ଗ୍ୟାଙ୍ଗଟକ: ସିକ୍କିମର ଚାଟେନରୁ ୭୬ ଜଣ ସୈନିକଙ୍କୁ ଶନିବାର ସକାଳେ ଏୟାରଲିଫ୍ଟ କରାଯାଇ ଉଦ୍ଧାର ଅଭିଯାନ ସଫଳତାର ସହ ଶେଷ କରାଯାଇଛି। ସିକ୍କିମ ସରକାରଙ୍କ ସୁଚନା ଅନୁସାରେ, ତିନୋଟି ଏମଆଇ-୧୭ ହେଲିକପ୍ଟର ମାଧ୍ୟମରେ ଏହି ସୈନିକମାନଙ୍କୁ ପାକ୍ୟୋଙ୍ଗ ଗ୍ରୀନଫିଲ୍ଡ ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା। ଏହାପୂର୍ବରୁ ଚାଟେନ ଓ ଲାଚୁଙ୍ଗରେ ଫସି ରହିଥିବା ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।
ମଙ୍ଗନ ଜିଲ୍ଲାରେ ଭାରୀ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଚାଟେନ ବିଚ୍ଛିନ୍ନ ହୋଇପଡ଼ିଥିଲା। ତରଣ ଚୁ ନଦୀ ଉପରେ ଥିବା ଦୁଇଟି ସେତୁ ଭାଙ୍ଗି ଯାଇଥିବାରୁ ସଡ଼କପଥରେ ମଧ୍ୟ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା। ଭାରତୀୟ ସେନା, ବାୟୁସେନା, ଏନଡିଆରଏଫ, ବିଆରଓ ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ଏହି ଉଦ୍ଧାର ଅଭିଯାନ ଜାରି ରହିଥିଲା। ଜୁନ ୩ରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟରେ ୩୦ ଜଣ ପର୍ଯ୍ୟଟକ, ଯେଉଁମାନଙ୍କ ମଧ୍ୟରେ ବିଦେଶୀ ନାଗରିକ ମଧ୍ୟ ଥିଲେ, ପ୍ରଥମେ ଉଦ୍ଧାର ହୋଇଥିଲେ। ଜୁନ ୪ରେ ୧୧୩, ଜୁନ ୫ରେ ୫୯ ଓ ଜୁନ ୬ରେ ୬୩ ଜଣ ପର୍ଯ୍ୟଟକଙ୍କୁ ଗ୍ୟାଙ୍ଗଟକକୁ ଫେରାଯାଇଥିଲା।
ଖରାପ ପାଗ ଓ କଠିନ ପରିସ୍ଥିତି ସତ୍ତ୍ୱେ, ପାଗ ସୁଧୁରିବା ପରେ ଶୁକ୍ରବାର ଓ ଶନିବାର ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା। ମଙ୍ଗନ ଜିଲ୍ଲା କଲେକ୍ଟର ଅନନ୍ତ ଜୈନ ଏହି ସମନ୍ୱିତ ପ୍ରୟାସର ପ୍ରଶଂସା କରି ସେନା ଓ ବାୟୁସେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟ ସରକାର ଉତ୍ତର ସିକ୍କିମର ପରିସ୍ଥିତି ଉପରେ ନଜର ରଖି ଭବିଷ୍ୟତରେ ଏଭଳି ବିପର୍ଯ୍ୟୟ ରୋକିବା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ଘୋଷଣା କରିଛନ୍ତି।