ଭୁବନେଶ୍ୱର, ୧୬/୦୧: ଭୁବନେଶ୍ୱର ବିମାନବନ୍ଦରକୁ ପକ୍ଷୀ ଭୟ । ପକ୍ଷୀ ମାଡ଼ ଜନିତ ଅଘଟଣକୁ ରୋକିବାକୁ କଠୋର ହୋଇଛି ବିଏମସି । ଆମିଷ ବିକ୍ରି ନେଇ କଟକଣା ଜାରି କରିଛି । ୧ ଫେବୃଆରୀରୁ ବିଏମ୍ସି ଅଞ୍ଚଳରେ ଆମିଷ ବିକ୍ରି ନେଇ କଟକଣା କଡ଼ାକଡ଼ି ଲାଗୁହେବ । ଏନେଇ ଏକ ଏସ୍ଓପି ଜାରି କରିଛି ବିଏମ୍ସି ।
ଭୁବନେଶ୍ୱର ବିମାନବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳରେ ଆମିଷ ବିକ୍ରି ହେଉଛି । ଚାରି ପାଖରେ ଫାଷ୍ଟଫୁଡ୍ ଦୋକାନ ରହିଛି । ଫଳରେ ଖାଦ୍ୟ ଆଶାରେ ପକ୍ଷୀମାନେ ଚାରିପାଖ ଉଡୁଛନ୍ତି । ପକ୍ଷୀ ବିମାନରେ ମାଡ଼ ହେବା ଫଳରେ ବିମାନ ଦୁର୍ଘଟଣା ଆଶଙ୍କା ରହୁଛି । ଏହାକୁ ନଜର ରଖି ନିକଟରେ ବିମାନବନ୍ଦର ପରିବେଶ ପରିଚାଳନା କମିଟି(ଏଇଏମସି) ବୈଠକ ବସିଥିଲା । ଏଥିରେ ବିଏମ୍ସି ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।
ବୈଠକରେ ବିଏମ୍ସି ଅଞ୍ଚଳରେ ଆମିଷ ବର୍ଜ୍ୟ ପରିଚାଳନାକୁ ନେଇ କଡା ନିଷ୍ପତ୍ତି ନିଆଯାଇଛି । କଠିନ ବର୍ଜ୍ୟ ପରିଚାଳନା ନିୟମ-୨୦୧୬, ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ-୨୦୦୬, ବିଏମ୍ସି ବାଇ-ଲ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟଓ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ବନ୍ୟଜନ୍ତୁ ବିପଦ ପରିଚାଳନା ଉପରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ବିମାନବନ୍ଦର ଆଖପାଖରେ ପକ୍ଷୀମାନଙ୍କୁ ଆକର୍ଷିତ କରୁଥିବା ଜୈବିକ ବର୍ଜ୍ୟବସ୍ତୁର ଅନୁପଯୁକ୍ତ ନିଷ୍କାସନକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି ।
ବିଏମ୍ସି ଅଞ୍ଚଳରେ ବିକ୍ରି କରାଯାଉଥିବା ମାଛ, ମାଂସ, କଂସେଇଖାନା, ଫାଷ୍ଟଫୁଡ୍ ଦୋକାନ ଉପରେ କଡା ନିୟମ ଜାରି କରିଛି ବିଏମ୍ସି । ଏସବୁ ଦୋକାନରୁ ବାହାରୁ ଥିବା ଆମିଷ ବର୍ଜ୍ୟ କେବଳ ସର୍ବନିମ୍ନ ୧୨୦ ମାଇକ୍ରନ ମୋଟା ଜୈବ ବିଘଟନଯୋଗ୍ୟ ଆବର୍ଜନା ବ୍ୟାଗରେ ସଂରକ୍ଷଣ କରାଯିବ । ବର୍ଜ୍ୟବସ୍ତୁ ସଂରକ୍ଷଣ କିମ୍ବା ନିଷ୍କାସନ ପାଇଁ ପତଳା ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ କିମ୍ବା ଜୈବ ବିଘଟନ ଅଯୋଗ୍ୟ ବ୍ୟାଗ୍ ବ୍ୟବହାର ସଂପୂର୍ଣ୍ଣ ନିଷେଧ କରାଯାଇଛି ।
ପ୍ରତ୍ୟେକ ପ୍ରତିଷ୍ଠାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ । ବର୍ଜ୍ୟଗୁଡିକୁ ଖୋଲା ଜାଗା, ବାସ୍କେଟ କିମ୍ବା ଅନାବୃତ ପାତ୍ରରେ ରଖାଯିବ ନାହିଁ । କୌଣସିମତେ ରାସ୍ତା, ଡ୍ରେନ, ଖାଲା ସ୍ଥାନ କିମ୍ବା ସର୍ବସାଧାରଣ ସ୍ଥାନରେ ଆବର୍ଜନା ପକାଇବାକୁ ଅନୁମତି ଦିଆଯିବ ନାହିଁ । ରାସ୍ତା, ନାଳ, ଖୋଲାସ୍ଥାନ, ଜଳାଶୟ କିମ୍ବା ପଡିଆ ଜମିରେ ମାଛ, ମାଂସ ଏବଂ କୁକୁଡା ବର୍ଜ୍ୟବସ୍ତୁ ନିଷ୍କାସନକୁ ନିଷେଧ କରାଯାଇଛି । ସମସ୍ତ ବର୍ଜ୍ୟ କେବଳ ବିଏମ୍ସି ସଫେଇ ଗାଡିକୁ ହସ୍ତାନ୍ତର କରାଯିବ ବୋଲି ଏସ୍ଓପି ଜାରି କରାଯାଇଛି । ସମସ୍ତ ପ୍ରତିଷ୍ଠାନ ଆସନ୍ତା ଫେବୃଆରୀ ୧ରୁ ଏହି ନିର୍ଦେଶାବଳୀ କଡାକଡି ଭାବେ ଅନୁପାଳନ କରିବାକୁ କୁହାଯାଇଛି । ବିଏମ୍ସିର ଜୋନାଲ କମିଶନର, ସ୍ୱାସ୍ଥ୍ୟ ଅଧିକାରୀ, ସାନିଟାରୀ ଇନ୍ସପେକ୍ଟର ଏବଂ ପ୍ରବର୍ତ୍ତନ ଟିମ୍ ୟୁନିଟ୍-୧ ଓ ୟୁନିଟ୍-୪ ଏବଂ ଅନ୍ୟାନ୍ୟ ସଂପୃକ୍ତ ବଜାର ଅଞ୍ଚଳଗୁଡିକରେ ବିଶେଷ ଧ୍ୟାନ ଦେଇ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।