ଫିରିଙ୍ଗିଆ,୦୭/୦୯ : ବିଏସଏଫ କ୍ୟାମ୍ପ ନିକଟରେ ମର୍ମନ୍ତୁତ ବାଇକ ଦୁର୍ଘଟଣା। ଅକାଳରେ ଚାଲିଗଲା ଦୁଇଜଣଙ୍କ ଜୀବନ। ୨ ଗୁରୁତର ହସ୍ପିଟାଲରେ ଭର୍ତ୍ତି।କନ୍ଧମା ଜିଲ୍ଲା ଫିରିଙ୍ଗିଆ ଥାନା ସାଡିଙ୍ଗିଆ ବିଏସଏଫ କ୍ୟାମ୍ପ ନିକଟରେ ଏକ ମର୍ମନ୍ତୁତ ବାଇକ ଦୁର୍ଘଟଣା ଘଟିଛି। ଫଳରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି I ମୃତକମାନେ ହେଲ ସାଡିଙ୍ଗିଆର ବାଦେସନ କହଁର ଏବଂ ବାଲିଗୁଡା ଥାନା ବାଟାଗୁଡା ପଂଚାୟତ ପୁସାଙ୍ଗିଆର ଶଶିକାନ୍ତ ପ୍ରଧାନ I
ସୂଚନା ଅନୁସାରେ, ମୃତକ ଶଶିକାନ୍ତ ଦୁଇଦିନ ତଳେ ତାଙ୍କ ସ୍ତ୍ରୀ ଓ ପିଲା ମାନଙ୍କ ସହ ଶ୍ୱଶୂରଘର ସୁମେରବନ୍ଧ ପଞ୍ଚାୟତର ବଯେଡ଼ି ଗାଁକୁ ବୁଲିବାକୁ ଆସିଥିଲେ I ଶନିବାର ସନ୍ଧ୍ୟା ସମୟରେ ଦୁଇ ଶଳାଙ୍କ ସହ ଏକ ବାଇକରେ ସାଡିଙ୍ଗିଆ ବଜାରକୁ ବୁଲିବାକୁ ଯାଇ ରାତି ପ୍ରାୟ ୯ଟା ସମୟରେ ଘରକୁ ଫେରୁ ଥିଲେ I କିନ୍ତୁ ବିଏସଏଫ କ୍ୟାମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଚାଲି ଚାଲି ଯାଉଥିବା ବାଦସେନ କହଁରଙ୍କୁ ପଛପଟୁ ଧକ୍କା ଦେଇଥିଲେ I ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ବାଇକ ପଛପଟେ ବସିଥିବା ଶଶିକାନ୍ତ ବାଇକରୁ ଛିଟିକି ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ I ତାଙ୍କର ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଶଳା ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ତେବେ ମୃତ ଶଶିକାନ୍ତ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ବେଳେ ନୂଆଖାଇ ପାଇଁ ଛୁଟିରେ ଘରକୁ ଆସିଥିଲେ I ତାଙ୍କର ଦୁଇଟି ଛୋଟଛୋଟ ଝିଅ ଅଛନ୍ତି I ଦୁର୍ଘଟଣା ପରେ ଉଭୟ ପରିବାରରେ ଶୋକର ଛାୟା ଖେଳିଯାଇଛି। ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ପ୍ରିୟରଞ୍ଜନ ନାୟକ ମେଡିକାଲରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି I ବେପରୁଆ ଓ ଦ୍ରୁତ ଗାଡି ଚାଳନା ପାଇଁ ଏହି ଦୁର୍ଘଟଣା ଘଟିଥିବା ନେଇ ମୃତ ବାଦସେନଙ୍କ ବଡଭାଇ ତିଳେସନ କହଁର ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I