ଥିରୁଅନନ୍ତପୁରମ,୦୮/୧୧: କିଛି ଧନୀ ଲୋକ ଦାନ କରନ୍ତି ସମସ୍ତେ ଜାଣିଥିବେ। ଏହା ବ୍ୟତୀତ ଭଗବାନଙ୍କ ଉଦ୍ଦେଶ୍ୟରେ ମନ୍ଦିରରେ ଦାନ କଲେ ଧର୍ମ ହୁଏ ବୋଲି ବିଶ୍ଵାସ ରଖନ୍ତି । ହେଲେ ବିନା ସ୍ଵାର୍ଥରେ ଲୋକଙ୍କ ପାଇଁ ନିଜର ଘର ବାଡି ଦାନ କରିବା ଖୁବ୍ କମ୍ ଦେଖିବାକୁ ମିଳେ । କେରଳରୁ କିଛି ଏପରି ଖବର ସାମ୍ନାକୁ ଆସିଛି । ଅବସରପ୍ରାପ୍ତ ସିବିଆଇ ଅତିରିକ୍ତ ଏସପି ଏନ ସୁରେନ୍ଦ୍ରନ ଏହି ମହାନତା ଦେଖାଇଛନ୍ତି । ସେ ତାଙ୍କର ଘର ଓ ଜମିକୁ ଟ୍ରଷ୍ଟକୁ ଦାନ କରିଦେଇଛନ୍ତି।

ଏନ ସୁରେନ୍ଦ୍ରନ ପାଥନାପୁରମରେ ଥିବା ଗାନ୍ଧୀ ଭବନ ଟ୍ରଷ୍ଟକୁ ତାଙ୍କର ଘର ଓ ୪୭ ଏକର ଜମି ସବୁ କିଛି ଦାନ କରିଦେଇଛନ୍ତି। ସୁରେନ୍ଦ୍ରନ ଦାନ କରିଥିବା ଜମିରେ ନୂଆ ଗାନ୍ଧୀ ଭବନ ବିଲ୍ଡିଂ ତିଆରି ହେବ । ସୁରେନ୍ଦ୍ରନ ଭାବନ୍ତି ମଣିଷର ମୃତ୍ୟୁ ପରେ ସେ ସାଥୀରେ କିଛି ନେଇ ନଥାଏ । ସମ୍ପତ୍ତି ଟଙ୍କାର କଣ ବା ମୂଲ୍ୟ । ତେଣୁ ସେ ଚାହାଁନ୍ତି ତାଙ୍କ ପରେ ଏ ସମ୍ପତ୍ତି ଲୋକଙ୍କ ହିତରେ ଆସୁ ।

ଗାନ୍ଧୀ ଭବନ ସହ ସୁରେନ୍ଦ୍ରନଙ୍କର ୧୦ ବର୍ଷର ସମ୍ପର୍କ । ସିବିଆଇରେ ଯୋଗ ଦେବା ପୂର୍ବରୁ ସୁରେନ୍ଦ୍ରନ ଗାନ୍ଧୀ ଭବନ ସେକ୍ରେଟାରୀଙ୍କୁ ଭେଟିଥିଲେ । ୧୫ ବର୍ଷ ସେ ଭାରତୀୟ ବାୟୁ ସେନାରେ ନିଯୁକ୍ତ ହୋଇଥିଲେ । ଜଣେ ଦକ୍ଷ ତଦନ୍ତକାରୀ ଅଧିକାରୀ ଭାବେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।