ଫିରିଙ୍ଗିଆ, ୧୮/୭: କିଛିଦିନ ହେଲା ଲଘୁଚାପ ପ୍ରଭାବରେ ସାରା କନ୍ଧମାଳ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଏହି ଲଗାଣ ବର୍ଷାରେ ପୁଣି ଥରେ ଭାସିଯାଇଛି ଫିରିଙ୍ଗିଆ ବ୍ଲକ ଲୋଇସିଂ ପଞ୍ଚାୟତ ଅଧୀନରେ ଥିବା କୁଚେଣ୍ଡି ନଦୀ ଉପରେ ନିର୍ମାଣ ହୋଇଥିବା କାଠ ପୋଲ I ପୁରୁଣା କାଠ ପୋଲ ଭାଙ୍ଗି ଯିବାପରେ ଗତ ସାତ ଦିନ ତଳେ ଚାନ୍ଦା କରି ଅଞ୍ଚଳର ଗ୍ରାମବାସୀ ମାନେ ମିଳିତ ଭାବରେ ଚାନ୍ଦା ଆଦାୟ କରିବା ସହ ଶ୍ରମଦାନ କରି କାଠ ପୋଲ ନିର୍ମାଣ କରିଥିଲେ I
ସୂଚନା ମୁତାବକ, ଲୁଇସିଂ ପଞ୍ଚାୟତର ତଳଡାଙ୍ଗାଣାମ ନିକଟରେ ଥିବା ଏହି କୁଚେଣ୍ଡି ନାଳର କାଠ ପୋଲ ଗତ ଲଗାଣ ବର୍ଷାରେ ଧୋଇ ହୋଇଯିବା ଫଳରେ ଅଞ୍ଚଳବାସୀ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ l ଯାହାପାଇଁ ଗତ ସାତଦିନ ତଳେ ଏହି କୁଚେଣ୍ଡି ନଦୀରେ କାଠ ପୋଲ ନିର୍ମାଣ କରିଥିଲେ ଅଞ୍ଚଳ ବାସୀ I ତେବେ ଗତ ଲଗାଣ ବର୍ଷାରେ କାଠ ପୋଲ ପୁଣି ଥରେ ଭାସି ଯାଇଛି I ଯାହାଫଳରେ ଅଞ୍ଚଳର ତଳଡାଙ୍ଗାଣାମ, ଉପର ଡାଙ୍ଗାଣାମ, ଶାଗଜଲା, ପାନପଦର, କଟଡି ସିରା, ବାଗ ନୁରୀ, ଟୁକୁ ପଦର, ପିଲି ପଦର, ବାତ ଜୁର, ବୁଗେର ମାସ୍କା, ଲାକା ସିର୍ପି ଭଳି ୧୧ରୁ ଉର୍ଦ୍ଧ ଗ୍ରାମ ବର୍ତମାନ ମଧ୍ୟ୍ୟ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି I
ନାଳରେ ବର୍ଷା ପାଣି ପ୍ରବାହିତ ହେଉଥିବା ବେଳେ ବିଭିନ୍ନ ପ୍ରକାର ଜରୁରୀ ସେବା ଠପ ହୋଇଯାଇଛି I ତେବେ ଗତ ସାତ ଦିନତଳେ ଅଞ୍ଚଳର ଶତାଧିକ ଜନସାଧାରଣ ନିଜେ ଶ୍ରମ ଦାନ କରିବା ସହ ଚାନ୍ଦା କରି ଦିନ ତମାମ ଜଙ୍ଗଲରୁ କାଠ ସଂଗ୍ରହ କରି ପୁଣି ଥରେ କାଠ ପୋଲ ନିର୍ମାଣ କରିଥିଲେ I କିନ୍ତୁ ନଦୀର ସୁଅରେ ସେହି କାଠ ପୋଲ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି I ପୋଲ ଭାଙ୍ଗିଯିବାରୁ ଆବଶ୍ୟକୀୟ କାମରେ ପଞ୍ଚାୟତ କାର୍ଯ୍ୟାଳୟ ହେଉ କି ବ୍ଲକ କାର୍ଯ୍ୟାଳୟ ହେଉ ଏମିତି କି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମଧ୍ୟ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି I ତେବେ ଯେତେ ଶୀଘ୍ର ହେବ ଏହି କୁଚେଣ୍ଡି ନାଳ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି I