ଭୁବନେଶ୍ବର,୨୦।୧୧ ସାଲିଆସାହିରେ ଉଚ୍ଛେଦ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର। ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ବିଭ୍ରାନ୍ତ କରୁଛନ୍ତି । ତାହାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି । ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ବିଭ୍ରାନ୍ତି କରୁଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ନନ୍ଦନକାନନରୁ ଜୟଦେବ ବିହାରକୁ ଯୋଡିବାକୁ ଏକାମ୍ରକାନନରୁ ସମାନ୍ତରାଳ ବାମପାର୍ଶ୍ବର ରାସ୍ତା କାମ ଅଧାରେ ଅଟକି ରହିଛି। ୨୦୦ ଫୁଟିଆ ଏ ରାସ୍ତାକାମରେ ବସ୍ତି ବାସିନ୍ଦାଙ୍କ ଘର ବାଧକ ସାଜିଥିଲା । ବସ୍ତିବାସିନ୍ଦା ସରକାରୀ ଘର ପାଇବା ପରେ ବି ଘର ଛାଡୁନଥିଲେ।  ବିଡିଏ ବିଏମସିର ଯୁଗ୍ମ ଏନଫାର୍ସମେଣ୍ଟ ଟିମ୍ ପହଞ୍ଚି ଜବରଦଖଲକାରୀଙ୍କୁ ଉଚ୍ଛେଦ  କରିଥିଲେ। ଉଚ୍ଛେଦ ବେଳେ ଲୋକମାନେ ପ୍ରତିବାଦ କରିଥିଲେ । ଏପରିକି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଓ ପ୍ରଶାସନିକ ଅଧିକାରୀ ଲୋକମାନଙ୍କୁ ବୁଝାସୁଝା କରିବା ସହ ଜବରଦଖଲ ଉଚ୍ଛେଦ କରିଥିଲେ।