କଟକ, ୦୩/୦୧: ଏସ୍‌ସିବି ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟମାନେ ଜାଗା ନପାଇ ରାତିରେ ଖୋଲା ଆକାଶ ତଳେ ଏଠିସେଠି ବସୁଥିଲେ । ଏହି ସମସ୍ୟା ଦୂର ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏସ୍‌ସିବି କର୍ତ୍ତୃପକ୍ଷ ଆଜିଠାରୁ କାର୍ଯ୍ୟକାରୀ କରାଇଛନ୍ତି । ଆଶୁଚିକିତ୍ସା କେନ୍ଦ୍ର ସ୍ପାଇନାଲ୍‌ ଇଞ୍ଜୁରୀ ସେଣ୍ଟର୍‌ ନିକଟକୁ ସ୍ଥାନାନ୍ତର ପରେ ଉକ୍ତ ଖାଲି ହଲ୍‌କୁ ରୋଗୀ ସମ୍ପର୍କୀୟଙ୍କ ବିଶ୍ରାମସ୍ଥଳ ଭାବେ ଖୋଲାଯାଇଛି । ଏହି ବିଶ୍ରାମସ୍ଥଳ କେବଳ ରୋଗୀଙ୍କ ସମ୍ପର୍କୀୟମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି । ଆଡମିସନ୍‌ ହେଉଥିବା ରୋଗୀଙ୍କୁ ଦୁଇଟି ଲେଖାଏଁ ଆଟେଣ୍ଡାଣ୍ଟ ପାସ୍‌ ଦିଆଯାଉଛି । ଉକ୍ତ ପାସ୍‌ ଦେଖାଇ ସମ୍ପର୍କୀୟ ବିଶ୍ରାମସ୍ଥଳକୁ ଯାଇପାରିବେ । ଶୃଙ୍ଖଳା ବଜାୟ ରଖିବା ପାଇଁ ସିକ୍ୟୁରିଟି ଗାର୍ଡ ନିୟୋଜିତ କରାଯାଇଛି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।