ନୂଆଦିଲ୍ଲୀ ୨୭/୦୭: ୨୦୨୪, ଜୁଲାଇ ୩୦ରେ କେରଳର ୱାୟନାଡ଼ ଏକ ବିନାଶକାରୀ ଭୂସ୍ଖଳନର ସମ୍ମୁଖୀନ ହୋଇଥିଲା । ଏହି ଭୟାନକ ବିପତ୍ତିରେ କାଲାଥିଙ୍ଗଲ ନୌଫଲଙ୍କ ପରିବାରର ୧୧ଜଣ ସଦସ୍ୟ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରେ ତାଙ୍କ ପତ୍ନୀ ଓ ୩ ପିଲା ମଧ୍ୟ ଥିଲେ । ସେଇ ଘଟଣା ନୌଫଲଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇଦେଲା । ଏବେ ବର୍ଷେ ପରେ ତାଙ୍କ କାହାଣୀ ଧୈର୍ଯ୍ୟ, ଦୃଢ଼ସଂକଳ୍ପ ଓ ବିପୁଳ ସମର୍ଥନର ଉଦାହରଣ ପ୍ରସ୍ତୁତ କରିଛି । ପରିବାରକୁ ହରାଇବା ଭଳି ଏକ ମହାବିପତ୍ତିର ସମ୍ମୁଖୀନ ହୋଇ ମଧ୍ୟ ନୌଫଲ ହାର୍‌ ମାନିଲେ ନାହିଁ । ନିଜକୁ ସମ୍ଭାଳିଲେ ଏବଂ ପାହାଡ଼ ଭଳି ଦୁଃଖରୁ ମୁକୁଳି ଜୀବନକୁ ପୁଣି ଥରେ ଗଢ଼ିବାକୁ ନିଷ୍ପତ୍ତି ନେଲେ । 

ଆଜି ୪୩ ବର୍ଷୀୟ ନୌଫଲ ରେସ୍ତୋରାଁ ରୂପେ ଏକ ନୂଆ ସାଥୀ ଓ ଏକ ନୂଆ ଘର ପାଇଛନ୍ତି, ଯାହାର ନାଁ ‘ଜୁଲାଇ ୩୦’ । ନୌଫଲ ୱାୟନାଡ଼ର ଗାଁ ମୁଣ୍ଡାକ୍କାଇରେ ରହୁଥିଲେ, ଯାହା ଗତ ବର୍ଷ ଭୂସ୍ଖଳନ ଯୋଗୁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଗଲା ଏବଂ ୨୯୮ ଜଣଙ୍କ ଜୀବନ ଚାଲିଗଲା । ସେଇ ବିନାଶକାରୀ ଘଟଣା ଦିନ ନୌଫଲ ଓମାନରେ ଜଣେ ସେଫ୍‌ ଭାବେ କାମ କରୁଥିଲେ । ଘଟଣା ବିଷୟରେ ଶୁଣିବା ପରେ ସେ ସଙ୍ଗେସଙ୍ଗେ ଭାରତ ଫେରିଆସିଲେ । ପରିବାରର ୧୧ ସଦସ୍ୟଙ୍କ ମୃତ ଶରୀର ଦେଖି ତାଙ୍କୁ ଶକ୍ତ ଧକ୍କା ଲାଗିଲା । ସେ କେବଳ ୫ ଜଣଙ୍କୁ ଚିହ୍ନଟ କରିପାରିଲେ । ଅନ୍ୟମାନଙ୍କୁ ଡିଏନ୍‌ଏ ଟେଷ୍ଟ୍‌ ଜରିଆରେ ଚିହ୍ନଟ କରାଗଲା ।

ଏହି ଘଟଣା ପରେ ସେ ନିଜ ଜୀବନକୁ ଆଗକୁ ନେବାକୁ ଏବଂ ଦିବଂଗତ ପତ୍ନୀ ସାଜନାଙ୍କ ସ୍ୱପ୍ନ ପୂରଣ କରିବାକୁ ନିଷ୍ପତ୍ତି ନେଲେ । ଏକ ରେସ୍ତୋରାଁ ଖୋଲି କେରଳରେ ସ୍ଥାୟୀ ଭାବେ ରହିବା ତାଙ୍କ ପତ୍ନୀଙ୍କ ସ୍ୱପ୍ନ ଥିଲା । ପ୍ରଥମେ ନୌଫଲ ଏକ ଅସ୍ଥାୟୀ ଘରେ ରହୁଥିଲେ । ଏହି ସମୟରେ ଏକ ମୁସଲିମ୍‌ ସାମାଜିକ-ଧାର୍ମିକ ସଂଗଠନ ତାଙ୍କୁ ୭ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲା । ଏହା ପରେ ସେ ପତ୍ନୀଙ୍କ ସ୍ୱପ୍ନ ପୂରଣ କରିବାକୁ ଆଗଭର ହେଲେ । ସେ ଏକ ରେସ୍ତୋରାଁ-କମ୍‌-ବେକରୀ ଖୋଲିଲେ । ଜୀବନର ସବୁଠୁ ବିନାଶକାରୀ ଘଟଣାର ସ୍ମୃତିରେ ସେ ଏହାର ନାମ ଦେଲେ ‘ଜୁଲାଇ ୩୦’ । 

ତେବେ ନାଁକୁ ଦେଖି ଅନେକ ତାଙ୍କୁ ଥଟ୍ଟା କଲେ । କିନ୍ତୁ ଯେତେବେଳେ ଲୋକେ ସେହି ସ୍ଥାନକୁ ଯାଆନ୍ତି, ସେଦିନର ବିପତ୍ତି କଥା ମନେପଡ଼ିଯାଏ । ଈଶ୍ୱରଙ୍କ ପାଖରେ ସେମାନେ ନତମସ୍ତକ ହୋଇଯାଆନ୍ତି ବୋଲି ନୌଫଲ କହିଛନ୍ତି । ପରେ ଓମାନ ସ୍ଥିତ କେରଳ ମୁସ୍‌ଲିମ କଲ୍‌ଚରାଲ ସେଣ୍ଟର୍‌ ତାଙ୍କ ପାଇଁ ଏକ ଜାଗା କିଣିଲା ଏବଂ ଏକ ନୂଆ ଘର ନିର୍ମାଣ କଲା । ନିକଟରେ ଘରର ଚାବି ନୌଫଲଙ୍କୁ ମିଳିଛି । ସେ ସଫ୍‌ନା ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରି ନୂଆ ଜୀବନ ଆରମ୍ଭ କରିଛନ୍ତି ।