ଗଜପତି, ୧୦/୧୦: ବାଦଲଫଟା ବର୍ଷାରେ ଭୂସ୍ଖଳନ ଯୋଗୁଁ ପେକଟ ଗାଁର ନିଖୋଜ ବାପପୁଅଙ୍କ ପତ୍ତା ୮ ଦିନ ପରେ ବି ମିଳିପାରିନାହିଁ । ଦୀର୍ଘ ୮ଦିନ ପ୍ରଶାସନ ୭ଟି ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ଏବଂ ସନ୍ଧାନୀ କୁକୁର ସହାୟତାରେ ଖୋଜା ଖୋଜି କରିଥିଲା । ହେଲେ କିଛି ସୁଫଳ ମିଳିପାରିନାହିଁ । ତେଣୁ ଶୁକ୍ରବାରଠାରୁ ସର୍ଚ୍ଚ ଅପରେସନ ବନ୍ଦ କରିଦିଆଯାଇଛି । ସେପଟେ ନିଖୋଜ କାର୍ତ୍ତିକ ଓ ରାଜିକଙ୍କ ପରିବାର ଲୋକେ ବିନା ମର ଶରୀରରେ ସତ୍କାର ଓ ଶୁଦ୍ଧିକ୍ରିୟା ଆରମ୍ଭ କରିଛନ୍ତି ।

ଗଜପତି ଜିଲ୍ଲା ରାୟଗଡ ବ୍ଲକର ପେକଟ ଗାଁରେ ଗତ ଦୁଇ ତାରିଖ ବାଦଲଫଟା ବର୍ଷାରେ ଭୂସ୍ଖଳନ ହୋଇଥିଲା । ଫଳରେ ଗାଁର କାର୍ତ୍ତିକ ଶବର ଏବଂ ତାଙ୍କ ପୁଅ ରାଜିକ ଶବର ନିଖୋଜ ହୋଇଯାଇଥିଲେ । ଏହି ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ସନ୍ଧାନୀ କୁକର ସହାୟତାରେ  ଅଗ୍ନଶମ, ଓଡ୍ରାଫ କର୍ମଚାରୀମାନେ ଖୋଜାଖୋଜି ଆରମ୍ଭ କରିଥିଲେ । ଦୀର୍ଘ ୮ଦିନର ଏହି ସର୍ଚ୍ଚ ଅପରେସନରେ ୩୦ଜଣ ଅଗ୍ନିଶମ ଓ ୮୭ଜଣ ଓଡ୍ରାଫ କର୍ମଚାରୀ ନିୟୋଜିତ ହୋଇଥିଲେ । ଭୂସ୍ଖଳନ ଅଞ୍ଚଳ ସମେତ ନିକଟରେ ଥିବା ନଦୀର ପ୍ରାୟ ୨୦କିଲୋମିଟର ଦୂର ଯାଏଁ ଖୋଜାଖୋଜି କରିଥିଲେ । ତଥାପି ନିଖୋଜ ବାପପୁଅଙ୍କ କୌଣସି ସନ୍ଧାନ ମିଳିପାରିନାହିଁ । ମିଳିବା ସମ୍ଭାବନା କ୍ଷୀଣ ହେବାରୁ ଗ୍ରାମବାସୀ ଓ ପରିବାର ବର୍ଗଙ୍କ ଲିଖିତ ବୟାନକୁ ଭିତ୍ତିକରି ପ୍ରଶାସନ ପକ୍ଷରୁ ଆଜିଠାରୁ ଏହି ସର୍ଚ୍ଚ ଅପରେସନକୁ ବନ୍ଦ କରିଦିଆଯାଇଛି । ନିଖୋଜଙ୍କୁ ଖୋଜିବା ପାଇଁ ପ୍ରଶାସନ ସମସ୍ତ ପ୍ରୟାସ କରିଥିଲା  । ହେଲେ କୌଣସି ସୁଫଳ ମିଳି ପାରିଲା ନାହିଁ  । ତେଣୁ ବାଧ୍ୟ ହୋଇ ଗାଁ ଲୋକଙ୍କ ଅନୁରୋଧ କ୍ରମେ ଏହାକୁ ବନ୍ଦ କରାଯାଇଥିବା ଉପଜିଲ୍ଲାପାଳ କହିଛନ୍ତି । ୨୦୦୬ରେ ଆସିଥିବା ସରକାରୀ ଗାଇଡଲାଇନ ଅନୁସାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ ଏବଂ ବାପ ଛେଉଣ୍ଡ ଦୁଇ ପୁଅଙ୍କ ଶିକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା କହିଛନ୍ତି  ।

