ଭୁବନେଶ୍ୱର,୨୦/୦୧: ବିଜେଡି ଆରମ୍ଭ କରିଛି ଘର ସଜଡ଼ା ଅଭିଯାନ । ଯେଉଁମାନେ ଦଳ  ଛାଡ଼ି ଯାଇଥିଲେ କିମ୍ବା ସେମାନଙ୍କୁ ଦଳରୁ ବହିଷ୍କାର  କରାଯାଇଥିଲା, ସେମାନଙ୍କ ସହ ପୁଣି ଯୋଗାଯୋଗ  କରାଯାଉଛି । ସେମାନଙ୍କୁ ଦଳକୁ ଫେରାଇ ଆଣିବାକୁ  ଉଦ୍ୟମ କରାଯାଉଛି । ସେହି କ୍ରମରେ ବାଲେଶ୍ୱର ଜିଲ୍ଲା  ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ପରିଡ଼ାଙ୍କ  ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିଛନ୍ତି  ବିଜେଡି ସଭାପତି ନବୀନ ପଟ୍ଟନାୟକ ।  

୨୦୨୩ ସେପ୍ଟେମ୍ୱର ୨୧ରେ ତତ୍କାଳୀନ  ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ  ଶ୍ରୀ ପରିଡ଼ାଙ୍କୁ ଦଳରୁ ବହିଷ୍କାର କରିଥିଲେ ନବୀନ ।  ସେତେବେଳେ ଶ୍ରୀ ପରିଡ଼ାଙ୍କ ନାମରେ  ଦୁର୍ନୀତି ଅଭିଯୋଗ ଆସିଥିଲା । ତେଣୁ  ବିଜେଡି ସୁଧାଂଶୁଙ୍କୁ ଦଳରୁ ବହିଷ୍କାର  କରିବା ସହ ୨୦୨୪ ସାଧାରଣ  ନିର୍ବାଚନରେ ବିଦ୍ୟାସ୍ମିତା ମହାଳିକଙ୍କୁ  ଟିକଟ ଦେଇଥିଲା । ସୁଧାଂଶୁ ସ୍ୱାଧୀନ  ଭାବେ ନିର୍ବାଚନ ଲଢ଼ି ମାତ୍ର ୬୮୩  ଖଣ୍ଡ ଭୋଟ ପାଇଥିଲେ । ସେହିପରି  ରେମୁଣାରୁ ବିଜେଡିର ପୂର୍ବତନ ବିଧାୟକ ସୁଦର୍ଶନ  ଜେନା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇ  ନିର୍ବାଚନ ଲଢ଼ିଥିଲେ । ସୁଦର୍ଶନ ୧୨ ହଜାରରୁ  ଅଧିକ ଭୋଟ ପାଇଥିଲେ । ତେବେ ସୁଧାଂଶୁଙ୍କ ସହ  ବାଲେଶ୍ୱରର ପୂର୍ବତନ ସାଂସଦଙ୍କ ସମେତ  ବିଜେଡିର ଗୋଟିଏ ବଡ଼ ଗୋଷ୍ଠୀର  ମତଭେଦ ଥିଲା ଯାହା ଗତ ନିର୍ବାଚନରେ  ପ୍ରତିଫଳିତ ହୋଇଥିଲା । ଉଭୟ ରେମୁଣା ନିର୍ବାଚନମଣ୍ଡଳୀ ଓ ବାଲେଶ୍ୱର ସଂସଦୀୟ  କ୍ଷେତ୍ରରେ ବିଜେଡି ହାରିଥିଲା । ମାତ୍ର  ବିଳମ୍ବରେ ହେଉ ପଛେ ବିଜେଡି ତା’ର  ବଳ ଗୋଟାଇବାକୁ ଆରମ୍ଭ କରିଛି ।  ତେଣୁ ଦଳରୁ ବହିଷ୍କାର ହୋଇଥିବା ନେତା ଓ  କୋଣଠେସା ନେତାମାନଙ୍କୁ ପୁଣି ଦଳର ମୁଖ୍ୟସ୍ରୋତକୁ  ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା  ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।