ନୂଆଦିଲ୍ଲୀ,୨୩/୦୯:  ଉତ୍ତରପ୍ରଦେଶ ଆଲିଗଡର କାନପୁର ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କାରେ ଜଳିଗଲା ଟ୍ରକ୍ ଏବଂ କାର୍ । ଫଳରେ କାର୍ ଭିତରେ ଥିବା ଜଣେ ଶିଶୁ ସମେତ ୪ଜଣ ଏବଂ ଟ୍ରକରେ ଥିବା ଚାଳକ ଜୀବନ୍ତ ଜଳି ଯାଇଥିଲେ । 

ସୂଚନା ଅନୁସାରେ, ଟ୍ରକ୍‌ଟି ଆଲିଗଡରୁ ଏଟା ଯାଉଥିବା ବେଳେ ଏକ କାର୍ ବିପରୀତ ଦିଗରୁ ଆସୁଥିଲା। ସେହି ସମୟରେ ହଠାତ୍ କାରର ଟାୟାର ଫାଟି ଯିବା ଫଳରେ କାର ଡ୍ରାଇଭର ନିୟନ୍ତ୍ରଣ ହରାଇ ଡାହାଣ ପଟକୁ ଯାଇ ସାମ୍ନାରୁ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲା । ଧକ୍କା ପରେ ପରେ ଦୁଇଟି ଯାକ ଗାଡି ଜଳି ଯାଇଥିଲା । ଯାହା ଫଳରେ କାରରେ ଜଣେ ଶିଶୁ, ଜଣେ ମହିଳାଙ୍କ ସମେତ ୨ ଜଣ ପୁରୁଷ ଜୀବନ୍ତ ଜଳିଯାଇଥିଲେ । ସେହିପରି ଟ୍ରକର ଡ୍ରାଇଭର ମଧ୍ୟ ଜୀବନ୍ତ ଜଳି ଯାଇଥିଲେ । 

ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ସ୍ଥାନୀୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିଛନ୍ତି । ପୁଲିସର କହିବା ମୁତାବକ, କାର୍ ଓ ଟ୍ରକ୍ ପରସ୍ପରକୁ ଧକ୍କା ଦେଇ ଜଳି ଯାଇଥିଲେ । ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ପୁଲିସ ଏବଂ ଫାୟାର ସର୍ଭିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ ।ଏନେଇ ଏସପି ଅମ୍ରିତ ଜୈନ କହିଛନ୍ତି, ମଙ୍ଗଳବାର ସକାଳେ ଗୋପୀ ବ୍ରିଜ ନିକଟରେ ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ଘଟିଥିଲା । ଧକ୍କାରେ ଦୁଇଟିଯାକ ଗାଡି ଜଳି ଯାଇଥିଲା । ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।