ପାଟଣାଗଡ଼, ୦୫/୦୧: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ମୁଖ୍ୟ ସହର ଭିତରେ ଦିର୍ଘ ବର୍ଷଧରି ରହିଥିବା ପୁରୁଣା ଉପଖଣ୍ଡ ଚିକିତ୍ସାଳୟ ଏବେ ନୂତନ ଭାବରେ ଗଙ୍ଗାସାଗର ପାଖରେ ନିର୍ମାଣ କରାଯାଇଛି। ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ପ୍ରଶାସନ ତରଫରୁ କିଛିଦିନ ହେବ ସ୍ଥାନାନ୍ତରିତ କରାଯାଇଛି । ଯାହାଫଳରେ ସହରରେ ବସବାସ କରୁଥିବା ଲୋକେ ଜରୁରୀକାଳୀନ ଚିକିତ୍ସା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିପରିପେକ୍ଷୀରେ ଆଜି ସହରବାସୀ ପାଟଣାଗଡ଼ରୁ କଣ୍ଟାବାଞ୍ଜିକୁ ଯାଉଥିବା ସହରର ମୁଖ୍ୟ ରାସ୍ତା ପୁରୁଣା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ରାସ୍ତାରୋକ କରିଥିଲେ ।
ଅଭିଯୋଗ ଅନୁସାରେ , ସହରରେ ଥିବା ଏହି ପୁରୁଣା ଡାକ୍ତର ଖାନାକୁ ସ୍ଥାନାନ୍ତରିତ ହେବାପରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ପାଇଁ ପୁରୁଣା ଡାକ୍ତର ଖାନାରେ ଜରୁରୀକାଳୀନ ସେବାପାଇଁ ଓପିଡି ଡାକ୍ତର,ଓ ସ୍ମାର୍ଟ ଚିକିତ୍ସା କରାଯିବାକୁ ଆନ୍ଦୋଳନ କାରିମାନେ ଦାବି କରିଛନ୍ତି । ଖବରପାଇ ଆନ୍ଦୋଳନ ସ୍ଥଳକୁ ସ୍ଥାନୀୟ ପୋଲିସ ସହ ଉପଖଣ୍ଡ ଚିକିତ୍ସା ଅଧିକାରୀ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବାସହ ଏବିଷୟରେ ଲିଖିତ ଭାବରେ ଦେବାକୁ ଅନୁରୋଧ କରିଥିଲେ । ପରେ ସେମାନେ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଭାବରେ ଅବଗତ କରାଇଥିଲେ । ଏହାପରେ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ଠାରୁ ପ୍ରତିଶ୍ରୁତି ପାଇବାପରେ ଆନ୍ଦୋଳନକାରୀ ନିଜ ଜିଦରୁ ଓହରିଥିଲେ । କିଛି ସମୟ ପର୍ଯ୍ୟନ୍ତ ରାସ୍ତ ରୋକ ଯୋଗୁଁ ଉଭୟ ପକ୍ଷରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା । ଯାହାଫଳରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।