ପାଟନା,୧୪।୧:ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ଏବଂ ଜନଶକ୍ତି ଜନତା ଦଳ (ଜେଜେପି)ର ଅଧ୍ୟକ୍ଷ ତେଜ ପ୍ରତାପ ଯାଦବ ଆଜି ପାଟନାସ୍ଥିତ ତାଙ୍କ ସରକାରୀ ବାସଭବନରେ ମକର ସଂକ୍ରାନ୍ତି ଅବସରରେ ‘ଚୁଡା ଦହି ଭୋଜି’ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଲାଲୁ ୧୯୯୦ ଦଶକରେ ବିହାରରେ ମକର ସଂକ୍ରାନ୍ତିରେ ଚୁଡା ଦହି ଭୋଜ’ ଆରମ୍ଭ କରିଥିଲେ। ଲାଲୁଙ୍କ ‘ଚୁଡା ଦହି ଭୋଜି’ ସବୁବେଳେ ଖବରରେ ରହି ଆସିଛି। ଏଥର, ଲାଲୁଙ୍କ ବାସଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନାହିଁ।
ତେଜ ପ୍ରତାପ ତାଙ୍କ ପିତାଙ୍କ ଐତିହ୍ୟକୁ ନିଜ ଢଙ୍ଗରେ ପାଳନ କରିବାକୁ ଚେଷ୍ଟା କରିଛନ୍ତି। ସେ କେବଳ ତାଙ୍କ ବାପାଙ୍କ ଇତିହାସ ଦୋହରାଇଛନ୍ତି ତାହା ନୁହେଁ ବାପାଙ୍କ ପ୍ରତି ନିଜର ଭଲପାଇବା ଏବଂ ସେବା ଭାବନା ମଧ୍ୟ ଦେଖାଇଛନ୍ତି। ଲାଲୁ ଯେତେବେଳେ ପହଞ୍ଚିଲେ, ଖରା ବେଳ ହୋଇଥିବାରୁ ସୂର୍ଯ୍ୟ କିରଣ ତାଙ୍କ ଆଖି ଉପରେ ସିଧାସଳଖ ପଡୁଥିଲା। ଯେଉଁଥି ପାଇଁ ସେ ମୁଣ୍ଡ ଉପରେ ହାତ ରଖିଥିଲେ। ଏହା ଦେଖି, ତେଜ ପ୍ରତାପ ତାଙ୍କର ଜଣେ ସହଯୋଗୀଙ୍କୁ ଏକ ଗାମୁଛା ଭଳି ଏକ କପଡ଼ା ଆଣିବାକୁ କହିଥିଲେ, ଯାହା ତାଙ୍କ ବାପାଙ୍କ ମୁଣ୍ଡରେ ପକାଇ ଦେଇଥିଲେ। ଯାହାଦ୍ବାରା ସିଧାସଳଖ ସୂର୍ଯ୍ୟକିରଣ ତାଙ୍କ ଲାଲୁଙ୍କ ଉପରେ ପଡିନଥିଲା।
ଉଲ୍ଲେଖନୀୟ ଯେ, ତେଜପ୍ରତାପ ଯାଦବ ତାଙ୍କ ବାପା ଲାଲୁଙ୍କ ସହ ସାନ ଭାଇ ତେଜସ୍ବୀ ଯାଦବ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆମନ୍ତ୍ରିତ କରିଥିଲେ। ତେବେ ତେଜସ୍ବୀ ନିଜ ବଡ଼ ଭାଇଙ୍କ ‘ଚୁଡା ଦହି ଭୋଜି’ରେ ସାମିଲ ହୋଇନଥିଲେ। ସେ ନିଜ ଘରେ ମକର ସଂକ୍ରାନ୍ତି ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ତେଜପ୍ରତାପ ଏନ୍ଡିଏ ମହାମେଣ୍ଟର ବହୁ ବଡ଼ ନେତାଙ୍କୁ ମଧ୍ୟ ଆମନ୍ତ୍ରିତ କରିଥିଲେ। ଏଭଳି କରି ସେ ଏକ ପ୍ରକାର ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ତା ଛଡା ବିହାରରେ ମକର ସଂକ୍ରାନ୍ତି ପରେ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ। ଅତୀତରେ ବହୁବାର ରାଜନୈତିକ ସମ୍ପର୍କ ମଧ୍ୟ ଓଲଟପାଲଟା ହୋଇ ଯାଇଥିବାର ଉଦାହରଣ ରହିଛି। ଅନ୍ୟପକ୍ଷେ ଏନଡିଏ ସହ ତେଜପ୍ରତାପଙ୍କ ଘନିଷ୍ଠତା ମଧ୍ୟ ବଢିବାରେ ଲାଗିଛି। ଏଥର କିଭଳି ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି।
ତେଜପ୍ରତାପଙ୍କ ଭୋଜିରେ ଲାଲୁଙ୍କ ବ୍ୟତୀତ ରାଜ୍ୟପାଳ ଆରିଫ୍ ମହମ୍ମଦ, ଆରଏଲଜେପି ମୁଖ୍ୟ ପଶୁପତି ପାରସ୍, ମାମୁଁ ସାଧୁ ଯାଦବ, ପ୍ରଭୁନାଥ ଯାଦବ, ଜେଡିୟୁ ବିଧାୟକ ଚେତନ ଆନନ୍ଦ ମଧ୍ୟ ପହଁଞ୍ଚିଥିଲେ। ଉଲ୍ଲେଖନୀୟ ଯେ,ଲାଲୁ ପ୍ରସାଦ ଯାଦବ ଗତ ବର୍ଷ ୨୦୨୫ ରେ ନିଜର ବଡ଼ ପୁଅ ତେଜପ୍ରତାପଙ୍କୁ ଦଳରୁ ଏବଂ ଘରୁ ବାହାର କରିଦେଇଥିଲେ। ଏବେ କିନ୍ତୁ ୭ ମାସ ପରେ ବାପ-ପୁଅଙ୍କ ସମ୍ପର୍କରେ ଏକ ପ୍ରକାର ନିବିଡତା ବଢିବାର ଲକ୍ଷ୍ୟ କରାଯାଇଛି। ଏପରିକି ତେଜପ୍ରତାପଙ୍କୁ ବାପାଙ୍କ ସେବା କରୁଥିବାର ଦେଖାଯାଇଛି। କେବଳ ସେତିକି ନୁହେଁ କିଛି ଦିନ ତଳେ ମା’ ରାବ୍ରୀ ଦେବୀଙ୍କ ଜନ୍ମଦିନ ଅବସରରେ ମଧ୍ୟ ତେଜପ୍ରତାପ ନିଜ ଘରେ ପହଁଞ୍ଚିଥିଲେ। ମା’ଙ୍କ ଜନ୍ମଦିନ ପାଳନ କରି କେକ୍ କାଟିଥିଲେ। ବିହାର ନିର୍ବାଚନ ପରେ ଲାଲୁଙ୍କ ସାନ ପୁଅ ଏବଂ ଝିଅ ରୋହିଣୀ ଯାଦବଙ୍କ ବିବାଦ ଖୁବ୍ ଚର୍ଚ୍ଚାରେ ରହିଥିଲା। ଏବେ ବାପା-ମା’ଙ୍କ ପ୍ରତି ତେଜପ୍ରତାପଙ୍କ ଦୂରତ୍ବ କମୁ ଥିବା ବେଳେ ଆଗ ଭଳି ସବୁ ଠିକ୍ ହୋଇଯିବ ବୋଲି ତାଙ୍କ ସମର୍ଥକମାନେ ମଧ୍ୟ ଆଶା କରୁଛନ୍ତି।
ଆହୁରି ପଢନ୍ତୁ :ଜୁକରବର୍ଗଙ୍କ ଭାଙ୍ଗିଲା ସ୍ୱପ୍ନ : ଫେସବୁକ୍ରୁ ‘ମେଟା’ ତିଆରି କରିଥିବା ୧୦୦୦ କର୍ମଚାରୀଙ୍କୁ କଲେ ଛଟେଇ