ନୂଆଦିଲ୍ଲୀ,୨୬/୧୧: ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଛି ୧୬ ବର୍ଷ । ତଥାପି ଆଜି ସେ ଭୟ ଆତଙ୍କର ଚିତ୍ର ମନରୁ ଲିଭିନି । ୧୦ ପାକିସ୍ତାନୀ ଆତଙ୍କୀ ଯେଉଁ ଯନ୍ତ୍ରଣା ଦେଇ ଯାଇଛନ୍ତି ତାହା ଆଜି ମଧ୍ୟ ପ୍ରତିଟି ଭାରତୀୟଙ୍କ ଆଖିକୁ ଛଳଛଳ କରିଦେଉଛି। ୨୦୦୮ ମସିହା ମୁମ୍ବାଇ ଆତଙ୍କୀ ହମଲାରେ ୯ ଆତଙ୍କୀଙ୍କ ସମେତ ୧୬୦ ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଜଣେ ଆତଙ୍କୀ କସାବକୁ ଗିରଫ କରିବା ପରେ ଫାଶୀ ଦିଆଯାଇଥିଲା। ତେବେ ମୁମ୍ବାଇରେ ହୋଇଥିବା ଏହି ଆତଙ୍କୀ ହମଲା କେବଳ ଭାରତ ନୁହଁ ବିଦେଶକୁ ମଧ୍ୟ ଦୋହଲାଇ ଦେଇଥିଲା ।
ତେବେ ଲସ୍କର-ଇ-ତୋଇବାର ୧୦ଜଣ ଆତଙ୍କୀ ସମୁଦ୍ର ରାସ୍ତାରେ ମୁମ୍ବାଇରେ ପ୍ରବେଶ କରିଥିଲେ । ସମସ୍ତ ଆତଙ୍କୀ ୨୬ ନଭେମ୍ବର ରାତିରେ କୋଲାବା ନିକଟରେ ଥିବା ଏକ ବସ୍ତିରେ ଓହ୍ଲାଇଥିଲେ । ସେଠାରୁ ଆତଙ୍କୀମାନେ ୪ଟି ଗ୍ରୁପର ବାଣ୍ଟି ହୋଇ ସହରର ବିଭିନ୍ନ ସ୍ଥାନକୁ ଯାଇଥିଲେ ।ଏହି ସମୟରେ ଆତଙ୍କୀମାନଙ୍କ ଗତିବିଧିକୁ ଦେଖି ସନ୍ଦେହ ହେବାରୁ ସ୍ଥାନୀୟ ମତ୍ସଜୀବୀମାନେ ପୋଲିସକୁ ଖବର ଦେଇଥିଲେ । କିନ୍ତୁ ପୋଲିସ ମତ୍ସଜୀବୀମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ । ସେଦିନ ରାତି ପ୍ରାୟ ୯ ଟା ସମୟରେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଳରେ ଗୁଳିମାଡ଼ର ଖବର ଆସିଥିଲେ । ରେଳଓ୍ୱେ ଷ୍ଟେସନରେ ୨ଜଣ ଆତଙ୍କବାଦୀ ଏକ-୪୭ ଧରି ଅନ୍ଧାଧୁନ ଗୁଳିମାଡ କରିଥିଲେ । ପ୍ରାୟ ୧୫ ମିନିଟରେ ୫୨ଜଣଙ୍କୁ ହତ୍ୟା କରିଥିଲେ ଆତଙ୍କାବାଦୀ । ସେହିପରି ୧୦୯ଜଣ ଲୋକ ଆହତ ହୋଇଥିଲେ । ଏହାପରେ ଆତଙ୍କୀମାନେ ମୁମ୍ବାଇର ଲିୟୋପୋଲ୍ଡ କେଫେ, ବୋରିବନ୍ଦର,ବିଲି ପାରଲେ, ତାଜ ହୋଟେଲ , ଅବରୋଏ, ଟ୍ରାଇଡେଣ୍ଟ ହୋଟେଲ ଓ ନରମନ ହାଉସରେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ତାଜ୍ ଓ ଓବରୋୟ ହୋଟେଲ ବ୍ୟତୀତ ୟ୍ୟାହୁଦିମାନଙ୍କ ମୁଖ୍ୟ କେନ୍ଦ୍ର ନରିମନ ପଏଣ୍ଟରେ ଦଖଲ କରିବା ସହ ଅନେକ ଲୋକଙ୍କୁ ବନ୍ଧକ ରଖିଦେଇଥିଲେ ।
