ପୁରୀ ୨୧/୦୮: ପୁରୀରେ ଆତଙ୍କ ଖେଳାଇଲେ ରିକ୍ସା ଚାଳକ। ଗୋଡ଼ାଇ ଗୋଡ଼ାଇ ମଝି ରାସ୍ତାରେ ଜଣେ ଆଇନ୍ଜୀବୀଙ୍କୁ କଲେ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ଆଇନ୍ଜୀବୀଙ୍କୁ ଉଦ୍ଧାର କରାଯାଇ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉନ୍ମକ୍ତକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ରିକ୍ସା ଚାଳକ। ତେବେ ଆକ୍ରମଣ ପଛ ପ୍ରକୃତ କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ପୁରୀ ଟାଉନ୍ ଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହି ନିକଟରେ ଜଣେ ରିକ୍ସା ଚାଳକ ଆଇନଜୀବୀ ରଘୁନାଥ ପଟ୍ଟନାୟକଙ୍କୁ ଆକ୍ରମଣ କରିଛନ୍ତି। ତାଙ୍କ ମୁଣ୍ଡ, ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଛି। ଆକ୍ରମଣକାରୀ ରିକ୍ସା ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଟାଉନ ଥାନା ପୁଲିସ ଘଟଣାସ୍ଥଳ ଏବଂ ହସ୍ପିଟାଲକୁ ଯାଇ ତଦନ୍ତ ଆରମ୍ଭ କରିଛି। ତେବେ ରିକ୍ସା ଚାଳକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ପୁରୀ ଭଳି ଏକ ଧାର୍ମିକ ତଥା ପର୍ଯ୍ୟଟନ ସହରରେ ଆଇନଜୀବୀଙ୍କୁ ରିକ୍ସା ଚାଳକ ଆକ୍ରମଣ କରିବା ଘଟଣା ପୁଲିସ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।