ଖୋର୍ଦ୍ଧା, ୨୮/୧୧ : ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟ ଉଦ୍ଦେଶ୍ୟରେ ପରିବହନ ବିଭାଗ ପକ୍ଷରୁ ଚଳିତ ମାସ ୧୬ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଶୂନ୍ୟ ମୃତାହତ ପକ୍ଷ । ଏ ଅବସରରେ ଗୋଟିଏ ପରେ ଗୋଟିଏ ଗାଁ ଗାଁ ଭ୍ରମଣ କରୁଛି ଶୂନ୍ୟ ମୃତାହତ ସଚେତନତା ରଥ । ଏଥିରେ ମୁଖ୍ୟତଃ ଦ୍ରୁତବେଗ, ମଦ୍ୟପାନ ଓ ମୋବାଇଲ, ବିନା ସିଟ୍ବେଲ୍ଟ, ହେଲମେଣ୍ଟରେ ଗାଡ଼ି ଚଳାଇବାକୁ ବାରଣ କରାଯାଉଛି । ମାତ୍ର ତ୍ରୁଟିପୂର୍ଣ୍ଣ ରାସ୍ତା, ମୁକୁଳାଡ୍ରେନ, ଟ୍ରାଫିକ ନିୟନ୍ତ୍ରଣରେ ପୁଲିସର ବିଫଳତା ଏବଂ ଶୋଚନୀୟ ରାସ୍ତା ଯୋଗୁ ସଡକରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବାରେ ଲାଗିଛି । ଗତ ୯ ମାସରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ନେଲାଣି ୨୭୦ ଜୀବନ । ବ୍ୟାପକ ସଚେତନତା ସତ୍ତେ୍ୱ ସଡ଼କ ଜନିତ ମୃତ୍ୟୁ ସଂଖ୍ୟା ଗତବର୍ଷ ତୁଳନାରେ ଚଳିତ ବର୍ଷ ଶତକଡ଼ା ଦୁଇ ପ୍ରତିଶତ ବୃଦ୍ଧି ପାଇଛି । ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି ।
ଜିଲ୍ଲା ପରିବହନ ବିଭାଗ ତଥ୍ୟ ମୁତାବକ, ୨୦୨୪ ଜାନୁଆରୀ ମାସଠାରୁ ସେପ୍ଟେମ୍ବର ମାସ ମଧ୍ୟରେ କମିସନରେଟ୍ ଓ ଗ୍ରାମାଞ୍ଚଳ ପୁଲିସ୍ ଜିଲ୍ଲାରେ ମୋଟ୍ ୮୪୯ ସଡ଼କ ଦୁର୍ଘଟଣା ସମ୍ପର୍କିତ ମାମଲା ରୁଜୁ ହୋଇଥିଲା । ଉକ୍ତ ୯ ମାସରେ ୨୭୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୪୭ ଜଣ ଗୁରୁତର ହୋଇଥିଲେ । ସେହିପରି ୨୦୨୫ ଜାନୁଆରୀଠାରୁ ସେପ୍ଟେମ୍ବର ମଧ୍ୟରେ ଦୁର୍ଘଟଣା ସଂଖ୍ୟା ୯୫୪କୁ ବୃଦ୍ଧି ପାଇବା ସହ ୨୭୬ ମୁଣ୍ଡ ସଡ଼କ ନେଇଛି । ସଡ଼କ ଜନିତ ଦୁର୍ଘଟଣାରେ ୫୩୪ ଗୁରୁତର ହୋଇଛନ୍ତି । ପରିସଂଖ୍ୟାନକୁ ଦେଖିଲେ ଗତବର୍ଷ ତୂଳନାରେ ଅନୁସାରେ ଚଳିତ ବର୍ଷ ଜାନୁଆରୀଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଶତକଡ଼ା ୨.