ଭୁବନେଶ୍ବର,୨୬/୧୨ : ପୁରୀ ସହରରେ ଆସନ୍ତା ୩୧ଡିସେମ୍ବର ଓ ନୂତନ ବର୍ଷ ୨୦୨୬ଅବସରରେ ଅଧିକ ସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବାକୁ ଥିବା ପରିପ୍ରେକ୍ଷିରେ, ସାର୍ବିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପୁରୀ ଏସପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ବଡ଼ଦାଣ୍ଡସ୍ଥିତ ଅଗ୍ନିଶମକେନ୍ଦ୍ରର ଏକ ବିସ୍ତୃତ ସମୀକ୍ଷା କରାଯାଇଛି । ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ, ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

- ଅଧିକ ସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ପାଇଁ ବଡ଼ଦାଣ୍ଡସ୍ଥିତ ଅଗ୍ନିଶମକେନ୍ଦ୍ରର ଏକ ବିସ୍ତୃତ ସମୀକ୍ଷା

- ପୁରୀ ଏସପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ସମୀକ୍ଷା କରାଯାଇଛି

- ବରିଷ୍ଠ ପୁଲିସ ଅଧିକାରୀ, ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ୍

- ଦୁର୍ଘଟଣା ପ୍ରତିରୋଧ ଓ ଆପାତକାଳୀନ ସେବା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା

- ଆପାତକାଳୀନ ପରିସ୍ଥିତି ଦେଖିଲେ ତୁରନ୍ତ ପୁଲିସ କିମ୍ବା ଅଗ୍ନିଶମ ବିଭାଗକୁ ସୂଚନା ଦେବାକୁ ଅନୁରୋଧ

ମୁଖ୍ୟତଃ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଆଖପାଖ, ଚାରି ଦ୍ୱାର, ମୁଖ୍ୟ ଭକ୍ତ ଚଳାଚଳ ମାର୍ଗ ଓ ଜନସମାଗମ ଅଧିକ ଥିବା ସ୍ଥାନ ଗୁଡ଼ିକରେ ଅଗ୍ନି ଜନିତ ଦୁର୍ଘଟଣା ପ୍ରତିରୋଧ ଓ ଆପାତକାଳୀନ ସେବା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ସମୀକ୍ଷା ସମୟରେ ଅଗ୍ନିଶମକେନ୍ଦ୍ରର ଉପଲବ୍ଧ ଯାନବାହନ, ଅଗ୍ନିନିର୍ବାପଣ ଉପକରଣ, ଜଳସ୍ରୋତ, ଆପାତକାଳୀନ ସହାୟତା ବ୍ୟବସ୍ଥା ଓ ତ୍ୱରିତ ପ୍ରତିକ୍ରିୟା କ୍ଷମତାକୁ ନିକଟରୁ ଦେଖିଥିଲେ । ଅଗ୍ନିଶମ କର୍ମଚାରୀମାନଙ୍କୁ ସଦା ସଚେତନ ଓ ସତର୍କ ରହିବା ସହ ଯେ କୌଣସି ଆପାତକାଳୀନ ପରିସ୍ଥିତିକୁ ତୁରନ୍ତ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏସପି ପୁରୀ ପ୍ରତୀକ ସିଂହ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ଜଣାଇଥିଲେ । ନୂତନ ବର୍ଷ ଉତ୍ସବ ସମୟରେ ହୋଟେଲ, ଲଜ୍, ଧର୍ମଶାଳା, ବଜାର ଅଞ୍ଚଳ, ଆଲୋକସଜ୍ଜା ଥିବା ସ୍ଥାନ ଓ ଭିଡ଼ ଅଧିକ ଥିବା ଅଞ୍ଚଳ ଗୁଡ଼ିକରେ ଅଗ୍ନି ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସୂଚନା ଦିଆଯାଇଥିଲା ।

ସେହିପରି, ପୁଲିସ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟବିଭାଗ ଓ ପୌର ପ୍ରଶାସନ ମଧ୍ୟରେ ଆନ୍ତଃବିଭାଗୀୟ ସମନ୍ୱୟକୁ ଆହୁରି ମଜବୁତ କରିବାକୁ ଜୋର ଦିଆଯାଇଥିଲା । ଆପାତକାଳୀନ ସ୍ଥିତିରେ ତ୍ୱରିତ ସୂଚନା ଓ ରେସ୍ପନ୍ସ ପାଇଁ ଏକ ସୁସ୍ପଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପୁରୀ ପୁଲିସ ପକ୍ଷରୁ ସାଧାରଣ ଜନସାଧାରଣ, ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରାଯାଉଛି ଯେ, ନୂତନ ବର୍ଷ ଉତ୍ସବ ସମୟରେ ସମସ୍ତ ସୁରକ୍ଷା ନିୟମ ମାନିବେ, ପ୍ରଶାସନ ସହ ସହଯୋଗ କରିବେ ଓ କୌଣସି ସନ୍ଦେହଜନକ କିମ୍ବା ଆପାତକାଳୀନ ପରିସ୍ଥିତି ଦେଖିଲେ ତୁରନ୍ତ ପୁଲିସ କିମ୍ବା ଅଗ୍ନିଶମ ବିଭାଗକୁ ସୂଚନା ଦେବେ । ପୁରୀ ପୁଲିସ ଆସନ୍ତା ୩୧ ଡିସେମ୍ବର ଓ ନୂତନ ବର୍ଷ ୨୦୨୬ଅବସରରେ ସହରରେ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ପରିବେଶ ରଖିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି।