲୀ,୨୪।୩: ଦିଲ୍ଲୀରେ ରେଖା ଗୁପ୍ତା ସରକାର ଆଜି ନିଜର ବାର୍ଷିକ ବଜେଟ୍ ଆଗତ କରିଛନ୍ତି। ବଜେଟ୍‌ରେ ଅନଧିକୃତ କଲୋନୀ ପାଇଁ ୮୦୦ କୋଟି ଟଙ୍କା ଓ ଦିଲ୍ଲୀ ଜଳବୋର୍ଡକୁ ୯୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପୂର୍ବରୁ, ଗୃହରେ ୨୦୨୫-୨୬ ଆର୍ଥିକ ସର୍ଭେ ଉପସ୍ଥାପିତ ହୋଇଥିଲା, ଯାହା ଅନୁଯାୟୀ ଦିଲ୍ଲୀର ମୁଣ୍ଡପିଛା ଆୟ ଜାତୀୟ ହାରାହାରି ପ୍ରାୟ ୨.୫ ଗୁଣ, ଅର୍ଥାତ୍ ୫.୧ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ସର୍ଭେରେ ଏହା ମଧ୍ୟ କୁହାଯାଇଛି ଯେ ଦିଲ୍ଲୀର GSDP ୯.୪% ବୃଦ୍ଧି ପାଇ ୧୩.୨୭ ଲକ୍ଷ କୋଟିରେ ପହଞ୍ଚିପାରେ।

ରାଜଧାନୀର ଅର୍ଥନୀତିରେ ସେବା କ୍ଷେତ୍ରର ଯୋଗଦାନ ୮୬% ରୁ ଅଧିକ ଅବଦାନ ରହିଛି। ୧ ଲକ୍ଷ କୋଟି ବଜେଟର ସବୁଠାରୁ ବଡ଼ ଅଂଶ ପରିବହନ ପାଇଁ ଆବଣ୍ଟିତ କରାଯାଇଛି। ମେଟ୍ରୋ ସମ୍ପ୍ରସାରଣ, ବର୍ଦ୍ଧିତ ଇଲେକ୍ଟ୍ରିକ୍ ବସ୍ ସେବା ଏବଂ ମହିଳାଙ୍କ ପାଇଁ ଏକ ମାଗଣା ବସ୍ ଯାତ୍ରା ଯୋଜନାକୁ ପ୍ରମୁଖ ସଫଳତା ଭାବରେ ଆଗତ କରାଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ,ବିଜୁଳିର ୧୦୦% କଭରେଜ ହୋଇସାରିଛି,୯୩.୫% ଘର ପର୍ଯ୍ୟନ୍ତ ପାଇପ୍ରୁ ପାଣି ପହଁଞ୍ଚୁଛି। ଫଳରେ ଚାଷ କ୍ଷେତ୍ରରେ ଉନ୍ନତି ହୋଇଛି। ଶିକ୍ଷା ଏବଂ ସ୍ବାସ୍ଥ୍ୟ ଦିଗରେ ବି ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି। ମହିଳାମାନଙ୍କ ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଯେପରିକି ‘ମହିଳା ସମ୍ମାନ ଯୋଜନା’ ଅଧୀନରେ ୫,୧୦୦କୋଟିର ବ୍ୟବସ୍ଥା କରାଯାଇଛି, ଯାହା ମହିଳାମାନଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ପ୍ରଦାନ କରିବ। ହୋଲି ପାଇଁ ପୂର୍ବରୁ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି। ହୋଲି ଅବସରରେ ୮୫୩ ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇସାରିଛି।

ଏହା ସହିତ, ହୋଲି ଏବଂ ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର ପାଇଁ ୨୬୦ କୋଟି ଏବଂ ମହିଳାଙ୍କ ପାଇଁ ମାଗଣା ଯାତ୍ରା ପାଇଁ ୪୫୦ କୋଟି ବ୍ୟୟବରାଦ କରାଯାଇଛି। ମହିଳାଙ୍କ ସହିତ, ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଦିଲ୍ଲୀ ବସ୍ରେ ମାଗଣା ଯାତ୍ରା କରିପାରିବେ। ଏହା ସହ ସରକାର ‘ଦିଲ୍ଲୀରେ ଲକ୍ଷପତି ଯୋଜନା’ ମଧ୍ୟ ଘୋଷଣା କରିଛନ୍ତି, ଯାହା ଅଧୀନରେ ଜନ୍ମ ଠାରୁ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ଝିଅମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯିବ । ଗ୍ରାଜୁଏସନ୍ ହେବା ପରେ ସେମାନେ ୧.୨ ଲକ୍ଷଟଙ୍କା ପାଇବେ। ଏହି ଯୋଜନା ଦିଲ୍ଲୀରେ ଜନ୍ମ ନେଇଥିବା ଝିଅମାନଙ୍କ ପାଇଁ ଲାଗୁ ହେବ।