ସେପଟେ ନିଖୋଜ ବାପାପୁଅଙ୍କ କୌଣସି ପତ୍ତା ମିଳିନଥିବାରୁ ସେମାନେ ଜୀବିତ ନା ମୃତ ତାହା ଏଯାଏଁ ଅସ୍ପଷ୍ଟ । ଆଶା ଆଶଙ୍କା ମଧ୍ୟରେ ରହିଥିବା ନିଖୋଜଙ୍କ ପରିବାର ଏବଂ ଗାଁ ଲୋକେ ଶୁକ୍ରବାର ପ୍ରତୀକାତ୍ମକ ଶବଦାହ କରିବା ସହ ଶୁଦ୍ଧିକ୍ରିୟା ଆରମ୍ଭ କରିଛନ୍ତି । ଭୂସ୍ଖଳନ ଅଞ୍ଚଳରୁ ମାଟି ଆଣିବା ସହ ନିଖୋଜ ଦୁଇଜଣଙ୍କ ପୋଷାକ ଆଦି ନେଇ ଶବଦାହ କରାଯାଇଛି ।  ଆଦିବାସୀ ରୀତିନୀତି ଅନୁସାରେ ଶବ ସତ୍କାର କରାଯାଇଥିବା ବେଳେ ଦଶାହ ଓ ଦ୍ବାଦଶାହ ମଧ୍ୟ କରାଯିବ ବୋଲି ସେମାନେ କହିଛନ୍ତି । ନିଖୋଜଙ୍କ ପରିବାର ଏବଂ ଗାଁ ଲୋକଙ୍କ କହିବା ଅନୁଯାୟୀ, ଦୀର୍ଘ ୮ଦିନ ହେଲାଣି, ସେମାନେ ଯଦି ଜୀବିତ ଥାନ୍ତେ ତାହେଲେ ଘରକୁ ଫେରିଥାନ୍ତେ । ଯେଉଁଭଳି ଭୂସ୍ଖଳନ ହୋଇଛି, ତାହାରି ତଳେ ଚାପି ହୋଇ ରହିଯାଇ ସେମାନଙ୍କ ମୃତ୍ୟୁ ହୋଇଛି  । ତେଣୁ ସତ୍କାର କ୍ରିୟା କରାଯାଇଛି । ନିଖୋଜ ବାପପୁଅଙ୍କୁ ଖୋଜିବା ପାଇଁ ପ୍ରଶାସନ ବହୁ ପ୍ରୟାସ କଲା, ସେଥିପାଇଁ ସରପଞ୍ଚ ଜଳନ୍ଧର କାର୍ଜୀ ଏବଂ ବଡିଓ ସନ୍ତୋଷ କୁମାର ବାରିକ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ପରିବାର ବର୍ଗ ଓ ଗ୍ରାମବାସୀ । ତେବେ ସେମାନଙ୍କ ପତ୍ତା ନମିଳିବାରୁ ଆଉ ଖୋଜିବାରେ ସମୟ ନଷ୍ଟ ନକରି ବରଂ ଦୁଇ ବିଧବା ଶାଶୁ ବୋହୂ ଏବଂ ଦୁଇ ଜଣ ବାପ ଛେଉଣ୍ଡ ପିଲାଙ୍କ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ତେଣୁ  ପ୍ରଶାସନ ଆଜିଠୁ  ଖୋଜା କାମ ବନ୍ଦ କରିଛି । ଅତିଶୀଘ୍ର ଏହି କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୁରଣ ପ୍ରଦାନ କରିବା ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ରାମ  ଶବର, ସୁରେନ୍ଦ୍ର ଶବର, ଗୋପୀନାଥ ରାଇକା, ସିଫନ କାର୍ଯୀ ପ୍ରମୁଖ ଗ୍ରାମବାସୀ କହିଛନ୍ତି  ।