ମୁମ୍ବାଇ ୦୨/୧୧: କିମ୍ବଦନ୍ତୀ ଆର୍କେ ଷ୍ଟୁଡିଓକୁ ପୁନଃ ଉନ୍ମୋଚନ କରିବେ ରଣବୀର କପୁର । ତାଙ୍କ ଜେଜେବାପା କିମ୍ବଦନ୍ତୀ ତାରକା ରାଜ କପୁର ୧୯୪୮ରେ ଏହି ପ୍ରଡକ୍ସନ୍ ହାଉସ୍ ପ୍ରତିଷ୍ଠା କରିଥିଲେ । ଆହୁରି ଚର୍ଚ୍ଚା ହେଉଛି, ଆର୍କେ ଫିଲ୍ମସ ବ୍ୟାନର୍ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ଏଣ୍ଟ୍ରି କରିବେ ରଣବୀର । ମୁମ୍ବାଇରେ ଆର୍କେ ଫିଲ୍ମସ ପାଇଁ ସେ ଏକ ନୂଆ ସ୍ଥାନ ସୃଷ୍ଟି ଲାଗି ସୁଦୃଢ଼ ସୃଜନାତ୍ମକ ଦିଗର ନିର୍ମାଣ ଉପରେ ଯୋଜନା କରୁଛନ୍ତି । ଷ୍ଟୁଡିଓ ନିର୍ମାଣ ପାଇଁ ସେ ଆଦୌ ଆତୁର ନୁହନ୍ତି । ବ୍ରାଣ୍ଡ୍ର ପୁନଃ-ପ୍ରତିଷ୍ଠା ତାଙ୍କର ପ୍ରାଥମିକତା । ଏହା ପରେ ସେ ପ୍ରଡକ୍ସନ୍ ହାଉସ୍ର ଅଫିସ୍ ଓ ଏକ ଥିଏଟର ନିର୍ମାଣର ସ୍ଥାନ ସ୍ଥିର କରିବେ ।
ଏହି ବ୍ୟାନର୍ ଅଧୀନରେ ରଣବୀରଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ ସମେତ ଆଉ ଦୁଇଟି ପ୍ରୋଜେକ୍ଟ ରିଲିଜ୍ ହୋଇପାରେ । ପ୍ରଥମ ପ୍ରୋଜେକ୍ଟରେ ରଣବୀର ପୁଣି ଥରେ ଆୟାନ ମୁଖାର୍ଜୀଙ୍କ ସହ ଯୋଡ଼ି ହେବେ । ୨୦୨୨ରେ ‘ବ୍ରହ୍ମାସ୍ତ୍ର: ଭାଗ ୧’ରେ ଉଭୟ ଏକାଠି କାମ କରିଥିଲେ । ୨ୟ ପ୍ରୋଜେକ୍ଟ ହେବ କିଶୋର କୁମାରଙ୍କ ବହୁ-ପ୍ରତୀକ୍ଷିତ ବାୟୋପିକ୍, ଯାହାର ନିର୍ଦ୍ଦେଶନା ଦେବେ ଅନୁରାଗ ବାସୁ । ଏଥିରେ ଆମିର ଖାନ୍ ଏହି ଭୂମିକାରେ ଅଭିନୟ କରିପାରନ୍ତି । ଦୁଇଟିଯାକ ପ୍ରୋଜେକ୍ଟ ଉପରେ ଆଲୋଚନା ଆଗକୁ ବଢ଼ିସାରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଚେମ୍ବୁର ସ୍ଥିତ ଆର୍କେ ଷ୍ଟୁଡିଓଜ୍କୁ ୨୦୧୯ରେ ଗୋଦରେଜ୍ ପ୍ରପଟିଜ୍ ଅଧିଗ୍ରହଣ କରିଥିଲା । ସେହି ବର୍ଷ ରଣଧୀର କପୁର ଅପ୍ରତ୍ୟାଶିତ କାରଣ ପାଇଁ ଆର୍କେ ଷ୍ଟୁଡିଓଜ୍କୁ ବିକ୍ରି କରିବା ବିଷୟରେ ସ୍ପଷ୍ଟ କରିଥିଲେ । ୧୯୯୯ରେ ମୁକ୍ତିପ୍ରାପ୍ତ ‘ଆ ଅବ୍ ଲୌଟ୍ ଚଲେଁ’ ଥିଲା ଆର୍କେ ଫିଲ୍ମସ ବ୍ୟାନର୍ ଅଧୀନରେ ପ୍ରଯୋଜିତ ଶେଷ ଫିଲ୍ମ ।