ଆକ୍ରମଣ ଘଟଣାକୁ ନେଇ ତୁରନ୍ତ ଆକ୍ସନରେ ଆସିଯାଇଥିଲେ ସରକାର । ତତ୍କାଳ ରାପିଡ଼ ଆକ୍ସନ ଫୋର୍ସ, ମେରାଇନ କମାଣ୍ଡୋ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (NSG)ଙ୍କୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଆତଙ୍କବାଦୀଙ୍କୁ ନିହତ ପାଇଁ ୩ଦିନ ସମୟ ଲାଗିଯାଇଥିଲା । ପ୍ରାୟ ୬୦ଘଣ୍ଟା ଧରି ଚାଲିଥିବା ଏହି ଲଢେଇ ସୁରକ୍ଷାକର୍ମୀମାନେ ୯ଜଣ ଆତଙ୍କୀଙ୍କୁ ନିହତ କରିଥିବା ବେଳେ ଜଣେ ଆତଙ୍କୀଙ୍କୁ ଗିରଫ କରିଥିଲେ । ଯାହାର ନାମ ଆଜମଲ ଆମିର କସାବ ଥିଲା । ସୁରକ୍ଷାକର୍ମୀମାନେ କସାବକୁ ୨୭ ନଭେମ୍ବର ଦିନ ଗିରଫ କରିଥିଲେ ।ପୋଲିସ ଆଗରେ ନିଜ ଅପରାଧ ମାନିଥିଲେ କସାବ । ଏହାପରେ କସାବକୁ ଆର୍ଥର ରୋଡ଼ ଜେଲ୍ରେ ଟ୍ରାଏଲ ପାଇଁ ଚୟନ କରାଯାଇଥିଲା ।କସାବକୁ ୩୧୨ ମାମଲାରେ ଅଭିଯୁକ୍ତ କରାଯାଇଥିଲା । ମେ ୨୦୧୦ରେ ସ୍ୱତନ୍ତ୍ର କୋର୍ଟ କସାବକୁ ଦୋଷୀ ଭାବେ ମାନି ଫାସୀ ଦଣ୍ଡ ଶୁଣାଇଥିଲେ ।
କିନ୍ତୁ ସ୍ୱତନ୍ତ୍ର କୋର୍ଟଙ୍କ ରାୟ ପରେ କସାବ ନିଜକୁ ନାବାଳକ ଦର୍ଶାଇ ହାଇକୋର୍ଟରେ ଅପିଲ କରିଥିଲେ । କେବଳ ଏତିକି ନୁହେଁ ମୁମ୍ବାଇ ଆକ୍ରମଣ ଘଟଣାରେ କସାବକୁ ଫସାଇ ଦିଆଯାଇଛି ବୋଲି କୋର୍ଟରେ ଦାବି ରଖାଯାଇଥିଲା । ଫେବୃଆରୀ ୨୦୧୧ରେ ହାଇକୋର୍ଟ କସାବଙ୍କୁ ସ୍ୱତନ୍ତ କୋର୍ଟରୁ ଦିଆଯାଇଥିବା ଦଣ୍ଡକୁ ଗ୍ରହଣ କରିବା ସହ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଜୁଲାଇ ୨୦୧୧ରେ କସାବର ଫାସୀ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ ହୋଇଥିଲା । ଅକ୍ଟୋବର ୨୦୧୧ରେ ସୁପ୍ରିମକୋର୍ଟ ଫାଶୀ ଉପରେ ରୋକ୍ ଲଗାଇବା ସହ ପୁଣିଥରେ ମାମଲାରୁ ଶୁଣାଣି ଆରମ୍ଭ କରିଥିଲେ । ୨୦୧୨ରେ ସୁପ୍ରିମକୋର୍ଟ ପୁରା ଘଟଣାର ଶୁଣାଣି କରି ରାୟକୁ ସ୍ଥଗିତ ରଖିଥିଲେ । ଅଗଷ୍ଟ ୨୦୧୨ରେ ସୁପ୍ରିମକୋର୍ଟ କସାବକୁ ଫାଶୀ ଦିଆଯିବା ନେଇ ରାୟ ଶୁଣାଇଥିଲେ ।ଏହାପରେ ଅକ୍ଟୋବରରେ କସାବ ରାଷ୍ଟ୍ରପତିଙ୍କ ନିକଟକୁ କ୍ଷମା ଆବେଦନ କରିଥିଲେ । କସାବର ଆବେଦନକୁ ଗୃହ ମନ୍ତ୍ରଣାଳୟ ଖାରଜ କରିଦେଇଥିଲା। ଗୃହ ବିଭାଗ ନିକଟ ସୁପାରିଶ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଦେଇଥିଲା । ଏହାପରେ ୫ ନଭେମ୍ବର ୫ରେ ରାଷ୍ଟ୍ରପତି ମଧ୍ୟ କସାବର କ୍ଷମା ଆବେଦନକୁ ଖାରଜ କରିଦେଇଥିଲେ ।