କଟକ, ୩୦/୦୧ (ସୁକେଶ ବେହେରା): ରୁପା ଦର ଅମୁଲ ମୂଲ। ବର୍ଷକ ଭିତରେ ବଢିଗଲା ୪ ଗୁଣା। ବିବାହ ଋତୁରେ ଗରାଖ ଓ କାରିଗର କଲବଲ। ୨୦୨୫ ବେଳକୁ ଓଡ଼ିଶାରେ ରୁପା କିଲୋ ଥିଲା ମାତ୍ର ୯୮ ହଜାର ଟଙ୍କା । ଠିକ୍ ବର୍ଷକ ପରେ ୨୦୨୬ ଜାନୁଆରୀ ସରିବା ବେଳକୁ ରୁପା ଦର ୪ଲକ୍ଷ ପାର୍। ୨୯ ଜାନୁଆରୀରେ ରାଜ୍ୟରେ ରୁପା କିଲୋ ୪ ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ରୌପ୍ୟନଗରୀ କଟକର ତାରକସି କାମ ଉପରେ ଏହାର ପ୍ରତିକୂଳ ପ୍ରଭାବ ଯଥେଷ୍ଟ ଅଧିକ ପଡ଼ିଛି। ସ୍ଥିତି ଏମିତି ହେଇଛି ଯେ, କାରଖାନା ଖୋଲୁଛି ହେଲେ ହାତରେ କାମ ନାହିଁ । କାରଣ ରୁପା ମୂଲ୍ୟ ଉଚ୍ଚା ହେବା ଯୋଗୁଁ କଞ୍ଚାମାଲ୍ ଆଣିପାରୁନାହାନ୍ତି କାରଖାନା ବ୍ୟବସାୟୀ। ତାରକସି କାମ ଏକରକମ ବନ୍ଦ ହୋଇସାରିଛି।
୨୦୨୪ରେ କଟକ ତାରକସିକୁ ଜିଆଇ ମାନ୍ୟତା ମିଳିଥିଲା। ରୁପା ତାରକସିର ବାର୍ଷିକ କାରବାର ୬୪ କୋଟି ଟଙ୍କା। ୨୦୦୮ ମସିହା ପର୍ଯ୍ୟନ୍ତ ବର୍ଷକୁ ପ୍ରାୟ ୧୫ କୋଟି ଟଙ୍କାର ବ୍ୟବସାୟ ହେଉଥିଲା । ୨୦୧୦ ପରଠାରୁ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ୧୦ବର୍ଷ ଭିତରେ ତାରକସିର ବ୍ୟବସାୟ ପ୍ରାୟ ତିନିଗୁଣା ବୃଦ୍ଧି ପାଇ ୨୦୨୪ ସୁଦ୍ଧା ୬୩ କୋଟି ୮୯ ଲକ୍ଷ ଟଙ୍କା ରହିଥିଲା । ବ୍ରାଣ୍ଡିଂ କାରଣରୁ ପୂର୍ବାପେକ୍ଷା ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି । ହକି ବିଶ୍ୱକପ୍ ହେଉ ବା ରାଜ୍ୟକୁ ନିମନ୍ତ୍ରିତ ବିଶିଷ୍ଟ ଅତିଥିଙ୍କୁ ତାରକସି ଉପହାର ପ୍ରଦାନ କରିବା ହେଉ ପ୍ରତ୍ୟେକ କ୍ଷେତ୍ରରେ ସରକାର ତାରକସିକୁ ଗୁରୁତ୍ୱ ଦେଇଛନ୍ତି । ଯାହା ଫଳରେ ଦୀର୍ଘ ୨୦ବର୍ଷ ଧରି ତାରକସି ହବ୍ ସ୍ୱପ୍ନ ବି ପୂରଣ ହେବାକୁ ଯାଉଛି । ମୋହନ ସରକାରଙ୍କ ଅନୁଦାନରେ ସିଡିଏ ପେଟାନାଳ ରାସ୍ତାରେ ‘ତାରକସି ଉତ୍କର୍ଷ କେନ୍ଦ୍ର’ ନିର୍ମାଣ କରାଯାଉଛି । ଏସବୁ ଅନୁକୂଳ ସ୍ଥିତି ସତ୍ତ୍ଵେ ରୁପାର ମୂଲ୍ୟ ବୃଦ୍ଧି ସିଧାସଳଖ କାରିଗରଙ୍କ ନିଦ ହଜାଇ ଦେଇଛି । ଗତ କିଛି ବର୍ଷ ଭିତରେ କୁଳବୃତ୍ତି ଆଡକୁ ମୁହାଁଇଥିବା କାରିଗରମାନେ ନିଜ ବୃତ୍ତିଗତ ଭବିଷ୍ୟତକୁ ନେଇ ଆଶଙ୍କାରେ ପଡିଛନ୍ତି। ପ୍ରଭାବ ଏମିତି ଯେ, ଗତ ୬ମାସ ଭିତରେ ପ୍ରାୟ ୭୦ ପ୍ରତିଶତ ତାରକସି କାମ କମିଯାଇଛି।
