ଦୁବାଇ,୦୭/୧୧: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା ତାଲିକାରେ ରିଷଭ ପନ୍ତଙ୍କ ଉନ୍ନତି ହୋଇଛି । ସେ ଷଷ୍ଠ ସ୍ଥାନ ଦଖଲ କରିଛନ୍ତି । ବିଶ୍ୱର ଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରେ ଅନ୍ୟତମ ବିରାଟ କୋହଲି  ଦୀର୍ଘ ୧୦ ବର୍ଷ ମଧ୍ୟରେ ପ୍ରଥମ କରି ଶ୍ରେଷ୍ଠ ୨୦ରୁ ବାଦ ପଡ଼ିଛନ୍ତି। ସେ  ୨୨ତମ ସ୍ଥାନକୁ ଖସିଛନ୍ତି । 

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ  ପନ୍ତ ଦମ୍‌ଦାର ଅର୍ଦ୍ଧଶତକ ଅର୍ଜନ  କରିଥିଲେ । ଗତ ସପ୍ତାହରେ ସେ ୧୧ତମ  ସ୍ଥାନରେ ରହିଥିଲେ । ସେହିପରି ଗତ  ସପ୍ତାହରେ ତୃତୀୟ ସ୍ଥାନ ହାସଲ କରିଥିବା  ଯଶସ୍ୱୀ ଜୈସ୍ୱାଲଙ୍କ ଅବନତି ହୋଇଛି ।  ସେ ଚତୁର୍ଥକୁ ଖସିଛନ୍ତି । ଇଂଲଣ୍ଡର ଜୋ  ରୁଟ୍‌ ଓ ନ୍ୟୁଜିଲାଣ୍ଡର କେନ ୱିଲିୟମସନ  ଯଥାକ୍ରମେ ମାନ୍ୟତା ତାଲିକାର  ପ୍ରଥମ ୨ଟି ସ୍ଥାନ ବଜାୟ ରଖିଛନ୍ତି । 

ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର  ଡାରିଲ ମିଚେଲଙ୍କ ମାନ୍ୟତାରେ ୮ଟି  ସ୍ଥାନ ଉନ୍ନତି ହୋଇଛି ଓ ସେ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ଭାରତୀୟଙ୍କ  ମଧ୍ୟରେ ଶୁଭମନ ଗିଲଙ୍କ ମାନ୍ୟତାରେ  ୪ଟି ସ୍ଥାନ ଉନ୍ନତି ହୋଇଛି ଓ ସେ  ୧୬ତମ ସ୍ଥାନ ହାସଲ କରିଛନ୍ତି ।  ବିରାଟ କୋହଲିଙ୍କ ମାନ୍ୟତାରେ ୮ଟି  ସ୍ଥାନ ଓ ରୋହିତଙ୍କ ମାନ୍ୟତାରେ ୨ଟି  ସ୍ଥାନ ଅବନତି ହୋଇଛି । କୋହଲି ୨୨  ଓ ରୋହିତ ୨୬ତମ ସ୍ଥାନକୁ ଖସିଛନ୍ତି ।  

ବୋଲିଂ ମାନ୍ୟତାରେ ମଧ୍ୟ  ଭାରତୀୟଙ୍କ ଅବନତି ହୋଇଛି ।  ଯଶପ୍ରୀତ ବୁମରା ତୃତୀୟ ସ୍ଥାନ ବଜାୟ  ରଖିଥିବାବେଳେ ରବି ଚନ୍ଦ୍ରନ ଅଶ୍ୱିନ ପଞ୍ଚମ ଓ ରବିନ୍ଦ୍ର ଜାଡେଜା ଷଷ୍ଠ ସ୍ଥାନରେ  ରହିଛନ୍ତି । ଜାଡେଜା ତୃତୀୟ ଟେଷ୍ଟରେ  ୧୦ଟି ୱିକେଟ୍‌ ନେଇଥିଲେ । ତାଙ୍କ  ମାନ୍ୟତାରେ ୨ଟି ସ୍ଥାନ ଉନ୍ନତି ହୋଇଛି ।