ଭୁବନେଶ୍ୱର,୦୨/୦୯: ବିବାଦୀୟ ରାଜସ୍ୱ ନିରୀକ୍ଷକ (ଆରଆଇ), ଅମିନ, ଆଇସିଡିଏସ୍ ସୁପରଭାଇଜର, ଏଆରଆଇ ନିଯୁକ୍ତି ପରୀକ୍ଷା ପାଇଁ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଅକ୍ଟୋବର ୮ ତାରିଖରୁ ଏହାର ପ୍ରିଲିମ ପରୀକ୍ଷା ଆରମ୍ଭ ହେବ । ନଭେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବାତିଲ ହୋଇଥିବା ଆରଆଇ, ଅମିନ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ଗତ ମାସ ୧୨ ତାରିଖରେ ଓଏସ୍ଏସ୍ଏସ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅକ୍ଟୋବରରେ ଏହି ପରୀକ୍ଷା ହେବ ବୋଲି କୁହାଯାଇଥିଲା। ସୋମବାର ଚୂଡ଼ାନ୍ତ ତାରିଖ ଘୋଷଣା କରାଯାଇଛି । କମ୍ପ୍ୟୁଟର ବେସ୍ଡ ନିଯୁକ୍ତି ପରୀକ୍ଷା (ସିବିଆର୍ଇ) ମାଧ୍ୟମରେ ପରୀକ୍ଷା ହେବ । ପୂର୍ବରୁ ହୋଇଥିବା ସମସ୍ତ ପ୍ରକ୍ରିୟାକୁ ବାତିଲ କରାଯାଇଛି । ସଂପୂର୍ଣ୍ଣ ଭାବେ ମୂଳରୁ ହିଁ ପରୀକ୍ଷା ପ୍ରକ୍ରିୟା ଆରମ୍ଭ କରାଯିବ । ପୂର୍ବରୁ ଆବେଦନ କରିଥିବା ଆବେଦନକାରୀ ହିଁ ପରୀକ୍ଷା ଦେଇପାରିବେ । ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ପରୀକ୍ଷା କରାଯିବ ।
ଓଏସ୍ଏସ୍ଏସ୍ସି ପକ୍ଷରୁ କୁହାଯାଇଛି, ୱେବ୍ସାଇଟ୍ରୁ ନିଜର ୟୁଜର ଆଇଡି, ପାସ୍ୱାର୍ଡ ଦେଇ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ । ମକ୍ ଟେଷ୍ଟର ସୁବିଧା ମଧ୍ୟ ଅଛି ।