ଭୁବନେଶ୍ୱର,୨୬/୦୪ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦଲିଲ୍ ନିବନ୍ଧନ ତଥା ପଞ୍ଜୀକରଣ ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥାରେ କଡ଼ା ନିୟମ ଜାରି କରାଯାଇଛି । ଏଣିକି ଜରୁରି ମାମଲା ଛାଡି ଅନ୍ୟ ନିବନ୍ଧନ ପ୍ରକ୍ରିୟା କାର୍ଯ୍ୟାଳୟ ବାହାରେ ପଞ୍ଜୀକରଣ ଉପରେ ରୋକ ଲାଗିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏ ସଂକ୍ରାନ୍ତରେ ଇନ୍ସପେକ୍ଟର ଜେନେରାଲ୍ ଅଫ୍ ରେଜିଷ୍ଟ୍ରେସନଙ୍କୁ କଡା ନିର୍ଦ୍ଦେଶ ଜାରି କରିଛନ୍ତି ।
ଦଲିଲ୍ ନିବନ୍ଧନ କିମ୍ବା ଜମା ପାଇଁ ବହୁ ସଂଖ୍ୟକ ମାମଲାରେ ଘରକୁ ଯାଇ ନିବନ୍ଧନ କାର୍ଯ୍ୟ ସମ୍ପାଦନ କରାଯାଉଥିବା ସରକାରଙ୍କ ନଜରକୁ ଆସିଛି । ଏହା ଭାରତୀୟ ନିବନ୍ଧନ ଆଇନ, ୧୯୦୮ ଏବଂ ଓଡ଼ିଶା ନିବନ୍ଧନ ନିୟମ, ୧୯୮୮ର ମୂଳ ଉଦ୍ଦେଶ୍ୟ ତଥା ରୂପରେଖ ଅନୁଯାୟୀ ସମୁଚିତ ନୁହେଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ଆଇନ୍ ଅନୁଯାୟୀ, ଘରେ ଯାଇ ନିବନ୍ଧନ କେବଳ ବିଶେଷ ସ୍ଥିତିରେ ଅନୁମୋଦନ କରାଯାଇପାରିବ । ଯଦି କୌଣସି ବ୍ୟକ୍ତି ଶାରୀରିକ ଅସୁସ୍ଥ ଆଇନଗତ ଗିରଫଦାରୀ କିମ୍ବା ଅନ୍ୟ କୌଣସି ଆବଶ୍ୟକତାବସତଃ ନିବନ୍ଧନ କାର୍ଯ୍ୟାଳୟକୁ ଯିବାରେ ଅସମର୍ଥ, ସେହି ସ୍ଥିତିରେ ଏପରି ବ୍ୟବସ୍ଥା ଲାଗୁ ହେବ । କେବଳ ଏହି ସବୁ ପରିସ୍ଥିତି ପରିପ୍ରେକ୍ଷୀରେ ନିବନ୍ଧନ କର୍ମକର୍ତ୍ତା ବ୍ୟକ୍ତିଙ୍କ ଘରକୁ ଯାଇ କାର୍ଯ୍ୟ ସମ୍ପାଦନ କରିବାର ଅଧିକାର ରହିଛି । ଏପରି ଘରୋଇ ନିବନ୍ଧନ ପୂର୍ବରୁ ଉଚିତ୍ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ନିକଟରୁ ପୂର୍ବ ଅନୁମତି ନିଆଯିବା ଅନିବାର୍ଯ୍ୟ । ଜିଲ୍ଲା ମଧ୍ୟରେ ଥିଲେ ଏଡିଏମ୍ ତଥା ଜିଲ୍ଲା ରେଜିଷ୍ଟ୍ରାର୍ଙ୍କ ପାଖରୁ ଅନୁମତି ଆବଶ୍ୟକ । ଯଦି ଜଣେ ଜିଲ୍ଲା ବାହାରେ, କିନ୍ତୁ ରାଜ୍ୟ ଭିତରେ ଥିବେ ଏହି କ୍ଷେତ୍ରରେ ଇନ୍ସପେକ୍ଟର୍ ଜେନେରାଲ ଅଫ ରେଜିଷ୍ଟ୍ରେସନ୍ଙ୍କ ଅନୁମତି ଆବଶ୍ୟକ । ଯଦି ରାଜ୍ୟ ବାହାରେ ଥିବେ ତେବେ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ହେବ । କେବଳ ପ୍ରକୃତ ଏବଂ ଯୁକ୍ତିସଙ୍ଗତ ମାମଲାରେ ଘରେ ଯାଇ ନିବନ୍ଧନ କରାଯିବ ଏବଂ ସମସ୍ତ କାରଣ ତଥା ଦଲିଲ୍ ସମ୍ବନ୍ଧୀୟ କାଗଜପତ୍ରର ସଠିକ୍ ଯାଞ୍ଚ କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି ।
ଏହି ବ୍ୟବସ୍ଥାର କୌଣସି ଉଲ୍ଲଂଘନ କଲେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସେହିପରି ସମସ୍ତ ଏଡିଏମ୍ ତଥା ଜିଲ୍ଲା ରେଜିଷ୍ଟ୍ରାରଙ୍କୁ ଏହି ଆଇନର କାର୍ଯ୍ୟକାରିତା ନେଇ ପର୍ଯ୍ୟବେକ୍ଷଣ କରିବା ନିମନ୍ତେ ନିର୍ଦ୍ଦେଶ ଜାରି କରାଯାଇଛି । ସରକାର ଦଳିଲ ନିବନ୍ଧନ ପ୍ରକ୍ରିୟାରେ ସ୍ୱଚ୍ଛତା, ପାରଦର୍ଶିତା, ଦାୟିତ୍ୱବୋଧ ଓ ଆଇନଗତ ନିୟମାବଳୀର କଡ଼ା ଅନୁପାଳନ ପ୍ରତି ନିଜର ପ୍ରତିବଦ୍ଧତା ସ୍ପଷ୍ଟ କରିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ନୂଆ ନିୟମ, ଏଣିକି ମନଇଚ୍ଛା ମିଳିବନି ବୋନସ୍