ଭୁବନେଶ୍ୱର ୦୩/୦୧: ୭୬ ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନରେ ଓଡ଼ିଶାର ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ସେ ସକାଳ ସାଢ଼େ ୮ଟାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଏଥର ସମାରୋହର ମୁଖ୍ୟ ଆକର୍ଷଣ ହେବ ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବରପୁତ୍ର । ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।
ସାଧାରଣତନ୍ତ୍ର ଦିବସ ଗର୍ବ, ଗୌରବ ଓ ଭାବାବେଗର ପ୍ରତୀକ । ତେଣୁ ଉକ୍ତ ସମାରୋହ ପ୍ରସ୍ତୁତିର ବିଭିନ୍ନ ଦିଗକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ଓଡ଼ିଆ ଅସ୍ମିତା ଏବଂ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନକୁ ମୁଖ୍ୟ ଆଧାର ରୂପେ ଗ୍ରହଣ କରି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ପ୍ରଦର୍ଶିତ ହେବାକୁ ଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ଼ଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।
ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ, ପାର୍କ, ବସ୍ଷ୍ଟାଣ୍ଡ୍ରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଭାତରେ ରାମଧୂନ୍ ପରିବେଷଣ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାକୁ ରଙ୍ଗବେରଙ୍ଗର ଆଲୋକରେ ସଜ୍ଜାଯିବ । ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍ ନିୟନ୍ତ୍ରଣ କମିଶନରେଟ୍ ପୁଲିସ୍ ପରିଚାଳନା କରିବ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର କୁମାର ପରିଡ଼ା, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।