ଭୁବନେଶ୍ୱର,୬/୧୨ : ଭୁବନେଶ୍ୱରର ଲୋକସେବା ଭବନ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ଏକ ଉଚ୍ଚସ୍ତରୀୟ ବ୍ୟାପକ ସମୀକ୍ଷା ବୈଠକ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ରାଜ୍ୟ ସରକାରଙ୍କ ଦ୍ୱାରା ସମର୍ଥିତ ଅତିରିକ୍ତ ୨୦୦ଦିନର ନିଯୁକ୍ତିର ପ୍ରଭାବଶାଳୀ ବ୍ୟବସ୍ଥା ମାଧ୍ୟମରେ ଦାଦନପ୍ରବଣ ଅଞ୍ଚଳରେ ଦାଦନ ସମସ୍ୟାକୁ ରୋକିବା ଉପରେ ବିଶେଷ ଧ୍ୟାନ ଦେଇ MGNREGA କାର୍ଯ୍ୟାନ୍ୱୟନର ସମୀକ୍ଷା କରିଥିଲେ। ସେ ସମୟସୀମା ମଧ୍ୟରେ ମଜୁରୀ ପ୍ରଦାନ, ଗୁଣାତ୍ମକ ଗ୍ରାମୀଣ ଭିତ୍ତିଭୂମି ସୃଷ୍ଟି ଏବଂ ସ୍ଥାୟୀ ଜୀବିକା ବୃଦ୍ଧି ନିମନ୍ତେ ପ୍ରଥମ ୧୦୦ଦିନ ପାଇଁ ୯୮ଟଙ୍କା ଓ ପରବର୍ତ୍ତୀ ୨୦୦ଦିନ ପାଇଁ ୩୭୧ଟଙ୍କା ଅତିରିକ୍ତ ରାଜ୍ୟ ସହାୟତା ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଶ୍ରମକାର୍ଡ଼ ପଞ୍ଜୀକରଣ ଏବଂ ଲାଭ ବଣ୍ଟନ ସମୀକ୍ଷା କରି, ମନ୍ତ୍ରୀ ସମସ୍ତ ଯୋଗ୍ୟ ଶ୍ରମିକଙ୍କୁ ଶ୍ରମ କାର୍ଡ଼ ପ୍ରଦାନ କରିବା ସହ ସେମାନଙ୍କୁ ସମୟସୀମା ମଧ୍ୟରେ ସ୍ୱଚ୍ଛ ଭାବରେ ସମସ୍ତ ଗ୍ରହଣୀୟ ସୁବିଧା ପ୍ରଦାନକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ୨୦୭ମେଗା ପାନୀୟ ଜଳ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜାରି ରହିଥିବା ପଦକ୍ଷେପ ସମେତ ରାଜ୍ୟବ୍ୟାପୀ ପାନୀୟ ଜଳ ଯୋଗାଣ ଭିତ୍ତିଭୂମିର ଅଗ୍ରଗତି ବାବଦରେ ମଧ୍ୟ ସମୀକ୍ଷା କରାଯାଇଥିଲା । ମାର୍ଚ୍ଚ ୨୦୨୭ ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାରକୁ ସ୍ୱଚ୍ଛ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ PESAର କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରାଯାଇଥିଲା। ବିଭିନ୍ନ ବିଭାଗରୁ ମତାମତ ଗ୍ରହଣ କରାଯାଇଛି ଏବଂ ଡ୍ରାଫଫ ନିୟମାବଳୀକୁ ଆଗାମୀ ବୈଠକରେ ଜନଜାତୀୟ ପରାମର୍ଶଦାତା କମିଟି ସମ୍ମୁଖରେ ଅବଲୋକନ ପାଇଁ ରଖାଯିବ ବୋଲି ସୂଚନା ଦିଆଯାଇଥିଲା ।

ବିକାଶିତ ଗାଁ ବିକାଶ ଓଡ଼ିଶା (BGBO) ଅଧୀନରେ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି, ମନ୍ତ୍ରୀ ବ୍ୟାପକ ଗ୍ରାମୀଣ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରକଳ୍ପ ଗୁଡ଼ିକର ସମୟସୀମା ସମାପ୍ତ କରିବା ପାଇଁ ରିଅଲ- ଟାଇମ ତଦାରଖ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ, ଯୋଗ୍ୟ ହିତାଧିକାରୀଙ୍କୁ ୧.୬୮ଲକ୍ଷ ଘର ଯୋଗାଇ ଦିଆଯାଇ ସାରିଛି । ମନ୍ତ୍ରୀ ସେ ସବୁର ନିର୍ମାଣ ଗୁଣବତ୍ତା ତଦାରଖ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଅବଶିଷ୍ଟ ହିତାଧିକାରୀଙ୍କୁ ସଠିକ୍ ଭାବରେ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଦ୍ୱାରା ପ୍ରତ୍ୟେକ ଯୋଗ୍ୟ ପରିବାର ଲାଭ ପାଇପାରିବେ ଏବଂ ତୃଣମୂଳସ୍ତର ପର୍ଯ୍ୟନ୍ତ ବିକାଶକୁ ସୁନିଶ୍ଚିତ କରିବାରେ ଅନ୍ତ୍ୟୋଦୟର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେ ମତପ୍ରକାଶ କରିଥିଲେ ।

ବିଭାଗରେ ଖାଲି ପଦବୀ ଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ ଏକ ବିସ୍ତୃତ ମାନବସମ୍ବଳ ମୂଲ୍ୟାଙ୍କନ ସହ ପୂର୍ବରୁ ଥିବା ଖାଲି ପଦବୀ ପୂରଣ ପାଇଁ ପ୍ରସ୍ତାବର ପ୍ରକ୍ରିୟାକରଣ ପାଇଁ ପରାମର୍ଶ ଦେଇଥିଲେ। ଆବଶ୍ୟକ ସ୍ଥଳେ, ବିଭାଗକୁ ସୁଦୃଢ଼ କରିବା ପାଇଁ ନୂତନ ପଦବୀ ସୃଷ୍ଟି ନିମନ୍ତେ ମଧ୍ୟ ପ୍ରସ୍ତାବ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଏହାସହ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ବିଚାରାଧୀନ ଥିବା ମାମଲାଗୁଡ଼ିକର ମଧ୍ୟ ବିଧି ମୁତାବକ ତ୍ୱରିତ ପ୍ରକ୍ରିୟାକରଣ ପାଇଁ ନିୟୋଜନକାରୀ ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଏସ.ଏନ. ଗିରିଶ, ନିର୍ଦ୍ଦେଶକ (ପାନୀୟ ଜଳ ଏବଂ ପରିମଳ) ବିନୀତ ଭରଦ୍ୱାଜ, ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ନିର୍ଦ୍ଦେଶକ (ଏସ୍ଆଇଆର୍ଡ଼ି) ମଧୁମିତା ସାମଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।