ନୀଳଗିରି,୦୩/୧୦: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାସ୍ଥିତ ରମାଦେବୀ ଫୁଡ୍ସ ପ୍ରଡକ୍ସନ (ରାଇସ୍‌  ମିଲ୍‌)ରେ ଚାଲିଥିବା ବେଆଇନ କାର୍ଯ୍ୟକଳାପ ସମ୍ପର୍କିତ ଖବର ସଂଗ୍ରହ  ବେଳେ ବୁଧବାର ‘ପ୍ରମେୟ’  ସାମ୍ବାଦିକ ସମେତ ୪ଜଣ  ଗଣମାଧ୍ୟମ ପ୍ରତିନିଧିଙ୍କୁ  ଆକ୍ରମଣ ହୋଇଛି । ପୁଲିସ୍‌ ଉପସ୍ଥିତିରେ  କାର୍ଯ୍ୟରତ ସାମ୍ୱାଦିକଙ୍କୁ ଏଭଳି ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ମିଲ୍‌ ମାଲିକଙ୍କ ଏଭଳି ଦବଙ୍ଗଗିରିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ସୂଚନାଥାଉକି, ରମାଦେବୀ ରାଇସ୍‌ ମିଲ୍‌ ବିରୋଧରେ ଚାଉଳ ଓ ଗଚ୍ଛିତ ଅଖା ହେରଫେର ଅଭିଯୋଗ ଆସିଥିଲା । ସାଂସଦ ପ୍ରତାପ ଷଡ଼ଙ୍ଗୀ ବିଭାଗୀୟ ଅଧିକାରୀଙ୍କୁ  ନେଇ ଅଚାନକ ମିଲ୍‌ରେ ପହଞ୍ଚିଥିଲେ । ପୁଲିସ୍‌  ଉପସ୍ଥିତିରେ ଯୋଗାଣ ବିଭାଗ  ଅଧିକାରୀ ଯାଞ୍ଚ କରୁଥିଲେ । ଅନେକ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ହେଲେ ମିଲ୍‌ ମାଲିକ ଉତ୍‌କ୍ଷିପ୍ତ ହୋଇ ପାଟିତୁଣ୍ଡ କରିବା ସହ ‘ପ୍ରମେୟ’ର ଖନ୍ତାପଡ଼ା ପ୍ରତିନିଧି ମହେଶ ମଲ୍ଲିକଙ୍କୁ ଦୁର୍ବ୍ୟବହାର କରିଥିଲେ । ପରେ ଶ୍ରମିକଙ୍କୁ  ଲଗାଇ ଆକ୍ରମଣ କରିବା ସହ ମୋବାଇଲ୍‌ ଛଡ଼ାଇ ନେଇଥିଲେ । ଅନ୍ୟ ୩ ସାମ୍ବାଦିକ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।  ବିଜେପିର ଦଣ୍ଡକାଳୀ ମଣ୍ଡଳ ସଭାପତି ତଥା ସାଂସଦଙ୍କ ପ୍ରତିନିଧି ଦିଲ୍ଲୀପ ଦାସ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଠେଲାପେଲା କରାଯାଇଥିଲା । ଆକ୍ରମଣର ଶିକାର ସାମ୍ୱାଦିକମାନେ ଖନ୍ତାପଡ଼ା ଥାନାରେ ଏ ନେଇ ଅଭିଯୋଗ କରିବେ ବୋଲି କହିଛନ୍ତି ।