୧୭ ପ୍ରତିଶତ ବୃଦ୍ଧି ପାଇଛି । କମିସନରେଟ୍ ପୁଲିସ କଥା ଛାଡ଼ନ୍ତୁ ବରଂ ଗ୍ରାମାଞ୍ଚଳ ପୁଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଜାନୁଆରୀଠାରୁ ସେପ୍ଟେମ୍ବର ମାସରେ ୨୭୯ ଦୁର୍ଘଟଣା ମାମଲାରେ ୧୦୮ ମୁଣ୍ଡ ଗଡ଼ିଛି । ଗ୍ରାମାଞ୍ଚଳ ପୁଲିସ୍ ଜିଲ୍ଲା ଅନ୍ତର୍ଗତ ଆଦର୍ଶ ଥାନା ଅଞ୍ଚଳରେ ଗତବର୍ଷ ଜାନୁଆରୀଠାରୁ ସେପ୍ଟେମ୍ବର ମାସ ମଧ୍ୟର ୩୩ ଗୋଟି ସଡ଼କ ଦୁର୍ଘଟଣା ହୋଇଥିବାବେଳେ ଚଳିତ ବର୍ଷ ସଂଖ୍ୟା ୩୧ ହ୍ରାସ ପାଇଛି । କିନ୍ତୁ ଗତବର୍ଷ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ୬ଜଣ ମୃତ୍ୟୁ ଦୁର୍ଘଟଣା ଜନିତ ହୋଇଛି । ସେହିପରି ଗୁରୁତର ଆହତଙ୍କ ସଂଖ୍ୟା ଗତବର୍ଷ ୩୦ ଥିବା ବେଳେ ଚଳିତ ବର୍ଷ ସଂଖ୍ୟା ୨୪କୁ ଖସିଆସିଛି ।
ଶିଳ୍ପାଞ୍ଚଳ ଥାନାରେ କିନ୍ତୁ ଗତବର୍ଷ ତୁଳନାରେ ମୃତ୍ୟୁ ସଂଖ୍ୟା ବଢିଛି । ଗତବର୍ଷ ୨୫ ଗୋଟି ମାମଲାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚଳିତବର୍ଷ ୨୨ ଗୋଟି ମାମଲାରେ ୧୬ଜଣଙ୍କ ମୃତ୍ୟୁ ସଡ଼କରେ ହେବା ଜଣାପଡ଼ିଛି । ସଦର ଥାନା ଅଞ୍ଚଳରେ ଗତବର୍ଷ ୩୦ ଗୋଟି ମାମଲାରେ ୧୬ ଜଣ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ୨୮ ଦୁର୍ଘଟଣା ମାମଲାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ବାଘମାରୀ ଥାନା ଅଞ୍ଚଳରେ ଗତବର୍ଷ ୧୧ ଗୋଟି ମାମଲାରେ ୬ ଜଣଙ୍କ ଜୀବନ ସଡ଼କ ନେଇଛି । ଚଳିତ ବର୍ଷ ୯ ମାମଲା ରୁଜୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩କୁ ଖସିଯାଇଛି । ବେଗୁନିଆ ଥାନା ଅଞ୍ଚଳରେ ଗତବର୍ଷ ୨୬ ମାମଲାରେ ୧୦ ଜଣ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ୭ ଜଣଙ୍କ ମୃତ୍ୟୁ ହୋଇଛି । ବୋଲଗଡ଼ ଥାନା ଅଞ୍ଚଳରେ ଗତବର୍ଷ ୧୭ ମାମଲାରେ ୭ ଜଣଙ୍କ ଜୀବନ ଯାଇଥିବାବେଳେ ଚଳିତ ବର୍ଷ ୨୩ ମାମଲାରେ ୬ଜଣଙ୍କ ମୃତ୍ୟୁ ପଛରେ କାରଣ ସଡ଼କ ଦୁର୍ଘଟଣା ହେବା ଜଣାପଡ଼ିଛି । ଜଙ୍କିଆ ଥାନା ଅଞ୍ଚଳରେ ଗତବର୍ଷ ୨୦ ମାମଲାରେ ୧୩ ଜଣଙ୍କ ଜୀବନ ଯାଇଥିବାବେଳେ ଏ ବର୍ଷ ମାମଲା ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବା ସତ୍ତେ୍ୱ ମୃତ୍ୟୁ ସଂଖ୍ୟା ସ୍ଥିର ତଥା ୧୩ରେ ସୀମିତ ରହିଛି । ନିରାକାରପୁର ଥାନା ଅଞ୍ଚଳରେ ଗତ ବର୍ଷ ୧୫ ମାମଲାରେ ୪ ଜଣ ମୃତ୍ୟୁବରଣ କରିଥିବାବେଳେ ଚଳିତ ବର୍ଷ ୧୯ ଗୋଟି ମାମଲାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।
