କେସିଙ୍ଗା,୦୭/୧୨: ମରଣଯନ୍ତା ପାଲଟିଛି ରୁପ୍ରା ପୂର୍ତ୍ତ ବିଭାଗ ରାସ୍ତା। ପ୍ରଶାସନିକ ଉଦାସୀନତା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଯାହାକୁ ନେଇ ରାସ୍ତାରୋକ କରିବା ଦେଇଛନ୍ତି ଚେତାବନୀ। କଳାହାଣ୍ଡି ଜିଲ୍ଲା କେସିଙ୍ଗାଠାରୁ ରୁପ୍ରା ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ପୂର୍ତ୍ତ ବିଭାଗ ରାସ୍ତାର କେନ୍ଦୁପତ୍ର ଗୋଦାମ ସଂଲଗ୍ନ ପ୍ରାୟ ୨ ଶହ ମିଟର ଏବଂ ଡୁମେରମୁଣ୍ଡା ଖାସପଡା ମଧ୍ୟରେ ଯାଇଥିବା ପ୍ରାୟ ୩ ଶହ ମିଟର ରାସ୍ତା ଅତି ଶୋଚନୀୟ ହୋଇପଡିଛି । ଦୀର୍ଘ ଦିନ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ ରାସ୍ତା ନିର୍ମାଣ କରିବାରେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ତତ୍ପରତା ଦେଖାଦେଉନଥିବା ପରିଲକ୍ଷିତ ହେଉଛି। ରାସ୍ତାର ଦୁଇଟି ସ୍ଥାନରେ ପ୍ରାୟ ୫ ମିଟର ରାସ୍ତା ଅତି ଶୋଚନୀୟ ହୋଇପଡ଼ିଥିବା ଯୋଗୁଁ ଅଞ୍ଚଳର ଲୋକେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନା ମୁତାବକ, ରାସ୍ତାର ଶୋଚନୀୟ ଅବସ୍ଥାକୁ ଦେଖି ବିଭାଗ ତରଫରୁ ଗତ ବର୍ଷା ଦିନରେ ଖାଲଖମା ହୋଇଥିବା ସ୍ଥାନକୁ ମେଟାଲ ଏବଂ କ୍ରସର ଗୁଣ୍ଡ ପକାଇ ମରାମତି କାର୍ଯ୍ୟ କରାଯାଇଥିଲା। ହେଲେ ପିଚୁ କାମ ହୋଇନଥିବା ଯୋଗୁଁ ବର୍ତ୍ତମାନ ରାସ୍ତାଟି ଧୂଳିମୟ ହୋଇ ପଥଚାରୀ ମାନଙ୍କୁ ଅଣନିଃଶ୍ବାସୀ କରି ପକାଉଛି । ଏହି ରାସ୍ତା ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ କେସିଙ୍ଗା ଠାରୁ ନର୍ଲା ଏବଂ ମ.ରାମପୁର ବ୍ଲକ ଅଞ୍ଚଳକୁ ଯିବା ପାଇଁ ସଂଯୋଗ ହୋଇଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ ବଡ଼ ବଡ଼ ତଥା ଭାରିଯାନ ଗାଡିଗୁଡ଼ିକ ଚଳାଚଳ କରୁଛି। ଫଳରେ ଶୋଚନୀୟ ହୋଇ ପଡିରହିଥିବା ରାସ୍ତା ଧୂଳିମୟ ପରିବେଶ ସୃଷ୍ଟି ହେଉଛି। ରାସ୍ତା ପାର୍ଶ୍ବରେ ଘର କରି ବସବାସ କରୁଥିବା ଲୋକେ ତଥା ଦୋକାନୀ ବ୍ୟବସାୟୀମାନେ ଧୂଳିମୟ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ତେରାସ୍ତା ନିର୍ମାଣ କରିବା ନେଇ ଅଞ୍ଚଳବାସୀ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାରୋକ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଏ ବିଷୟରେ ବିଭାଗୀୟ ଯନ୍ତ୍ରୀ ବିଷ୍ନୁପ୍ରସାଦ କରଙ୍କୁ ପଚାରିବାରୁ ଖୁବ୍ କମ୍ ଦିନ ଭିତରେ ପିଚୁ କାମ କରାଯିବ ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅଞ୍ଚଳରେ ଦାବି ହେଉଛି ।