ଭୁବନେଶ୍ୱର,୯/୦୬: ଏଣିକି ଗୋଟିଏ ମୋବାଇଲ୍‌ ଆପ୍‌ରେ ସମସ୍ତ  ରାଜସ୍ୱ ସେବା ମିଳିବ । ଘରେ ବସି  ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା ଲୋକେ  ପାଇବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ । ସେ କହିଛନ୍ତି, ଏହି  ଆପ୍‌ ପ୍ରସ୍ତୁତ ହୋଇସାରିଛି । ଖୁବ୍‌ଶୀଘ୍ର  ଆପ୍‌ ଉନ୍ମୋଚନ ହେବାକୁ ଯାଉଛି ।  ଏହି ଆପ୍‌ ଦ୍ୱାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ବିଭିନ୍ନ  ସମସ୍ୟାର ସମାଧାନ କରିହେବ । ଛୋଟ  ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା  କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ  ପଡ଼ିବନି । ଏଥିରେ ବିଭିନ୍ନ ପ୍ରକାର  ସେବା ପାଇଁ ଆବେଦନ ହୋଇପାରିବ ।  ବିଭିନ୍ନ କାଗଜପତ୍ର ଆଦି ଅନ୍‌ଲାଇନ୍‌ରେ  ଡାଉନ୍‌ଲୋଡ୍‌ କରିହେବ ବୋଲି ସେ  ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଲୋକମାନେ ଜାତି  ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆବାସିକ  ପ୍ରମାଣପତ୍ର ପାଇଁ ତହସିଲ ଅଫିସକୁ ଯାଉଥିଲେ । ତହସିଲଦାରଙ୍କ ପାଖରେ ଘଣ୍ଟା ଘଣ୍ଟା ଛିଡ଼ା  ହେଉଥିଲେ । ଆପ୍‌ ଆସିବା ପରେ ଲୋକଙ୍କୁ  ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ମୋବାଇଲରେ ବିଭିନ୍ନ ପ୍ରମାଣପତ୍ର  ପାଇଁ ଆବେଦନ କରିପାରିବେ । ମୋବାଇଲରେ  କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁ ଓ  କେଉଁ ଯୋଜନା ପାଇଁ ଆବେଦନ କରୁଛନ୍ତି,  ଏ ସମସ୍ତ ତଥ୍ୟ ପଞ୍ଜିକୃତ ହୋଇ ରହିବ ।  କେଉଁ ପ୍ରମାଣପତ୍ର କେତେ ସମୟରେ ମିଳିବ, ସେଥିପାଇଁ ସମୟ ଧାର୍ଯ୍ୟ ହେବ । ନିର୍ଦ୍ଦିଷ୍ଟ  ସମୟରେ ପ୍ରମାଣପତ୍ର ମିଳିଲେ ରାଜସ୍ୱ ବିଭାଗକୁ ସୂଚନା ଆସିଯିବ । କେଉଁ ତହସିଲଦାରଙ୍କ ଦ୍ୱାରା କେଉଁ ତହସିଲରେ ଏହି ସେବା ଠିକ  ସମୟରେ ମିଳିଲା ନାହିଁ, ଉପଭୋକ୍ତା ମାଗିଥିବା ସେବା ପାଇବା ପ୍ରକ୍ରିୟା ଶେଷ ହେବା ପରେ ଏ ବାବଦରେ ତହସିଲଦାର ଆପରେ ଅପଲୋଡ଼  କରିବେ । ଏହି ତଥ୍ୟ ଆବେଦନକାରୀ ଘରେ ବସି ଡାଉନଲୋଡ୍‌ କରିପାରିବେ । ପ୍ରମାଣପତ୍ରକୁ ବ୍ୟବହାର କରିପାରିବେ ।  ସାଧାରଣ ଲୋକ ଓ ରାଜସ୍ୱ ସେବା ମଧ୍ୟରେ  ଥିବା ବାଧକ ଦୂର ହେବ । ରାଜସ୍ୱ ସେବା ପାଇଁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ  ପଡ଼ିବ ନାହିଁ । ରାଜସ୍ୱ ସେବା ହୋମ ଡେଲିଭରୀ କରିବୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।