ନୂଆଦିଲ୍ଲୀ,୨୯/୦୯: ଶକ୍ତିଶାଳୀ ଭାରତ ସହ ଯିଏ ମୁହାଁମୁହିଁ ହେବ ସେ ମାଟି କାମୁଡ଼ିବ । ସେ ରଣଭୂମିରେ ହେଉ ବା କ୍ରିକେଟ୍ ମୈଦାନ । ଏସିଆ କପ୍ ଫାଇନାଲରେ ତାହା ପ୍ରମାଣ କରିଛି ଭାରତ । ଶତ୍ରୁ ଦେଶ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ନବମ ଥର ଏସିଆ ଦଖଲ କରିଛି । ସଙ୍କଟ ସମୟରେ ସଞ୍ଚୁ ସାମସାନ, ଶିବମ ଦୁବେ ଆଉ ବିଜୟ ନାଟକର ମୁଖ୍ୟ ନାୟକ ତିଲକ ବର୍ମା ସଂକଟମୋଚକ ସାଜିଥିଲେ । ଭାରତକୁ ବିଜୟ ତିଲକ ଦେଇଥିଲେ ବର୍ମା । ହେଲେ ଆମେ ଆଉ ଜଣେ ପ୍ଲେୟାରଙ୍କ କଥା କହୁଛି ସେ ହେଲେ ରିଙ୍କୁ ସିଂହ । ପୁରା ଟୁର୍ଣ୍ଣାମେଣ୍ଟରେ ସେ ଗୋଟିଏ ବି ବଲ୍ ଖେଳି ନଥିଲେ ହେଲେ ଫାଇନାଲରେ ୱିନିଙ୍ଗ ସଟ୍ ଖେଳିଥିଲେ । ସେ ପୁଣି ପାକିସ୍ତାନ ବିପକ୍ଷରେ । ଏହା ଭଗବାନଙ୍କ ପ୍ଲାନ ନିଶ୍ଚୟ ।
ଆଉ ସବୁଠୁ ବଡ଼ କଥା ହେଉଛି, ଏସିଆ କପ୍ ପୂର୍ବରୁ ରିଙ୍କୁ ସିଂ କହିଥିଲେ, ‘ଫାଇନାଲରେ ବଡ଼ ସଟ୍ ଖେଳି ଦଳକୁ ଚାମ୍ପିଅନ କରାଇବାକୁ ଚାହେଁ ।’ଫାଇନାଲ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ରିଙ୍କୁ ଫାଇନାଲରେ ଦଳରେ ସୁଯୋଗ ପାଇଥିଲେ । ଶେଷରେ ସେ ଚୌକା ମାରି ଦଳକୁ ଜିତାଇଥିଲେ । ପାଣ୍ଡ୍ୟା ଆହତ ହେବା ଏସିଆ କପ୍ ଫାଇନାଲ ପୂର୍ବରୁ ଘୋଷିତ ଦଳ ସମସ୍ତଙ୍କୁ ଚକିତ କରିଥିଲା । ଭେଟେରାନ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକାଦଶରୁ ବାଦ୍ ପଡ଼ିଥିଲେ । ତାଙ୍କ ସ୍ଥାନରେ ରିଙ୍କୁ ସିଂଙ୍କୁ ଦଳରେ ସାମିଲ କରାଯାଇଥିଲା ।
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଭାଷ୍ୟକାର ରବି ଶାସ୍ତ୍ରୀ ଏ ବିଷୟରେ ପ୍ରଶଂସକଙ୍କୁ ଅବଗତ କରାଇଥିଲେ । ପ୍ରକୃତରେ ପାଣ୍ଡ୍ୟା ଆହତ ଥିବା ବିଷୟ କାହାକୁ ଜଣା ନଥିଲା । ତାଙ୍କୁ ନେଇ ସମ୍ଭାବ୍ୟ ଦଳ ସମସ୍ତେ ପ୍ରସ୍ତୁତ କରି ସାରିଥିଲେ । କିନ୍ତୁ ସୂର୍ଯ୍ୟକୁମାରଙ୍କ ସୂଚନା ସମସ୍ତଙ୍କୁ ବିସ୍ମିତ କରିଦେଇଥିଲା । ଜଂଘ ଓ ପେଣ୍ଡାର ମାଂସପେଶୀରେ ଯନ୍ତ୍ରଣା ଯୋଗୁ ପାଣ୍ଡ୍ୟା ଏକାଦଶରୁ ବାଦ ପଡ଼ିଥିଲେ । ହୁଏତ ଏ ସମସ୍ୟାରେ ସେ ପୂର୍ବ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପୀଡ଼ିତ ଥିଲେ । କାରଣ ଏହି ମ୍ୟାଚ୍ରେ ପାଣ୍ଡ୍ୟା ମାତ୍ର ଗୋଟିଏ ଓଭର ବୋଲିଂ କରିଥିଲେ ।