ଭୁବନେଶ୍ୱର, ୨୧/୦୬: ବଡ଼ଗଡ଼ ନିକଟ ଦୟାୱେଷ୍ଟ କେନାଲରେ ଥିବା ସାଇଫନର ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବିଭିନ୍ନ ବର୍ଜ୍ୟ ପଦାର୍ଥରେ ସାଇଫନର ମୁହଁ ରୁନ୍ଧି ହୋଇଯାଇଛି । ଫଳରେ ସାଇଫନ ଦେଇ ଜଳପ୍ରବାହ ହୋଇପାରୁନି । ନର୍ଦ୍ଦମା ପାଣି ୪୫ ନମ୍ବର ୱାର୍ଡ ଅନ୍ତର୍ଗତ ବିଶ୍ୱନାଥ ନଗର, ଚମ୍ପା ପୋଖରି, ହୁଡ଼ାସାହି, କୁନ୍ତଳା ଗଳି, ଜାଲି ଗଳି, କେନାଲ ରୋଡର ପଶ୍ଚିମ ପଟ ସମେତ ଚିନ୍ତାମଣିର ଅଞ୍ଚଳରେ ଡ୍ରେନ ପାଣି ଉଛୁଳି ଉପରୋକ୍ତ ଜନବସତି ଆଡ଼େ ମାଡ଼ିଗଲାଣି । ଏହାକୁ ଦେଖି ଆଶୁ ପ୍ରତିକାର ନିମନ୍ତେ ପୂର୍ତ୍ତ ଓ ଜଳସେଚନ ବିଭାଗ ପକ୍ଷରୁ ସାଇଫନ ସଫେଇ ଆରମ୍ଭ ହୋଇଛି । ହେଲେ ଏଥିରେ କେତେଦୂର ପାଣି ନିଷ୍କାସନ ହେବ, ତାହାକୁ ନେଇ ଚିନ୍ତାମଣିଶ୍ୱର ଅଞ୍ଚଳ ବାସିନ୍ଦା ଚିନ୍ତାରେ ପଡ଼ିଛନ୍ତି ।
ବର୍ଷା ଦିନ ଆରମ୍ଭ ହେଉ ହେଉ କେନାଲ ବାମ ପାଶ୍ୱର୍ ଜନବସତି ସମେତ ୱାର୍ଡ ନଂ-୪୫ରେ ଜଳବନ୍ଦୀ ଆତଙ୍କ ଦେଖାଦେଇଛି । ୬ ନମ୍ବର ଡ୍ରେନ୍ରେ ଆସୁଥିବା ନର୍ଦ୍ଦମା ପାଣି ସହିତ ବର୍ଷା ଜଳ ମିଶି ପରିସ୍ଥିତିକୁ ସାଂଘାତିକ କରିଦେଇଛି । କାରଣ କେନାଲର ତଳ ଦେଇ ଯାଇଥିବା ସାଇଫନ ପଟେ ଠିକ୍ ଭାବେ ଜଳ ନିଷ୍କାସନ ହୋଇ ପାରୁନାହିଁ । ଉପରମୁଣ୍ଡରେ ନର୍ଦ୍ଦମା ପାଣି ଓ ବର୍ଷା ଜଳ ଜମି ରହୁଛି । ସାଇଫନ ଭିତର ବିଭିନ୍ନ ବର୍ଜ୍ୟ ବସ୍ତୁରେ ପୋତି ହୋଇଯାଇଛି । ଉଭୟ ପଟେ ଡ୍ରେନ୍ ଜବରଦଖଲ ହୋଇଥିବାରୁ ପାଣି ତଳ ମୁଣ୍ଡକୁ ଖସି ପାରୁ ନାହିଁ । ଏହାର ନିରାକରଣ ପାଇଁ ପ୍ରଶାସନିକସ୍ତରରେ ବାରମ୍ବାର ବୈଠକ ବସୁଥିଲେ ମଧ୍ୟ ଏଥିରୁ କୌଣସି ଫଳ ବାହାରି ପାରୁନାହିଁ । ଏହି ସାଇଫନଟି ରାଜ୍ୟ ଜଳସେଚନ ବିଭାଗ ପକ୍ଷରୁ ୧୯୬୩ରେ ନିର୍ମାଣ ହୋଇଥିଲା । ଏପଟେ ପ୍ରବାହିତ ପ୍ରାକୃତିକ ନାଳର ସ୍ୱଚ୍ଛ ଜଳ ସାଇଫନ୍ ତଳେ ଯାଇ ଅପରପଟେ ଥିବା ବଡ଼ଗଡ଼ ଗହିର ବିଲରେ ମାଡୁଥିଲା । କାଳକ୍ରମେ ଏହି ପ୍ରାକୃତିକ ନାଳ ଡ୍ରେନ ନଂ- ୦୬ରେ ପରିଣତ ହୋଇଛି । ସାଇଫନରେ ଠିକ୍ ଭାବେ ପାଣି ଖସି ଗଙ୍ଗୁଆ ନଦୀରେ ପଡୁଥିଲା । ହେଲେ ୨୦୧୦ରେ ରାଜ୍ୟ ସରକାର କେନାଲ ବନ୍ଧ ଉପରେ ରାସ୍ତା ନିର୍ମାଣ କରିବା ପାଇଁ ସ୍ଥିର କଲେ । ତେଣୁ ଜଳସେଚନ ବିଭାଗ ଉଭୟ ପଟ ବନ୍ଧକୁ ପୂର୍ତ୍ତ ବିଭାଗ ଅଧୀନ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ-୪କୁ ହସ୍ତାନ୍ତର କଲା । ଏଥିରେ ସବୁଠାରୁ କ୍ଷତିଗ୍ରସ୍ତ ହେଲା ସାଇଫନଟି । ୮୦ ଫୁଟ ଚଉଡ଼ା ବିଶିଷ୍ଟ ଏହି ସାଇଫନକୁ ସଙ୍କୁଚିତ କରାଯାଇ ୨୨ ଫୁଟରେ ପରିଣତ କରାଗଲା । ଫଳରେ ଯେଉଁ ପରିମାଣର ଜଳ ସାଇଫନ ପଟେ ନିଷ୍କାସିତ ହେବା କଥା ତାହା ହୋଇ ପାରିଲା ନାହିଁ । ଲୋକେ ସାଇଫନ ମୁହଁରେ ଜରି, ପୁରୁଣା ଟାୟାର, ଗଦି, ତକିଆ, ଭଙ୍ଗା ଟିଭି, ଗଛ, ବାଉଁଶ, ନଡ଼ା, ସିମେଣ୍ଟ ବସ୍ତା, ଭଙ୍ଗା ଆଜବେଷ୍ଟସ୍ ସମେତ ଅବ୍ୟବହୃତ ଜିନିଷ ଆଦି ଫୋପାଡ଼ିଲେ । ଫଳରେ ଆଜି ଏହି ଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ବିଏମ୍ସି ମେୟର ସୁଲାଚନା ଦାସଙ୍କ ଅଧ୍ୟକ୍ଷତାରେ ସାଇଫନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଏମ୍ସି ସିଟି ଇଞ୍ଜିନିୟର, ଡ୍ରେନେଜ ଡିଭିଜନ, ଜଳସେଚନ ଡିଭିଜନ, ୱାଟକୋ ଡିଭିଜନ, ପୂର୍ତ୍ତ ଡିଭିଜନର ବରିଷ୍ଠ ଇଞ୍ଜିନିୟର ମାନଙ୍କ ସମେତ ସ୍ଥାନୀୟ କର୍ପୋରେଟରମାନେ ଉପସ୍ଥିତ ଥିଲେ । ୪୫, ୪୩, ୪୪, ୩୧ ୱାର୍ଡରୁ ଜଳ ନିଷ୍କାସନ ପଥ ସୁଗମ କରିବା ଏଥିରେ ମୁଖ୍ୟ ପ୍ରସଙ୍ଗ ଥିଲା । ସାଇଫନର ଦୁଇ ପଟ ମୁହଁ ଚଉଡ଼ା କରିବା, ଜବରଦଖଲ ହଟାଯାଇ ସାଇଫନ ମୁହଁ ଚଉଡ଼ା କରାଯିବା ଓ ଡ୍ରେନ୍ ଗର୍ଭରେ ଥିବା ବର୍ଜ୍ୟ ପଦାର୍ଥ ଗୁଡିକୁ କାଢ଼ି ଜଳ ନିଷ୍କାସନର ବାଟ ବାହାର କରାଯିବ ବାଲି ନିଷ୍ପତ୍ତି ହୋଇଥିଲା । ତେବେ ଡ୍ରେନ୍ର ଦାୟିତ୍ୱ ବିଏମ୍ସି ଡ୍ରେନେଜ୍ ଡିଭିଜନ ହାତରେ ଥିବା ବେଳେ ଆଜି ସଫେଇ ବେଳେ କ୍ଷେତ୍ର ଉପରେ ସଂପୃକ୍ତ ବିଭାଗର କୌଣସି କର୍ମଚାରୀ ନଥିଲେ । କେନାଲ ରୋଡ ପଶ୍ଚିମ ପଟେ ଥିବା ସାଇଫନ୍ ଡ୍ରେନ୍ରୁ ବର୍ଜ୍ୟବସ୍ତୁକୁ ଜଳସେଚନ ବିଭାଗ ଅଧୀନ ପ୍ରାଚୀ ଡିଭିଜନ କାଢ଼ିବା ଆରମ୍ଭ କରିଥିବା ବେଳେ, ପାଗା ବାରି ପଟ ଥିବା ସାଇଫନ ମୁହଁକୁ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ନମ୍ବର-୧ କାଢ଼ିବା ଆରମ୍ଭ କରିଛି । ଏ ସମ୍ପର୍କରେ ୱାର୍ଡ ନଂ-୪୫ର କର୍ପୋରେଟର ଅମରେଶ ଜେନା କହିଛନ୍ତି, ଜନସାଧାରଣଙ୍କ ସୁବିଧା ନିମନ୍ତେ ଯଥାଶୀଘ୍ର ସାଇଫାନ ଭିତରୁ ବର୍ଜ୍ୟବସ୍ତୁ ବାହାର କରାଯାଉ । ଯେପରି କାହା ଘରେ ନର୍ଦ୍ଦମା ପାଣି ନ ପଶିବ, ସେ ଦିଗରେ ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ ହେବା ଦରକାର ।