ଟାଙ୍ଗୀ ଥାନା ଅଞ୍ଚଳରେ ଗତବର୍ଷ ୩୨ ମାମଲାରେ ୧୮ଜଣଙ୍କ ମୃତ୍ୟୁ ହୋଇଥିଲା । ଏ ବର୍ଷ ମାମଲା ସଂଖ୍ୟା ୩୭କୁ ବୃଦ୍ଧି ପାଇଥିବାବେଳେ ୧୧ ଜଣଙ୍କ ପ୍ରାଣବାୟୁ ସଡ଼କ ନେଇଛି । ନାଚୁଣି ଥାନା ଅଞ୍ଚଳରେ ଗତ ବର୍ଷ ୪୧ ମାମଲାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏ ବର୍ଷ ୨୩ ମାମଲାରେ ଆଠ ଜଣ ମୃତ୍ୟୁବରଣ କରିବା ଜଣାପଡ଼ିଛି । ବାଲୁଗାଁ ଥାନା ଅଞ୍ଚଳରେ ଗତବର୍ଷ ୩୦ ମାମଲାରେ ୧୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଚଳିତ ବର୍ଷ ମାମଲା ସଂଖ୍ୟା ୨୫କୁ ଖସିଯାଇଥିବା ସତ୍ତେ୍ୱ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ବାଣପୁର ଥାନା ଅଞ୍ଚଳରେ ଗତବର୍ଷ ୧୩ ମାମଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବର୍ଷ ୧୮ ମାମଲାରେ ୪ ଜଣଙ୍କର ଜୀବନ ସଡ଼କ ନେଇଛି । ଯଦିଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବାକୁ ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବାରେ ପୁଲିସ୍ ଓ ପରିବହନ ବିଭାଗ ଧରପଗଡ଼କୁ ବ୍ୟାପକ କରୁଥିବା କହୁଛନ୍ତି । ତଥାପି ଗ୍ରାମାଞ୍ଚଳରେ ସଙ୍କୁଚିତ ରାସ୍ତା, ଜାତୀୟ ରାଜପଥରେ ପ୍ରଶସ୍ଥିକରଣ କାର୍ଯ୍ୟ ବିଳମ୍ବ ଏବଂ ଦୀର୍ଘବର୍ଷ ହେବ ରକ୍ଷଣାବେକ୍ଷଣା ଅଭାବରୁ ରାସ୍ତା ଗୁଡ଼ିକ ଅବସ୍ଥା ଅତିଶୋଚନୀୟ, ବେପରୁଆ ଗାଡ଼ି ଚାଳନା ଯୋଗୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ସ୍ଥାନୀୟ ଅଞ୍ଚଳର ବୃଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । ତେଣୁ ପ୍ରଶାସନ ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ଉଦ୍ଦେଶ୍ୟ ସାଧିତ କରିବାକୁ ହେଲେ ଖାଲି ଧରପକଡ଼ ନୁହେଁ ବରଂ ରାସ୍ତା ଗୁଡ଼ିକରେ ମରାମତି ସମେତ ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ପଦକ୍ଷେପ ନେବାରେ ଆବଶ୍ୟକତା ଥିବା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।