ତାରକସି ବଜାର ଏତେ ବ୍ୟାପକ ନୁହେଁ ଯେ କାରିଗରଙ୍କୁ ବର୍ଷ ତମାମ୍ କାମ ମିଳିବ। ତେଣୁ ଚାନ୍ଦିମେଢ଼, ମୁକୁଟ, ଗହଣା ଓ ସାଜସଜ୍ଜା ଆଦି କାମ କିଛି ମାସର କାମରେ ତାରକସି କାରିଗରଙ୍କ ଘର ଚଳିଯାଏ । ଆସନ୍ତାବର୍ଷ ପାଇଁ ଯେଉଁ ପୂଜା ମଣ୍ଡପଗୁଡ଼ିକ ଦୁର୍ଗାପୂଜା ଚାନ୍ଦିମେଢ କ୍ଲବ୍ରେ ସାମିଲ୍ ହେବେ ସେମାନେ କାମକୁ ପକାଇ ରଖିଛନ୍ତି। ଚାନ୍ଦି କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଯାହାଫଳରେ ଚାନ୍ଦିମେଢ଼ ଓ ସାଜସଜ୍ଜା ଅଧାଗଢ଼ା ଭାବେ ପଡିରହିଛି । କଟକରେ ପ୍ରାୟ ୨ଶହ କାରଖାନାରେ କାର୍ଯ୍ୟରତ ୫ହଜାର କାରିଗରଙ୍କ ଏବେ ସର୍ବନିମ୍ନ ଦୈନିକ ମଜୁରୀ ଉଠିପାରୁନି। ମାଛୁଆବଜାର, ବଣିଆ ସାହି, ଥୋରିଆ ସାହି, ଶେଖ୍ବଜାର, ଅଲିଶାବଜାର, କନିକାଛକ, ମାନସିଂପାଟଣା, ଚାନ୍ଦିନୀଚୌକ, ନୂଆପଡା, କେଶରପୁର, ମଙ୍ଗଳାବାଗ୍, ବଢ଼େଇସାହି, ନାୟକ ସାହି, ବାସୁଳି ସାହି ଭଳି ୩୫ଟି ଅଞ୍ଚଳରେ ତାରକସି କାମ ହେଉଛି ।
ଉତ୍କଳ ସ୍ୱର୍ଣ୍ଣ ଓ ରୌପ୍ୟକାର ସଂଘର ଯୁବ ସଭାପତି ଭାନୁପ୍ରତାପ ସାହୁ କହିଛନ୍ତି, ଚାନ୍ଦି ମୂଲ୍ୟ ଏଭଳି କେବେ ବଢ଼ିନଥିଲା । ଏହାର ପ୍ରଭାବ ସିଧାସଳଖ କାରିଗରଙ୍କ ଉପରେ ପଡିଛି । ସରକାରଙ୍କୁ ମୂଲ୍ୟ ବୃଦ୍ଧି ଉପରେ ରୋକ୍ ଲଗାନ୍ତୁ, ନଚେତ୍ ବେଉସା ବୁଡିଯିବ । ତାରକସିର ଚମକ ବି ହଜିଯିବ । ସେହିପରି ରାମଗଡ଼ର ନିରାକାର ଦାସ କହିଛନ୍ତି, ତାରକସି କାମ କରିବାରେ ପ୍ରାୟ ୧୦% ରୁପା ନଷ୍ଟ ହୁଏ । ଚାନ୍ଦି ତରଳାଇବା, ତାର କରିବା, ପୋଡିବା, ହାତୁଡ଼ି ମାରିବାରେ ଯେଉଁ କ୍ଷତି ହୁଏ ସେ କ୍ଷତି ଭରଣା କରିବା ସମ୍ଭବ ନୁହେଁ। ତେଣୁ କାମ ବନ୍ଦ କରି ବସିଛୁ।
ଏହି ଖବରଟିକୁ ପଢନ୍ତୁ- ବାବା ବାଣ୍ଟୁଛନ୍ତି ମନ୍ତୁରା ବିଭୂତି, ଖାଇଲେ ହେବ ଛୁଆ ! ରାତିରେ ଲାଗୁଛି ଭିଆଇପିଙ୍କ ଲାଇନ୍...